ଭୋଟ୍ ଦେବା କିମ୍ବା ନିର୍ବାଚନ ଲଢ଼ିବା ‘ମୌଳିକ ଅଧିକାର’ ନୁହେଁ, ବାଏ-ଲଜ୍କୁ ନେଇ ଜାରି ହେଲା ସ୍ପଷ୍ଟୀକରଣ
ଭୋଟ୍ ଦେବା ଅଧିକାର ବା ନିର୍ବାଚନ ଲଢ଼ିବାର ଅଧିକାର କୌଣସି ମୌଳିକ ଅଧିକାର (Fundamental Right) ନୁହେଁ। ଏହା ଏକ ବୈଧାନିକ ବ୍ୟବସ୍ଥା ବା ଷ୍ଟାଚୁଟୋରୀ ରାଇଟ୍ (Statutory Right)। ରାଜସ୍ଥାନର ଏକ ଜିଲ୍ଲା ଦୁଗ୍ଧ ସଂଘ ନିର୍ବାଚନ ସମ୍ପର୍କିତ ବିବାଦର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଷ୍ଟିସ୍ ବିଭି ନାଗରତ୍ନା ଓ ଜଷ୍ଟିସ୍ ଆର୍ ମହାଦେବନଙ୍କ ପୀଠ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ ଭାଗୀଦାରୀ ସୁନିଶ୍ଚିତ କରିବା ମତଦାନର ଲକ୍ଷ୍ୟ। କିନ୍ତୁ ନିର୍ବାଚନ ଲଢ଼ିବାର ଅଧିକାର ଏହାଠାରୁ ଭିନ୍ନ। ନିର୍ବାଚନ ଲଢ଼ିବା ଅଧିକ କଡ଼ା ନିୟମ, ଯୋଗ୍ୟତା ଏବଂ ସଂସ୍ଥାଗତ ଆବଶ୍ୟକତା ଅଧୀନରେ ଆସିଥାଏ।
ରାଜସ୍ଥାନ ଜିଲ୍ଲା ଦୁଗ୍ଧ ଉତ୍ପାଦକ ସହକାରୀ ସଂଘର ପ୍ରାର୍ଥୀଙ୍କ ପାଇଁ କିଛି ସ୍ୱତନ୍ତ୍ର ‘ବାଏ-ଲଜ୍’ (Bye-laws) ପ୍ରସ୍ତୁତ ହୋଇଥିଲା। ଏଥିରେ ସର୍ବନିମ୍ନ ଦିନ ଏବଂ ଦୁଗ୍ଧ ଯୋଗାଣର ଗୁଣବତ୍ତା ପରି ସର୍ତ୍ତ ରହିଥିଲା। ଏହାକୁ ଅନୁଚିତ ଦର୍ଶାଇ କିଛି ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ନିୟମକୁ ରଦ୍ଦ କରିଥିବା ବେଳେ ସୁପ୍ରିମକୋର୍ଟ କିନ୍ତୁ ହାଇକୋର୍ଟଙ୍କ ତର୍କରେ ଅସହମତି ପ୍ରକାଶ କରିଛନ୍ତି।
ନ୍ୟାୟିକ ହସ୍ତକ୍ଷେପ: କେବଳ ଯେତେବେଳେ ନିୟମଗୁଡ଼ିକ ଅତ୍ୟନ୍ତ ଅନ୍ୟାୟପୂର୍ଣ୍ଣ ବା ସମ୍ବିଧାନର ମୂଳ ସିଦ୍ଧାନ୍ତକୁ ଉଲ୍ଲଙ୍ଘନ କରୁଥିବ, ସେବେ କୋର୍ଟ ହସ୍ତକ୍ଷେପ କରିବେ। ଜନପ୍ରତିନିଧି ଆଇନ ୧୯୫୦ ଓ ୧୯୫୧ ଅନୁଯାୟୀ ଏହି ଅଧିକାରଗୁଡ଼ିକ ପରିଚାଳିତ ହୁଏ। ସରକାର ଏଥିରେ ଉଚିତ୍ ସର୍ତ୍ତ ଲଗାଇପାରିବେ।
ବୟସ, ନାଗରିକତା ଏବଂ ଆପରାଧିକ ପୃଷ୍ଠଭୂମି ଆଧାରରେ କାହାକୁ ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟ ବା ଅଯୋଗ୍ୟ ଘୋଷଣା କରାଯାଇପାରିବ।
