ମାର୍ଚ୍ଚ ୧୬ରେ ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ,୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ

ମାର୍ଚ୍ଚ ୧୬ରେ ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ,୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ

ମାର୍ଚ୍ଚ ୧୬ରେ ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଏନେଇ କାର୍ଯ୍ୟସୂଚୀ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିସନ । ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୫ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟସଭା ଆସନ ଦଖଲ ପାଇଁ ଆରମ୍ଭ ହୋଇଛି ରଣନୀତି । ଖାସକରି ଚତୁର୍ଥ ଆସନକୁ ନେଇ ସବୁଠୁ ବେଶି ଚର୍ଚ୍ଚା ।ତାରିଖ ଘୋଷଣା ସହ ଓଡ଼ିଶା ରାଜନୀତିକୁ ସରଗରମ କଲାଣି ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନକୁ ନେଇ ଶଙ୍କା ଯେତିକି, ସସପେନ୍ସ ସେତିକି । ହେଲେ ଏହାରି ଭିତରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ବୟାନ ଚତୁର୍ଥ ଆସନର ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି । କହୁକହୁ ଗୌତମ କହିଛନ୍ତି, ଦକ୍ଷ ଓ ଆନୁଗତ୍ୟ ଥିବା ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବ ବିଜେଡି । ହେଲେ ଚତୁର୍ଥ ଆସନ ପାଇଁ ବଳକା ବିଧାୟକଙ୍କ ସମର୍ଥନ କାହାକୁ ଦିଆଯିବ ତାହାର ନିଷ୍ପତ୍ତି ସୁପ୍ରିମୋ ନେବେ । ଏଭଳି କହି ଗୌତମ ପରୋକ୍ଷରେ ସଂକେତ ଦେଇଛନ୍ତି, ଦଳ ଚତୁର୍ଥ ଆସନରେ ପ୍ରାର୍ଥୀ ଓହ୍ଲାଇବନି, ବରଂ ସମର୍ଥନ ଦେବ । ତେବେ କାହାକୁ ସମର୍ଥନ ଦେବ ବିଜେଡି ? ଏଭଳି ପ୍ରଶ୍ନ ରାଜନୈତିକ ମହଲରେ ଉଙ୍କି ମାରିଲାଣି ।ଚତୁର୍ଥ ଆସନ ପାଇଁ କୌଣସି ଦଳ ପାଖରେ ଆବଶ୍ୟକୀୟ ସଂଖ୍ୟା ନାହିଁ । ତଥାପି କଂଗ୍ରେସ ରାଜ୍ୟସଭା ରଣାଙ୍ଗନକୁ ଲମ୍ଫ ଦେବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ପ୍ରଥମେ ବିଜେଡିର ସହଯୋଗ ଲୋଡ଼ିଥିଲା ଦଳ । ନବୀନଙ୍କୁ ସମୟ ମାଗିଥିଲେ ଦଳ ମୁଖିଆ ଭକ୍ତ ଦାସ । ହେଲେ ପିସିସି ସଭାପତିଙ୍କୁ ସମୟ ନଦେଇ କଂଗ୍ରେସକୁ ସମର୍ଥନର ବାଟ ଏକପ୍ରକାର ବନ୍ଦ କରିଥିଲେ ବିଜେଡି ସୁପ୍ରିମୋ । ତେଣୁ ବିଜେପି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ସମ୍ଭାବନା ଅଧିକ ବଢିଛି । ଏସବୁ ଭିତରେ ଦମ୍ଭ ଦେଖାଇ ବିଜେପି କହିଛି, ୩ଟି ଆସନ ହାତେଇବ ଦଳ । କଂଗ୍ରେସ କହିଛି, ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ଆଗକୁ ବଢିବୁ ।ପୂର୍ବରୁ ରାଜ୍ୟସଭା ନିର୍ବାଚନରେ ନବୀନଙ୍କ ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି । ତେଣୁ ଚତୁର୍ଥ ଆସନ ପାଇଁ ବିଜେଡି ସୁପ୍ରିମୋ କେଉଁ ସରପ୍ରାଇଜ କାର୍ଡ ଖେଳିବେ ତାହା ଉପରେ ରହିବ ନଜର ।

Posted in ରାଜ୍ୟ, ରାଜନୀତି and tagged .