ରାଜ୍ୟସଭା ଇତିହାସରେ ପ୍ରଥମ । ଶପଥ ନେଲେ ତୃତୀୟଲିଙ୍ଗୀ ସାଂସଦ ।ଏହି ଅବସରରେ ଭାରତୀୟ ସଂସଦୀୟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଦେଶର ପ୍ରଥମ ତୃତୀୟ ଲିଙ୍ଗୀ ସାଂସଦ ଭାବେ ମେନକା ଗୁରୁସ୍ୱାମୀ (ଟିଏମସି) ଶପଥ ଗ୍ରହଣ କରିଛନ୍ତି।
ସୋମବାର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୧୯ ସାଂସଦ ସୋମବାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ସଭାପତି ସି.ପି ରାଧାକ୍ରିଷ୍ଣନ,ଉପସଭାପତି ହରିବଂଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ଉପସ୍ଥିତିରେ ରାଜ୍ୟସଭା ଚାମ୍ବରରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାରାଷ୍ଟ୍ରର ୫ ସାଂସଦ,ଓଡ଼ିଶାର ୩,ତାମିଲନାଡୁର ୬ ଏବଂ ପଶ୍ଚିମବଙ୍ଗର ୫ ରାଜ୍ୟସଭା ସଦସ୍ୟ ଶପଥ ନେଇଥିଲେ ।
ପେଶାରେ ଓକିଲ
ବରିଷ୍ଠ ଓକିଲ ମେନକା(୫୧) ସାର୍ବଜନିନ ଭାବେ ନିଜକୁ ଏଲଜିବିଟିକ୍ୟୁ ପ୍ଲସ୍ ସମ୍ପ୍ରଦାୟର ବୋଲି ପରିଚିତ କରାଇଛନ୍ତି। ୨୦୧୮ର ସେହି ଐତିହାସିକ ଆଇନଗତ ଲଢ଼େଇରେ ବିଜୟର ଅନ୍ୟତମ ଶ୍ରେୟ ମେନକାଙ୍କୁ ଯାଇଥାଏ । ୨୦୧୮ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିଥିଲେ।
କିଏ ମେନକା
ମେନକା ସୁପ୍ରିମକୋର୍ଟରେ ବରିଷ୍ଠ ଅଧିବକ୍ତା ଭାବେ କାର୍ଯ୍ୟ କରନ୍ତି ।୧୯୯୭ରେ ସେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ଅଶୋକ ଦେଶାଇଙ୍କ ସହ କାମ କରିଥିଲେ । ଅଶୋକଙ୍କୁ ସେ ଗୁରୁ ଭାବେ ମାନିଥାନ୍ତି । ଓକିଲାତି କରିବା ବେଳେ ସେ ଅନେକ କିଛି ଶିଖିବାକୁ ପାଇଥିଲେ ।
ଦେଢବର୍ଷ ଧରି ଅଶୋକ ଦେଶାଇଙ୍କ ପାଖରେ କାମ କରିବା ପରେ ମେନକା ବିଦେଶ ଚାଲି ଯାଇଥିଲେ । ସେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ୨୦୦୧ରେ ସିଭିଲ୍ ଲ’ ପାଠ୍ୟକ୍ରମ ପଢିଥିଲେ । ଏହାପରେ ହାଭାର୍ଡରେ ଆଇନରେ ମାଷ୍ଟର୍ସ କରିଥିଲେ । ନ୍ୟୁୟର୍କରେ ମଧ୍ୟ ସେ କାମ କରିଛନ୍ତି ।
