ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ

ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ

 ୨୦୨୫ ଏପ୍ରିଲ ୨୨ର ସେହି କଳା ଦିବସକୁ ଆଜି ପୂରିଛି ଏକ ବର୍ଷ। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀ ଅବସରରେ ସମଗ୍ର ଦେଶ ଆଜି ସହିଦଙ୍କୁ ମନେ ପକାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦୀଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦୋଷ ନାଗରିକ ଓ ସହୀଦ ସୈନିକମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଭାରତର ସଂକଳ୍ପକୁ ଦୋହରାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ନିଜ ପୋଷ୍ଟରେ ଲେଖିଛନ୍ତି, “ଗତ ବର୍ଷ ଏହି ଦିନରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କୁ ଆମେ ମନେ ପକାଉଛୁ। ସେମାନଙ୍କ ବଳିଦାନକୁ ଦେଶ କେବେ ବି ଭୁଲିବ ନାହିଁ।” ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ କେବେବି ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଏବଂ ଆତଙ୍କବାଦୀଙ୍କ ଘୃଣ୍ୟ ଯୋଜନା କେବେ ସଫଳ ହେବ ନାହିଁ।

ସୂଚନାଯୋଗ୍ୟ ଯେ, ୨୦୨୫ ଏପ୍ରିଲ ୨୨ରେ ପହଲଗାମର ବୈସାରନ ଘାଟିରେ ଆତଙ୍କବାଦୀମାନେ ବର୍ବର କାଣ୍ଡ ଭିଆଇଥିଲେ। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ଓ ସାଧାରଣ ନାଗରିକ ନିଜର ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ଭାରତୀୟ ସେନା ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇ ଆତଙ୍କବାଦୀଙ୍କ ନେଟୱର୍କକୁ ଧ୍ୱଂସ କରାଯାଇଥିଲା।

ପ୍ରଥମ ବର୍ଷପୂର୍ତ୍ତିକୁ ଦୃଷ୍ଟିରେ ରଖି ବୈସାରନ ଘାଟି ସମେତ ସମଗ୍ର ପହଲଗାମ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ସୁରକ୍ଷା ବାହିନୀ ପକ୍ଷରୁ ପ୍ରତ୍ୟେକ ପ୍ରବେଶ ପଥରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଆତଙ୍କବାଦ ବିରୋଧରେ ଭାରତର ‘ଜିରୋ ଟଲେରାନ୍ସ’ ନୀତିକୁ ଆଜି ପୁଣି ଥରେ ବିଶ୍ୱ ଦରବାରରେ ସ୍ପଷ୍ଟ କରିଛନ୍ତି ସରକାର।

Posted in ରାଜ୍ୟ.