ଷଷ୍ଠ ଥର ବିଶ୍ୱ ବିଜୟୀ ହେଲା ଭାରତ। । ୨୦୦୦, ୨୦୦୮, ୨୦୧୨, ୨୦୧୮ ଏବଂ ୨୦୨୨ରେ ପରେ ଏବେ ୨୦୨୬ର ଟାଇଟଲ ହାତେଇଲା। ଶୁକ୍ରବାର ହରାରେର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିବା ଅଣ୍ଡର-୧୯ ପୁରୁଷ ବିଶ୍ୱକପ୍ ୨୦୨୬ର ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୦୦ ରନ୍ରେ ପରାସ୍ତ କରିଛି।
ଆଜିର ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍ ଇଣ୍ଡିଆର ବ୍ୟାଟରମାନେ ଧୂଆଁଦାର ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୪୧୨ ରନ୍ରେ ପାହାଡ଼ ଛିଡ଼ା କରିଥିଲେ। ଫାଇନାଲ ମୁକାବିଲାରେ ଏତେବଡ଼ ସ୍କୋର ଟାର୍ଗେଟ୍ ଆଗରେ ପୂର୍ବରୁ ଚାପଗ୍ରସ୍ତ ଥିବା ଇଂଲଣ୍ଡ ୪୦.୨ ଓଭରରେ ୩୧୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି।
ଏହା ଭାରତର ଲଗାତାର ଷଷ୍ଠ ଏବଂ ମୋଟ ଦଶମ ଫାଇନାଲ୍ ମୁକାବିଲା ଥିଲା। ଅନ୍ୟପକ୍ଷରେ, ଇଂଲଣ୍ଡ କେବଳ ଥରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତିପାରିଛି। ଇଂଲଣ୍ଡ ୧୯୯୮ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ହାତେଇଥିଲା।
ଶୁକ୍ରବାର ଫାଇନାଲ ମୁକାବିଲାରେ ଇଂଲଣ୍ଡ ଟିମ୍ର ଆରମ୍ଭ ଭଲ ନଥିଲା। ଟିମ୍ ଜୋସେଫ୍ ମୁର୍ସ(ମାତ୍ର ୧୭ ରନ୍)ଙ୍କ ୱିକେଟକୁ ବଡ଼ ସହଜରେ ହରାଇଥିଲା। ଏହାପରେ ବେନ୍ ଡକିନ୍ସ ଏବଂ ବେନ୍ ମେସ୍ ଦ୍ୱିତୀୟ ୱିକେଟ୍ ପାଇଁ ୭୪ ରନ୍ ଯୋଡ଼ିଥିଲେ। ଖିଲାନ୍ ପଟେଲ ମେସଙ୍କୁ ଆଉଟ୍ କରି ଏହି ପାର୍ଟନର୍ସିପ୍ ଭାଙ୍ଗିଥିଲେ। ମେସ୍ ୨୭ ବଲ୍ ରୁ ୪୫ ରନ୍ କରିଥିଲେ। ଭାରତୀୟ ଦଳର ତୃତୀୟ ସଫଳତା ଇଂଲଣ୍ଡ ଅଧିନାୟକ ଥମାସ୍ ରେଭ୍ ଙ୍କ ରୂପରେ ଆସିଥିଲା, ଯିଏ ୩୧ ରନ୍ କରି ଆଉଟ୍ ହୋଇଥିଲେ।
ଓପନର ବେନ୍ ଡକିନ୍ସ ଅର୍ଦ୍ଧଶତକ ହାସଲ କରିବା ପରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ଆୟୁଷ ମହାତ୍ରେ ଡକିନ୍ସଙ୍କ ୱିକେଟ ନେଇଥିଲେ। ଡକିନ୍ସ ୫୬ ବଲରୁ ୬୬ ରନ୍ କରିଥିଲେ। ଯେଉଁଥିରେ ୭ଟି ଚୌକା ଏବଂ ଦୁଇଟି ଛକା ସାମିଲ ଥିଲା। ରାଲଫି ଆଲବର୍ଟ (୦), ଫରହାନ୍ ଅହମ୍ମଦ (୧), ଏବଂ ସେବାଷ୍ଟିଆନ୍ ମୋର୍ଗାନ୍ (୦) ଆଉଟ୍ ହୋଇଥିଲେ। ମୋର୍ଗାନ୍ ଆଉଟ ହେବା ସମୟରେ ଇଂଲଣ୍ଡ ୧୭୭/୭ ରନ୍ କରିଥିଲା।
