ବିଶ୍ୱଯୁଦ୍ଧ ଆଶଙ୍କା: ଟ୍ରମ୍ପଙ୍କ ଚେତାବନୀ ପରେ ଇରାନ ଉପରେ ବଡ଼ ଧରଣର ଆକ୍ରମଣ, ଗ୍ୟାସ୍ ପ୍ଲାଣ୍ଟକୁ ଟାର୍ଗେଟ କଲା ଇସ୍ରାଏଲ

ବିଶ୍ୱଯୁଦ୍ଧ ଆଶଙ୍କା: ଟ୍ରମ୍ପଙ୍କ ଚେତାବନୀ ପରେ ଇରାନ ଉପରେ ବଡ଼ ଧରଣର ଆକ୍ରମଣ, ଗ୍ୟାସ୍ ପ୍ଲାଣ୍ଟକୁ ଟାର୍ଗେଟ କଲା ଇସ୍ରାଏଲ

ତେହେରାନ: ପଶ୍ଚିମ ଏସିଆରେ ଯୁଦ୍ଧର ନିଆଁ ଆହୁରି ଭୟଙ୍କର ରୂପ ଧାରଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀର କିଛି ଘଣ୍ଟା ମଧ୍ୟରେ ଇରାନର ସବୁଠାରୁ ବଡ଼ ପ୍ରାକୃତିକ ଗ୍ୟାସ ଫିଲ୍ଡ ‘ସାଉଥ ପାର୍ସ’ (South Pars) ଉପରେ ବଡ଼ ଧରଣର ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ଇରାନ ସିଧାସଳଖ ଆମେରିକା ଓ ଇସ୍ରାଏଲକୁ ଦାୟୀ କରିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ଏହି ଟାର୍ଗେଟକୁ ନେଇ ବଡ଼ ବୟାନ ଦେଇଛନ୍ତି।

ଅର୍ଥନୀତିର ମେରୁଦଣ୍ଡ ଉପରେ ପ୍ରହାର

ସୂଚନା ଅନୁଯାୟୀ, ଇସ୍ରାଏଲ ସେନା ଇରାନର ଅସଲୁୟେହରେ ଥିବା ଦକ୍ଷିଣ ପାର୍ସ ପେଟ୍ରୋକେମିକାଲ ପ୍ଲାଣ୍ଟକୁ ଟାର୍ଗେଟ କରିଛି। ଏହି ପ୍ଲାଣ୍ଟ ଇରାନର ସମୁଦାୟ ପେଟ୍ରୋକେମିକାଲ ଉତ୍ପାଦନର ପ୍ରାୟ ୫୦ ପ୍ରତିଶତ ଭାର ବହନ କରିଥାଏ। ଏହା ଉପରେ ଆକ୍ରମଣ କରି ଇସ୍ରାଏଲ ଇରାନର ଅର୍ଥନୀତିକୁ ପଙ୍ଗୁ କରିବାକୁ ଚେଷ୍ଟା କରିଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଇସ୍ରାଏଲ ପକ୍ଷରୁ ଇରାନର ୩ଟି ପ୍ରମୁଖ ଏୟାରପୋର୍ଟ ଉପରେ ମଧ୍ୟ ରକେଟ୍ ମାଡ଼ କରାଯାଇଛି।

ଟ୍ରମ୍ପଙ୍କ ଚେତାବନୀ ଓ ଭୟଙ୍କର ପରିଣାମ

ନିକଟରେ ଡୋନାଲ୍ଡ ଟ୍ରମ୍ପ ସତର୍କ କରାଇ ଦେଇଥିଲେ ଯେ ଚଳିତ ସପ୍ତାହରେ ଇରାନର ବିଜୁଳି ପ୍ଲାଣ୍ଟ ଓ ବ୍ରିଜ୍ ଉପରେ ଆକ୍ରମଣ ହୋଇପାରେ। ଟ୍ରମ୍ପଙ୍କ ଏହି ବୟାନ ପରେ ହୋଇଥିବା ଆକ୍ରମଣ ପଶ୍ଚିମ ଏସିଆର ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।

ସାଉଥ ପାର୍ସ ହେଉଛି ଦୁନିଆର ସବୁଠାରୁ ବଡ଼ ପ୍ରାକୃତିକ ଗ୍ୟାସ ଭଣ୍ଡାର। ଏହା ଇରାନ ଏବଂ କାତାର ମଧ୍ୟରେ ଭାଗ ହୋଇଛି। ଇରାନ ନିଜର ଘରୋଇ ଗ୍ୟାସ ଓ ବିଜୁଳି ଆବଶ୍ୟକତା ପାଇଁ ସମ୍ପୂର୍ଣ୍ଣ ଭାବେ ଏହି ଫିଲ୍ଡ ଉପରେ ନିର୍ଭର କରିଥାଏ। ଏହା ଉପରେ ଆକ୍ରମଣ ହେବା ଫଳରେ ସାରା ଇରାନରେ ବିଦ୍ୟୁତ୍ ଓ ଗ୍ୟାସ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି।

Posted in ଦେଶ ବିଦେଶ and tagged .