ଶିକ୍ଷା ହିଁ ସମାଜର ମୁକ୍ତିର ମାର୍ଗ – ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷା ହିଁ ସମାଜର ମୁକ୍ତିର ମାର୍ଗ – ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷା ହିଁ ସମାଜର ମୁକ୍ତିର ମାର୍ଗ । ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ଭଳି ଜନନାୟକମାନେ ବିଶ୍ୱାସ କରୁଥିଲେ ଯେ କେବଳ ପାଠ ପଢ଼ିବା ଶିକ୍ଷା ନୁହେଁ, ବରଂ ଶିକ୍ଷା ହେଉଛି ଅନ୍ଧକାରରୁ ଆଲୋକକୁ ଯିବାର ଏକ ମାଧ୍ୟମ । ଏହି ବିଚାରରେ ସେ କଣିହାଁ ଠାରେ ଏକ ଶିକ୍ଷାନୁଷ୍ଠାନ ସଦୃଶ ଏକ ମଞ୍ଜି ବୁଣିଥିଲେ, ଯାହା ଏବେ ପିଏମ୍ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମରେ ନାମିତ ହୋଇ ବଟ୍ଟବୃକ୍ଷର ରୂପ ନେଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ତଥା ‘ପ୍ଲାଟିନମ୍ ଜୁବିଲି’ ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟିଙ୍କ ସହ ଯୋଗଦେବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି, ଆଜି କେବଳ ଏହି ଅନୁଷ୍ଠାନର ୭୫ ବର୍ଷ ପୂର୍ତ୍ତିର ଉତ୍ସବ ନୁହେଁ, ବରଂ ଆଜି ହେଉଛି ଏହି ମାଟିର ମହାନ ସଂଗ୍ରାମୀ, ଆମ ସମସ୍ତଙ୍କର ପ୍ରେରଣାର ସ୍ରୋତ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ପବିତ୍ର ମୋହନ ପ୍ରଧାନଙ୍କ ପବିତ୍ର ଜୟନ୍ତୀ । ତାଙ୍କ ଦ୍ୱାରା ଗଢା ହୋଇଥିବା ଶିକ୍ଷାନୁଷ୍ଠାନରୁ ପାଠପଢି ଆମ ଅଞ୍ଚଳର ପିଲାମାନେ ଡାକ୍ତର ହେବା ସହ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି, ଯାହା ଏକ ବଡ଼ ଉପଲବ୍ଧି ।

ନିଜ ଅଭିଭାଷଣରେ ଶ୍ରୀ ପ୍ରଧାନ ଆଗାମୀ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବିଷୟରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ୨୦୩୬ ମସିହାରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ ଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ଶତାବ୍ଦୀ ପୂରଣ କରିବ । ସେହି ସମୟରେ ଏହି ଶିକ୍ଷାନୁଷ୍ଠାନର ଦାୟିତ୍ୱ ଆହୁରି ଅଧିକ ରହିବ । ଆମର ଯୁବପିଢ଼ି କେବଳ ଚାକିରି ପଛରେ ନଗୋଡ଼ାଇ ‘ୱେଲଥ କ୍ରିଏଟର’ ବା ଉଦ୍ୟୋମୀ ହେବା ପାଇଁ ସଂକଳ୍ପ କରିବା ଉଚିତ୍ । ସମସ୍ତେ ପବିତ୍ର ମୋହନ ପ୍ରଧାନଙ୍କ ଆଦର୍ଶ ଓ ପ୍ରେରଣାରେ ଉଦବୁଦ୍ଧ ହୋଇ ଏହି ଅଞ୍ଚଳରେ ଶିକ୍ଷାର ବ୍ୟାପକ ବିକାଶ କରାଇବା ପାଇଁ ସେ ଆହ୍ୱାନ କରିଛନ୍ତି ।

ଉତ୍ସବ ଅବସରରେ ବିଦ୍ୟାଳୟର ବାର୍ଷିକ ସ୍ମରଣିକା ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା, ଯାହାକୁ ପ୍ରଶଂସା କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହି ପୁସ୍ତକ ପଢ଼ିବା ଦ୍ୱାରା ପିଲାଙ୍କ ମଧ୍ୟରେ ଦେଶପ୍ରେମ ଓ ବୌଦ୍ଧିକ ବିକାଶ ଘଟିବ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ଏଥିସହ ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ପବିତ୍ରନଗର ଠାରେ ଲୋକାର୍ପିତ ହୋଇଥିବା ‘ପବିତ୍ର ମୋହନ ପ୍ରଧାନ ସ୍ମୃତିପୀଠ’ ପରିଦର୍ଶନ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

Posted in ରାଜ୍ୟ, ରାଜନୀତି and tagged , .