ଜ୍ଞାନ ହିଁ ଭାରତ ଓ ଫ୍ରାନ୍ସ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ସେତୁ । ‘ରଶ୍’ କାର୍ଯ୍ୟକ୍ରମ ଦ୍ୱାରା ଉଭୟ ଦେଶ ମଧ୍ୟରେ ଏକାଡେମିକ ଏବଂ ଗବେଷଣା କ୍ଷେତ୍ରରେ ନୂତନ ଉର୍ଜା ସୃଷ୍ଟି ହେବ । ବୁଧବାର ଏମ୍ସ, ନୂଆଦିଲ୍ଲୀ ଠାରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଉଚ୍ଚସ୍ତରୀୟ ଏକାଡେମିକ ଏବଂ ବୈଜ୍ଞାନିକ ସମ୍ମିଳନୀ ‘ରଶ’ ର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଫ୍ରାନ୍ସର ଡିଜିଟାଲ ବ୍ୟାପାର ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଆମ୍ବାସେଡର କ୍ଲାରା ଚାପାଜ୍ ମଧ୍ୟ ଉପସ୍ଥିତ ଥିଲେ ।
ଏହି ସମ୍ମିଳନୀରେ ଇଣ୍ଡୋ-ଫ୍ରେଞ୍ଚ୍ କର୍ପୋରେସନ ଅର୍ଥାତ୍ ଭାରତ-ଫ୍ରାନ୍ସ ସହଯୋଗର ଭବିଷ୍ୟତ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଉଭୟ ଦେଶର ବିଶିଷ୍ଟ ଶିକ୍ଷାବିତ୍, ଗବେଷକ ଏବଂ ନବସୃଜନକାରୀମାନଙ୍କୁ ସ୍ୱାଗତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ଏହାର ସଠିକ୍ ଉପଯୋଗ କରିବା ପାଇଁ ମିଳିତ ସହଯୋଗର ଆବଶ୍ୟକତା ରହିଛି । ଅତ୍ୟାଧୁନିକ ଗବେଷଣା ଏବଂ ନବସୃଜନ ମାଧ୍ୟମରେ ଦୀର୍ଘକାଳୀନ ସମୃଦ୍ଧି, ସ୍ଥାୟୀ ବିକାଶ ସହ ବିଶ୍ୱ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉଭୟ ଦେଶର ପ୍ରାଥମିକତାରେ ରହିଛି । ଏହି ଉଚ୍ଚସ୍ତରୀୟ ବୈଠକ ଆଗାମୀ ଦିନରେ ଭାରତ-ଫ୍ରାନ୍ସ ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭାରତ-ଫ୍ରାନ୍ସ ସମ୍ପର୍କ ବିଶ୍ୱର କଲ୍ୟାଣ ଏବଂ ସ୍ଥିରତା ପାଇଁ ଏକ ପ୍ରମୁଖ ଶକ୍ତି ହେବ । ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ‘ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା’ରେ ପରିଣତ କରିବା ଦ୍ୱାରା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ଦୀର୍ଘକାଳୀନ ସହଯୋଗକୁ ଆଗାମୀ ଦଶନ୍ଧିଗୁଡ଼ିକରେ ବଡ଼ ଗତି ମିଳିବ । ଏହା ଅର୍ଥନୈତିକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା, ପାରସ୍ପରିକ ସମୃଦ୍ଧିକୁ ଆଗକୁ ବଢ଼ାଇବା ଏବଂ ଏକ ନିୟମ-ଭିତ୍ତିକ ବିଶ୍ୱ ବ୍ୟବସ୍ଥା ଗଠନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଦୁଇ ଦେଶ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ଧାତୁ, ସ୍ୱଚ୍ଛ ଶକ୍ତି, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ଦକ୍ଷତା ବିକାଶ ସମେତ ୨୧ଟି କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ପାଇଁ ହୋଇଥିବା ‘ଯୁଗ୍ମ ଅଭିପ୍ରାୟ ଘୋଷଣାନାମା’ ସ୍ୱାଗତଯୋଗ୍ୟ । ଏହା ବୈଷୟିକ ସହଯୋଗକୁ ପ୍ରୋତ୍ସାହିତ କରିବ, ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ ଏବଂ ଡିଜିଟାଲ୍, ବୈଷୟିକ ତଥା ଅର୍ଥନୈତିକ ପ୍ରଗତି ପାଇଁ ପଥ ପ୍ରଶସ୍ତ କରିବ । ଏହି ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ବର୍ତ୍ତମାନର ସହଯୋଗକୁ ସମୃଦ୍ଧ କରିବା ସହ ଶିକ୍ଷା, ବୈଜ୍ଞାନିକ ଜ୍ଞାନ, ଗବେଷଣା, ନବସୃଜନ, ସାଇବର ସ୍ପେସ୍, ପ୍ରତିରକ୍ଷା, ସ୍ୱାସ୍ଥ୍ୟସେବା, ଏଆଇ, ସୂକ୍ଷ୍ମ ଖଣିଜ ପଦାର୍ଥ, ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟ-ଅପ୍ କ୍ଷେତ୍ରରେ ସହଭାଗିତାର ନୂତନ ଦ୍ୱାର ଫଇଟାଇବ । ଏହି ପଦକ୍ଷେପ ଏକ ସ୍ମାର୍ଟ, ଉଜ୍ଜ୍ୱଳ ଏବଂ ସମୃଦ୍ଧ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଅପରପକ୍ଷରେ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ ଅବସରରେ ଫ୍ରାନ୍ସ ସରକାରଙ୍କ ଏଆଇର ସ୍ୱତନ୍ତ୍ର ପ୍ରତିନିଧି ଆନ୍ ବୋଭେରୋଟଙ୍କୁ ଭେଟି ଖୁସିବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଏଆଇ କ୍ଷେତ୍ରରେ ଭାରତ-ଫ୍ରାନ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜଭୂତ୍ କରିବା ପାଇଁ ଏକ ଫଳପ୍ରଦ ଆଲୋଚନା ହୋଇଛି । ଏଥିସହ ଗବେଷଣା, ନବସୃଜନ, ବିଜ୍ଞାନ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ଥିବା ସୁଯୋଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଛି । ମାନବ-କୈନ୍ଦ୍ରିକ, ଦାୟିତ୍ୱବାନ, ମୁକ୍ତ ଏବଂ ସମାବେଶୀ ଏଆଇ ଢାଞ୍ଚା ବିଶ୍ୱର ବିକାଶ ଏବଂ ସମୃଦ୍ଧି ପାଇଁ ମୁଖ୍ୟ ଚାଳକ ସାଜିବ । ବିକାଶ ଏବଂ ବିଶ୍ୱର କଲ୍ୟାଣ ପାଇଁ ଏକ ନିରାପଦ, ସୁରକ୍ଷିତ, ନୈତିକ ଏବଂ ବିଶ୍ୱାସଯୋଗ୍ୟ ଏଆଇ ବିକଶିତ କରିବାକୁ ଭାରତ ଏବଂ ଫ୍ରାନ୍ସ ଉଭୟ ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି ।
