ଦୀର୍ଘ ୪ ବର୍ଷ ପରେ ୟୁକ୍ରେନ ଯୁଦ୍ଧରେ ଲାଗିପାରେ ବିରାମ

ଦୀର୍ଘ ୪ ବର୍ଷ ପରେ ୟୁକ୍ରେନ ଯୁଦ୍ଧରେ ଲାଗିପାରେ ବିରାମ

ଦୀର୍ଘ ୪ ବର୍ଷ ପରେ ୟୁକ୍ରେନ ଯୁଦ୍ଧରେ ଲାଗିପାରେ ବିରାମ । ରୁଷ ଏବଂ ୟୁକ୍ରେନ ଖୁବଶୀଘ୍ର ଏକ ଶାନ୍ତି ଚୁକ୍ତି କରିପାରନ୍ତି ବୋଲି ବ୍ଲୁମବର୍ଗରେ ରିପୋର୍ଟ ପ୍ରକାଶ ପାଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଏବଂ ତାଙ୍କର ଜଣେ ନିକଟତମ ସହଯୋଗୀ ଏନେଇ ସୂଚନା ଦେଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୟୁକ୍ରେନ ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ କିରିଲୋ ବୁଡାନୋଭ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ଏକ ରାଜିନାମା ହେଲା ଭଳି ମନେ ହେଉଛି ।

କେବେ ହେବ ଘୋଷଣା ?
ରିପୋର୍ଟ ଅନୁଯାୟୀ, ବୁଡାନୋଭ କହିଛନ୍ତି ଯେ, ‘ଏବେ ପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ହୋଇନଥିଲେ ସୁଦ୍ଧା ଆଗକୁ ଶାନ୍ତି ଚୁକ୍ତି ହେବାର ସମ୍ଭାବନା ଅଧିକ ରହିଛି । ରୁଷ ଏବଂ ୟୁକ୍ରେନ ବର୍ତ୍ତମାନ ସମୟରେ ନିଜ ନିଜର ସୀମା ଜାଣିସାରିଲେଣି । କେବେ ଏବଂ କେତେବେଳେ ଯୁଦ୍ଧ ବନ୍ଦ କରିବା ଦରକାର ଉଭୟ ଦେଶ ଭଲ ଭାବରେ ବୁଝିସାରିଛନ୍ତି । ବୁଡାନୋଭ୍ ଏପ୍ରିଲ ୪ରେ ବ୍ଲୁମବର୍ଗକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ‘ସେମାନେ (ରୁଷ ଏବଂ ୟୁକ୍ରେନ) ବୁଝିସାରିଛନ୍ତି ଯୁଦ୍ଧ ବନ୍ଦ ହେବା ନିହାତି ଆବଶ୍ୟକ । ସେଥିପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି । ମୋତେ ଲାଗୁନି ଏକ ଶାନ୍ତି ଚୁକ୍ତ ପାଇଁ ଅଧିକ ସମୟ ଲାଗିବ ।’

ବୁଡାନୋଭଙ୍କୁ ଜାନୁଆରୀରେ ଜେଲେନସ୍କିଙ୍କ କାର୍ଯ୍ୟାଳୟର ମୁଖ୍ୟ ନିଯୁକ୍ତ କରାଯାଇଥିଲା ଏବଂ ସେ କିଭ୍ ଏବଂ ମସ୍କୋ ମଧ୍ୟରେ ଆମେରିକା ମଧ୍ୟସ୍ଥତାରେ ଚାଲିଥିବା ଆଲୋଚନାରେ ୟୁକ୍ରେନର ମୁଖ୍ୟ ହୋଇଛନ୍ତି। ଚଳିତ ବର୍ଷ ଅନେକ ପର୍ଯ୍ୟାୟ ଆଲୋଚନାରେ ଏକମାତ୍ର ‘ଯୁଦ୍ଧବନ୍ଦୀ ବିନିମୟ’ ଫଳାଫଳ ମିଳିଥିଲା । ମାର୍ଚ୍ଚ ମାସରେ, ୟୁକ୍ରେନ୍ ଏବଂ ରୁଷ ୫୦୦ ଯୁଦ୍ଧବନ୍ଦୀ ବିନିମୟ କରିଥିଲେ। ୟୁକ୍ରେନୀୟ ଅଧିକାରୀମାନେ କହିଛନ୍ତି ଯେ, ଇଷ୍ଟର ପୂର୍ବରୁ ଆଉ ଏକ ଯୁଦ୍ଧବନ୍ଦୀ ବିନିମୟ ହୋଇପାରେ ।

୩୨ ଘଣ୍ଟାର ଅସ୍ତ୍ରବିରତି ଘୋଷଣା
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଇଷ୍ଟର ପାଇଁ ଯୁଦ୍ଧବିରାମ ପାଇଁ ରାଜି ହୋଇଛନ୍ତି। ରୁଷ ଇଷ୍ଟର ପାଇଁ ୩୨ ଘଣ୍ଟାର ଯୁଦ୍ଧବିରତି ଘୋଷଣା କରିଛି ଏବଂ ୟୁକ୍ରେନ ମଧ୍ୟ ଏଥିରେ ରାଜି ହୋଇଛି। କ୍ରେମଲିନ୍ କହିଛି ଯେ, ଏହି ଅସ୍ତ୍ରବିରତି ଶନିବାର ଅପରାହ୍ନ ୪ଟା ରୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ବୁଡାନୋଭ କହିଛନ୍ତି ଯେ, କିଭ୍ ଏବଂ ମସ୍କୋ ଚୂଡ଼ାନ୍ତ ପର୍ଯ୍ୟାୟ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଛନ୍ତି ।

Posted in ଦେଶ ବିଦେଶ and tagged .