ମେଦିନିପୁର : “ଭାରତୀୟ ଜନତା ପାର୍ଟି କେବଳ ଏକ ରାଜନୈତିକ ଦଳ ନୁହେଁ, ବରଂ ଜନସେବାର ଏକ ଅନୁଷ୍ଠାନ। କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ନିରନ୍ତର ତ୍ୟାଗ ଓ ପରିଶ୍ରମ ଯୋଗୁଁ ଆଜି ବିଜେପି ବିଶ୍ୱର ସର୍ବବୃହତ ସଂଗଠନ ହୋଇପାରିଛି।” ପଶ୍ଚିମବଙ୍ଗର ଏଗ୍ରା ଠାରେ ଆୟୋଜିତ ଦଳର ୪୭ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।
‘ମେରା ବୁଥ୍ ସବସେ ମଜବୁତ୍’ ହିଁ ସଂଗଠନର ମେରୁଦଣ୍ଡ
ପଶ୍ଚିମବଙ୍ଗ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ଏଗ୍ରା ଓ ମେଦିନୀପୁରର ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେ କହିଥିଲେ ଯେ, ‘ମେରା ବୁଥ୍ ସବସେ ମଜବୁତ୍’ କେବଳ ଏକ ସ୍ଲୋଗାନ ନୁହେଁ, ଏହା ଆମ ସଂଗଠନର ପ୍ରକୃତ ଶକ୍ତି। ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସିଧାସଳଖ ଆଲୋଚନା କରି ସେ ସ୍ଥାନୀୟ ସମସ୍ୟା ଓ ସାଂଗଠନିକ ସ୍ଥିତିର ସମୀକ୍ଷା କରିବା ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।
ଅନ୍ତ୍ୟୋଦୟ ଓ ବିକଶିତ ଭାରତର ସଂକଳ୍ପ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଅନ୍ତ୍ୟୋଦୟ’ ମନ୍ତ୍ରକୁ ପାଥେୟ କରି ବିକଶିତ ଭାରତ ଗଠନରେ ବଙ୍ଗଳାର କାର୍ଯ୍ୟକର୍ତ୍ତାମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସେ ପ୍ରକାଶ କରିଥିଲେ। ଦଳର ପ୍ରତିଷ୍ଠାତା ଓ ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେ କହିଥିଲେ ଯେ, ବିଜେପି ସର୍ବଦା ଐତିହ୍ୟ ଏବଂ ବିକାଶର ପ୍ରେରଣାରେ ପ୍ରତିଟି ନାଗରିକଙ୍କ ସେବା ପାଇଁ ଅଟଳ ରହିଛି।
ଝାଡ଼ଗ୍ରାମରୁ ମେଦିନୀପୁର: ସଂଗଠନକୁ ଶାଣିତ କଲେ ଧର୍ମେନ୍ଦ୍ର
ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପୂର୍ବି ମେଦିନୀପୁର ବାଲିଘାଇ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହା ପୂର୍ବରୁ ସେ ଝାଡ଼ଗ୍ରାମ ଠାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢ଼ାଇଥିଲେ। ବଙ୍ଗଳାର ଗାଁ-ଗାଁକୁ ସଂଗଠନର ବିଚାରଧାରା ପହଞ୍ଚାଉଥିବା କର୍ମଠ କାର୍ଯ୍ୟକର୍ତ୍ତାଙ୍କୁ ସେ ସାଧୁବାଦ ଜଣାଇଥିଲେ।
