ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସାମାଜିକ ସମରସତା ଓ ନ୍ୟାୟର ଶ୍ରେଷ୍ଠ ପ୍ରତୀକ । ତାଙ୍କ ପାଖରେ ଗରିବ-ଧନୀ କିମ୍ବା ଜାତି-ବର୍ଣ୍ଣର କୌଣସି ଭେଦଭାବ ନାହିଁ, ବରଂ ସମସ୍ତେ ସମାନ । ଆଜି ନୂଆଦିଲ୍ଲୀର ହଜଖାସ୍ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ “ଭଗବାନ ଜଗନ୍ନାଥ : ଅଧ୍ୟାତ୍ମ ଏବଂ ବିଜ୍ଞାନର ଏକ ବିଲକ୍ଷଣ ସଂଗମ(‘Bhagwan Jagannath: The Unparallel Confluence of Science and Spiritualism’) ର ଇଂରାଜୀ ଓ ହିନ୍ଦୀ ସଂକଳନକୁ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ଭାଗୀରଥୀ ଝାଙ୍କ ଦ୍ୱାରା ରଚିତ ଏହି ଗ୍ରନ୍ଥକୁ ପ୍ରଶଂସା କରିବା ସହ ମହାପ୍ରଭୁଙ୍କ ସଂସ୍କୃତିକୁ ବିଜ୍ଞାନ ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସମନ୍ୱୟ ଭାବେ ଅଭିହିତ କରିଛନ୍ତି । ସେ କହିଛନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ପରି ଏକ ପବିତ୍ର ସ୍ଥାନରେ ଏହି ଜ୍ଞାନବର୍ଦ୍ଧକ ଗ୍ରନ୍ଥର ଉନ୍ମୋଚନ କରିବା ମୋ ପାଇଁ ଏକ ସୌଭାଗ୍ୟର ବିଷୟ । ଲେଖକ ଶ୍ରୀ ଭାଗୀରଥୀ ଝା ବେଦ, ପୁରାଣ ଓ ଉପନିଷଦର ଜଟିଳ ତଥ୍ୟକୁ ଅତି ସାବଲୀଳ ଭାବେ ପାଠକମାନଙ୍କ ପାଇଁ ପରିବେଷଣ କରିଛନ୍ତି। ସେ କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଏହା ବିଜ୍ଞାନ ଓ ଆଧ୍ୟାତ୍ମିକତାର ଏକ ବିରଳ ସଙ୍ଗମ । ଏହି ପୁସ୍ତକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ପରମ୍ପରା ଏବଂ ଏହା ପଛରେ ଥିବା ବୈଜ୍ଞାନିକ ଦୃଷ୍ଟିକୋଣକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି । ପୁରୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଜୀଙ୍କ ପ୍ରତ୍ୟକ୍ଷ ସାନ୍ନିଧ୍ୟରେ ରଚିତ ଏହି ଗ୍ରନ୍ଥ ଜଗନ୍ନାଥ ତତ୍ତ୍ୱକୁ ଲୋକଲୋଚନକୁ ଆଣିବାରେ ଏକ ବଳିଷ୍ଠ ମାଧ୍ୟମ ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ସେ ସମୟରେ ବଳରାମ ଦାସଙ୍କ ଲକ୍ଷ୍ମୀପୂରାଣ ମାଧ୍ୟମରେ ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ମହିଳା ସଶକ୍ତିକରଣ, ସ୍ୱଚ୍ଛତା ଏବଂ ସାମାଜିକ ସମାନତାର ଯେଉଁ ବାର୍ତ୍ତା ଦିଆଯାଇଛି, ତାହା ଆଜିର ଆଧୁନିକ ସରକାରୀ ନୀତି ଓ ସଂସ୍କାରର ପ୍ରତିଫଳନ । ସେହିପରି ମହାପ୍ରଭୁଙ୍କ ‘ମହାପ୍ରସାଦ’କୁ ଏକ ସନ୍ତୁଳିତ ଖାଦ୍ୟ ପ୍ରଣାଳୀ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ରଥଯାତ୍ରା ଓ ‘ମହାପ୍ରସାଦ’ ପରମ୍ପରା ସମାଜରେ ସମାନତାର ଜ୍ୱଳନ୍ତ ଉଦାହରଣ । ଅବଢାରେ ପ୍ରୋଟିନ୍ ଓ ଭିଟାମିନର ସଠିକ୍ ସମନ୍ୱୟ ରହିଛି, ଯାହା ପୋଷଣର ବାର୍ତ୍ତା ଦିଏ । ଶ୍ରୀମନ୍ଦିର ସହ ଜଡ଼ିତ ସେବାୟତ ଗୋଷ୍ଠୀ ଏବଂ ଫୁଲ ବିକାଳୀଙ୍କ ଠାରୁ ଆରମ୍ଭ କରି ରୋଷେଇଆଙ୍କ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଏକ ‘ସର୍କୁଲାର ଇକୋନୋମୀ’ ବା ସ୍ୱୟଂସମ୍ପୂର୍ଣ୍ଣ ଅର୍ଥନୀତିର ଶ୍ରେଷ୍ଠ ମଡେଲ୍ ।
କେନ୍ଦ୍ରମନ୍ତ୍ରୀ ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଏହି ପୁସ୍ତକ ପଢ଼ିବା ସହ ଅଣ-ଓଡ଼ିଆ ବନ୍ଧୁମାନଙ୍କୁ ଉପହାର ଦେବା ପାଇଁ ଅନୁରୋଧ କରିଛନ୍ତି, ଯାହାଦ୍ୱାରା ଓଡ଼ିଶାର କଳା, ସଂସ୍କୃତି ଓ ଜଗନ୍ନାଥ ଚେତନା ବିଶ୍ୱବ୍ୟାପୀ ହୋଇପାରିବ । ଏହି ପୁସ୍ତକ ପାଠକମାନଙ୍କୁ, ବିଶେଷ କରି ଯୁବପିଢ଼ିଙ୍କୁ ଜଗନ୍ନାଥ ସଂସ୍କୃତିର ଗଭୀରତା ବିଷୟରେ ଜାଣିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି । ଏହି ଅବସରରେ ସେ ଲେଖକଙ୍କ ସମେତ ପ୍ରକାଶକ ଶ୍ରୀ ରବୀନ୍ଦ୍ର ନାଥ ପ୍ରଧାନ ଏବଂ ସହଯୋଗୀ ଅନୁଷ୍ଠାନ ଶ୍ରୀ ନୀଳାଚଳ ସେବା ସଂଘକୁ ସାଧୁବାଦ ଜଣାଇଛନ୍ତି।
ଏହି ବିମୋଚନ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଶ୍ରୀ ନୀଳାଚଳ ସେବା ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
