ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଆଗତ କରିଛନ୍ତି। ଏହି ବଜେଟ୍ରେ ‘ପୂର୍ବୋଦୟ’ ମନ୍ତ୍ର ସହ ଓଡ଼ିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ଏକ ବଡ଼ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଭିତ୍ତିଭୂମି, ଶିଳ୍ପ, ପରିବେଶ ଏବଂ କୃଷି କ୍ଷେତ୍ରରେ ଓଡ଼ିଶାକୁ ଅନେକ ବଡ଼ ପ୍ରକଳ୍ପ ମିଳିଛି।
ଜଳମାର୍ଗ-୫: ଖଣି ସମୃଦ୍ଧ ଅଞ୍ଚଳରୁ ବନ୍ଦର ପର୍ଯ୍ୟନ୍ତ ସିଧା ସଂଯୋଗ
ଓଡ଼ିଶାର ଅର୍ଥନୀତି ପାଇଁ ସବୁଠାରୁ ବଡ଼ ଘୋଷଣା ହେଉଛି ଜାତୀୟ ଜଳମାର୍ଗ-୫ (NW-5) ର ନିର୍ମାଣ। ତାଳଚେର ଏବଂ ଅନୁଗୁଳର ଖଣି ଅଞ୍ଚଳକୁ କଳିଙ୍ଗନଗର ଦେଇ ପାରାଦୀପ ଓ ଧାମରା ବନ୍ଦର ସହିତ ଯୋଡ଼ିବ ଏହି ଜଳପଥ। ଏହାଦ୍ୱାରା ପଣ୍ୟ ପରିବହନ ଶସ୍ତା ହେବା ସହ ଶିଳ୍ପାୟନ ତ୍ୱରାନ୍ୱିତ ହେବ।
ବିରଳ ମୃତ୍ତିକା କରିଡର ଓ ଶିଳ୍ପ ବିକାଶ
ଓଡ଼ିଶା ଭଳି ଖଣିଜ ସମୃଦ୍ଧ ରାଜ୍ୟରେ ଏକ ସ୍ୱତନ୍ତ୍ର ‘ବିରଳ ମୃତ୍ତିକା କରିଡର’ (Rare Earth Corridor) ପ୍ରତିଷ୍ଠା କରାଯିବ। ଏହା ଦ୍ୱାରା ଦୁର୍ଲଭ ଖଣିଜ ପଦାର୍ଥର ଖନନ, ଗବେଷଣା ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶା ବିଶ୍ୱସ୍ତରୀୟ ପରିଚୟ ପାଇବ। ଏହା ସହିତ ପୂର୍ବତଟ ଶିଳ୍ପ କରିଡରକୁ ଦୁର୍ଗାପୁର ନୋଡ୍ ସହ ସଂଯୋଗ କରାଯାଇ ଶିଳ୍ପ ବିକାଶକୁ ଗୁରୁତ୍ୱ ଦିଆଯାଇଛି।
କଇଁଛ ସୁରକ୍ଷା ପାଇଁ ‘ଟର୍ଟଲ୍ ଟ୍ରେଲ୍’
ପରିବେଶ ସନ୍ତୁଳନ ଏବଂ ସାମୁଦ୍ରିକ ଜୀବ ସୁରକ୍ଷା ପାଇଁ ଓଡ଼ିଶା ଉପକୂଳରେ ‘ଟର୍ଟଲ ଟ୍ରେଲ’ ବିକଶିତ ହେବ। ବିଶେଷ କରି ଅଲିଭ୍ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ଏବଂ ସୁରକ୍ଷିତ ପ୍ରଜନନ ପାଇଁ ସ୍ୱତନ୍ତ୍ର ଆବାସସ୍ଥଳୀ ନିର୍ମାଣ କରାଯିବ। ପୂର୍ବ ଭାରତରେ ନୂଆ ଜାତୀୟ ଡିଜାଇନ ଅନୁଷ୍ଠାନ (NID) ପ୍ରତିଷ୍ଠା ଏବଂ ୫୦୦ କଲେଜରେ AVGC ଲ୍ୟାବ୍। ଓଡ଼ିଶା ପାଇଁ ଇ-ବସ୍ ସେବା ଏବଂ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ‘ପୂର୍ବୋଦୟ’ ଯୋଜନାରେ ଅନୁଦାନ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ନଡ଼ିଆ, ଚନ୍ଦନ ଓ କାଜୁ ଚାଷ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ। ଷୋଡ଼ଶ ଅର୍ଥ ଆୟୋଗ ଅଧୀନରେ ରାଜ୍ୟ ପାଇଁ ବିପର୍ଯ୍ୟୟ ପରିଚାଳନା ଓ ସହରାଞ୍ଚଳ ବିକାଶ ନିମନ୍ତେ ମୋଟା ଅଙ୍କର ଅନୁଦାନ।
