ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧାବସ୍ଥା ମଧ୍ୟରେ ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିରଙ୍କ ଇରାନ ଗସ୍ତ ବିଶ୍ୱ ସମୁଦାୟର ନଜରକୁ ଆକର୍ଷିତ କରିଛି। ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ଥିବା ବେଳେ ମୁନିର ଜଣେ ମଧ୍ୟସ୍ଥି ଭାବେ ଉଭୟ ଦେଶ ସହ ସମ୍ପର୍କ ରଖିଛନ୍ତି। ମାତ୍ର ଏହି ସମ୍ପର୍କକୁ ନେଇ ଆମେରିକାର ଗୁଇନ୍ଦା ଓ ପ୍ରତିରକ୍ଷା ବିଶ୍ଳେଷକମାନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସତର୍କ କରାଇ ଦେଇଛନ୍ତି।
ଅସୀମ ମୁନିର ହେଉଛନ୍ତି ପ୍ରଥମ ବିଦେଶୀ ନେତା ଯିଏକି ଆମେରିକା-ଇରାନ ଉତ୍ତେଜନା ପରେ ତେହେରାନ ଗସ୍ତ କରିଛନ୍ତି। ୨୦୧୬-୧୭ରେ ପାକିସ୍ତାନ ସାମରିକ ଗୁଇନ୍ଦା ମହାନିର୍ଦ୍ଦେଶକ ଥିବା ସମୟରୁ ହିଁ ଇରାନର ଶୀର୍ଷ ନେତୃତ୍ୱ ଓ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC) ସହ ତାଙ୍କର ଘନିଷ୍ଠତା ରହିଛି।
ନିହତ କମାଣ୍ଡର କାସିମ ସୁଲେମାନୀ ଏବଂ ହୁସେନ୍ ସଲାମିଙ୍କ ସହ ମୁନିରଙ୍କ ବ୍ୟକ୍ତିଗତ ବନ୍ଧୁତା ଥିବା କୁହାଯାଉଛି। ଶାନ୍ତି ଚୁକ୍ତି ସଫଳ କରିବା ପାଇଁ ସେ ଇରାନ ରାଷ୍ଟ୍ରପତି, ବୈଦେଶିକ ମନ୍ତ୍ରୀ ଓ ସାମରିକ ମୁଖ୍ୟଙ୍କ ସହ ଆଲୋଚନା ଶେଷ କରିଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁନିରଙ୍କୁ ପ୍ରଶଂସା କରୁଥିବା ବେଳେ ବିଶ୍ଳେଷକ ବିଲ୍ ରୋଗିଓ ଏହାକୁ ଏକ ବଡ଼ ବିପଦ ବୋଲି ଦର୍ଶାଇଛନ୍ତି। ତାଙ୍କ ମତରେ:
- ପାକିସ୍ତାନ ଅତୀତରେ ଆଫଗାନିସ୍ତାନ ପ୍ରସଙ୍ଗରେ ଆମେରିକା ସହ ବନ୍ଧୁତା କରି ତାଲିବାନକୁ ସମର୍ଥନ କରିବା ଭଳି ବିଶ୍ୱାସଘାତକତା କରିଛି।
- IRGC ସହ ମୁନିରଙ୍କ ସମ୍ପର୍କ ଟ୍ରମ୍ପ ପ୍ରଶାସନ ପାଇଁ ଏକ ‘ଲାଲ୍ ପତାକା’ ସଦୃଶ। ପାକିସ୍ତାନୀଙ୍କୁ ବିଶ୍ୱାସ କରିବା ଟ୍ରମ୍ପଙ୍କ ପାଇଁ ମହଙ୍ଗା ପଡ଼ିପାରେ ବୋଲି ସେ ଚେତାବନୀ ଦେଇଛନ୍ତି।
ମୁନିରଙ୍କ ଏହି ତିନିଦିନିଆ ଗସ୍ତ ପରେ ଆସନ୍ତା ସପ୍ତାହରେ ପାକିସ୍ତାନର ଇସଲାମାବାଦଠାରେ ଆମେରିକା ଓ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବାର ସମ୍ଭାବନା ରହିଛି। ଏବେ ଦେଖିବାକୁ ବାକି ରହିଲା ଟ୍ରମ୍ପ ପାକିସ୍ତାନର ଏହି ‘ଡବଲ ଗେମ୍’ କୁ କିପରି ହ୍ୟାଣ୍ଡେଲ୍ କରୁଛନ୍ତି।
