ଉତ୍ତର-ପୂର୍ବ ଭାରତର ପ୍ରବେଶ ଦ୍ୱାର କୁହାଯାଉଥିବା ଆସାମରେ ପୁଣି ଥରେ କମଳ ଫୁଟିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି ଆସାମବାସୀ। ଏହି ବିଜୟ କେବଳ ଏକ ସାଧାରଣ ବିଜୟ ନୁହେଁ, ବରଂ ବିଜେପି ନେତୃତ୍ୱାଧୀନ ଏନଡିଏ (NDA) ଏଠାରେ ନିଜର ପୁରୁଣା ସମସ୍ତ ରେକର୍ଡକୁ ଭାଙ୍ଗି ଏକ ନୂଆ ଇତିହାସ ରଚନା କରିଛି। ଆସାମର ୧୨୬ ବିଧାନସଭା ଆସନରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୬୪। ମାତ୍ର ବର୍ତ୍ତମାନର ଫଳାଫଳ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନଡିଏ ୧୦୧ଟି ଆସନ ଜିତିବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ମେଣ୍ଟ ୭୧ଟି ଆସନ ଜିତି ସାରିଥିବା ବେଳେ ଆଉ ୩୦ଟି ଆସନରେ ଅଗ୍ରଣୀ ରହିଛି। ଏହି ନିର୍ବାଚନରେ ବିଜେପିର ପ୍ରଦର୍ଶନ ସବୁଠାରୁ ଚକିତକର ରହିଛି। ଦଳ ୯୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସେଥିମଧ୍ୟରୁ ୮୨ ଜଣ ପ୍ରାର୍ଥୀ ଜିତିବାକୁ ଯାଉଛନ୍ତି, ଯାହା ନିଜେ ଏକ ବିରାଟ ରେକର୍ଡ। ମେଣ୍ଟର ସହଯୋଗୀ ଦଳ ବିପିଏଫ୍ (BPF) ୧୦ଟି ଏବଂ ଏଜିପି (AGP) ୯ଟି ଆସନରେ ବିଜୟୀ ହେଉଛନ୍ତି। ୨୦୨୧ ନିର୍ବାଚନ ତୁଳନାରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏନଡିଏ ୮୦ଟି ଆସନ ଜିତିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ୨୩ଟି ଆସନ ପାଇଥିଲେ। କଂଗ୍ରେସ ମାତ୍ର ୨୧ଟି ଆସନକୁ ଖସି ଆସିଛି। ଅନ୍ୟାନ୍ୟ ଦଳକୁ ମାତ୍ର ୪ଟି ଆସନ ମିଳିଛି। ହିମନ୍ତ ବିଶ୍ୱଶର୍ମାଙ୍କ ବିକାଶମୂଳକ କାର୍ଯ୍ୟ ଏବଂ ସାଂଗଠନିକ ଦକ୍ଷତା ଆସାମରେ ବିଜେପିକୁ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।

ଆସାମରେ ବିଜେପିର ହ୍ୟାଟ୍ରିକ୍ ବିଜୟ: ଭାଙ୍ଗିଲା ସବୁ ପୁରୁଣା ରେକର୍ଡ, ଫିକା ପଡ଼ିଲା କଂଗ୍ରେସର ହାତ
Posted in Uncategorized.