୩୧ଟି ନୂଆ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ମାଗିଛନ୍ତି ରାଜ୍ୟ ସରକାର

୩୧ଟି ନୂଆ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ମାଗିଛନ୍ତି ରାଜ୍ୟ ସରକାର

ଦୀର୍ଘ ଦିନ ଧରି ନୂଆ ଜିଲ୍ଲା ଗଠନ ପାଇଁ ଦାବି ହୋଇଆସୁଛି । ଆଉ ଏଥିପାଇଁ ପାଦେ ଆଗକୁ ବଢ଼ିଛନ୍ତି ସରକାର । ୨୦୨୬-୨୭ ଆର୍ଥିକ ବର୍ଷରେ ନୂଆ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ମାଗିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ୩୧ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ରାଜ୍ୟ ସରକାରଙ୍କୁ ହସ୍ତଗତ ହୋଇଛି । ଉପଯୁକ୍ତ ସମୟରେ ସରକାର ବିଚାର କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ ପରେ ବଦଳିପାରେ ଜିଲ୍ଲାର ରୂପ ରେଖ। ଜିଲ୍ଲା ସଂଖ୍ୟା ୩୦ରୁ ବଢ଼ିପାରେ । ଏନେଇ ବିଧାନସଭାରେ ଲିଖିତ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ସ୍ବାଧୀନ ବଧାୟକ ବିଜୟ ଦଳବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୩୧ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି । ସମସ୍ତ ମାନଦଣ୍ଡ ତଥା ପ୍ରଚଳିତ ନୀତି ନିୟମ ଆଧାରରେ ନୂତନ ଜିଲ୍ଲା ଗଠନ ପାଇଁ ଉପଯୁକ୍ତ ସମୟରେ ସରକାର ବିଚାର କରିବେ ।ପଦ୍ମପୁର, ଘୁମୁସର, ରାଇରଙ୍ଗପୁର ସମେତ ରାଜ୍ୟର ୩୦ରୁ ଅଧିକ ଅଂଚଳରୁ ଦୀର୍ଘ ଦିନ ହେବ ସ୍ବତନ୍ତ୍ର ଜିଲ୍ଲା ଦାବି ହୋଇ ଆସୁଛି। ଜିଲ୍ଳା ଦାବିରେ ଆନ୍ଦୋଳନ ବି ହୋଇଛି। ଦୀର୍ଘ ଦିନର ଆନ୍ଦୋଳନ ପରେ ବରଗଡ଼ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ପୂର୍ବ ସରକାର ଘୋଷଣା କରିଥିଲେ । ହେଲେ, ତାହା କେବଳ ଘୋଷଣାରେ ରହିଯାଇଛି ।ଜନସଂଖ୍ୟା, ଯାତାୟତ ଓ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ମୟୂରଭଞ୍ଜର ରାଇରଙ୍ଗପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ଦାବି ହୋଇ ଆସୁଛି । ଗଞ୍ଜାମ ଜିଲ୍ଳା ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକକୁ ନେଇ ଘୁମୁସର ଜିଲ୍ଲା ଗଠନ ପାଇଁ ଦାବି କରି ଆସୁଛି ଭଞ୍ଜନଗର କ୍ରିୟାନୁଷ୍ଠାନ କମିଟି । ସାଧାରଣ ସଭା ସାଂଗକୁ ବନ୍ଦ ପାଳନ ଓ ଆନ୍ଦୋଳନ ଜାରି ରହିଛି । 
ରାଜ୍ୟରେ ସବଡିଭିଜନ ସଂଖ୍ୟା ମଧ୍ୟ ବଢ଼ିପାରେ । ନୂଆ ୬୬ ଟି ନୂଆ ସବ୍‌ଡିଭିଜନ୍‌ ଗଠନ ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରହିଛି । ନୂଆ ପ୍ରସ୍ତାବ ଗୁଡିକୁ ନେଇ ସରକାର ବିଚାର କରୁଛନ୍ତି । ବରଗଡ଼,  ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ ସର୍ବାଧିକ ପ୍ରସ୍ତାବ ଆସିଛି । 

Posted in ରାଜ୍ୟ and tagged .