ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗ ସରକାର। ରାଜ୍ୟରେ ଅଟକ ରଖାଯାଇଥିବା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଉ କୋର୍ଟରେ ହାଜର କରାଯିବ ନାହିଁ। ଏହା ବଦଳରେ ସେମାନଙ୍କୁ ସିଧାସଳଖ ସୀମା ସୁରକ୍ଷା ବଳ (BSF) ହାତରେ ହସ୍ତାନ୍ତର କରାଯିବ, ଯଦ୍ଦ୍ୱାରା ସେମାନଙ୍କୁ ତୁରନ୍ତ ସ୍ୱଦେଶ ଫେରାଇ ଦିଆଯାଇପାରିବ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି।
ମେ ୨୦ ରୁ ଲାଗୁ ହେଲା ନୂଆ ନିୟମ
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ନୂଆ ବିଜେପି (BJP) ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନୂଆ ବ୍ୟବସ୍ଥା ଗତ ମେ ୨୦ ତାରିଖରୁ କାର୍ଯ୍ୟକାରୀ ହୋଇସାରିଛି। ଏ ସମ୍ପର୍କରେ ରାଜ୍ୟ ପୋଲିସ ଏବଂ ରେଳବାଇ ସୁରକ୍ଷା ବଳ (RPF) କୁ ସ୍ପଷ୍ଟ ଭାବେ ଅବଗତ କରାଇ ଦିଆଯାଇଛି।
କୋର୍ଟ ପ୍ରକ୍ରିୟା ବଦଳରେ ସିଧାସଳଖ ସୀମା ପାର୍
ଏହି ନୂଆ ବ୍ୟବସ୍ଥା ଅନୁଯାୟୀ, ଯେଉଁମାନେ ବେଆଇନ ପ୍ରବାସୀ ଭାବେ ଚିହ୍ନଟ ହେବେ ଏବଂ ନାଗରିକତ୍ୱ ସଂଶୋଧନ ଆଇନ (CAA) ଅଧୀନରେ ଭାରତୀୟ ନାଗରିକତ୍ୱ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ, ସେମାନଙ୍କୁ ଦୀର୍ଘ ଆଇନଗତ କୋର୍ଟ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ। ସେମାନଙ୍କୁ ପୋଲିସ କିମ୍ବା ଆରପିଏଫ୍ ଗିରଫ କରିବା ପରେ ସିଧାସଳଖ ବିଏସଏଫର ସୀମାବର୍ତ୍ତୀ ଆଉଟପୋଷ୍ଟ (Border Outposts) ଗୁଡ଼ିକୁ ନେଇଯିବେ, ଯେଉଁଠାରୁ ସେମାନଙ୍କୁ ବାଂଲାଦେଶ ଡିପୋର୍ଟ (Deport) କରାଯିବ।
କେନ୍ଦ୍ର ଗୃହମନ୍ତ୍ରୀଙ୍କ “ଡିଟେକ୍ଟ, ଡିଲିଟ୍ ଏବଂ ଡିପୋର୍ଟ” ଫ୍ରେମୱର୍କ
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ଏହି ପଦକ୍ଷେପ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବ୍ୟାପକ କାର୍ଯ୍ୟପନ୍ଥାର ଏକ ଅଂଶ ଅଟେ। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମସ୍ୟାର ସମାଧାନ ପାଇଁ ଗୃହମନ୍ତ୍ରୀଙ୍କ “ଡିଟେକ୍ଟ, ଡିଲିଟ୍ ଏବଂ ଡିପୋର୍ଟ” (ଚିହ୍ନଟ କର, ବାଦ୍ ଦିଅ ଏବଂ ବାହାର କର) ରଣନୀତି ଆଧାରରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି। ଭାରତ-ବାଂଲାଦେଶ ମଧ୍ୟରେ ଥିବା ସବୁଠାରୁ ଦୀର୍ଘତମ ସୀମା ପଶ୍ଚିମବଙ୍ଗ ସହିତ ଜଡ଼ିତ ଏବଂ ଏହାର ସୁରକ୍ଷା ଦାୟିତ୍ୱ ବିଏସଏଫ୍ ଉପରେ ରହିଛି। ସରକାରଙ୍କ ଏହି ନୂଆ ଆଭିମୁଖ୍ୟ ବେଆଇନ ଅନୁପ୍ରବେଶ ରୋକିବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।
୨ କୋଟି ବାଂଲାଦେଶୀ ଭାରତରେ
୨୦୧୬ ମସିହାରେ, ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁ ସଂସଦରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ତଥ୍ୟ ରଖିଥିଲେ। ସେ କହିଥିଲେ। ଯେ “ଉପଲବ୍ଧ ସୂଚନା ଅନୁଯାୟୀ, ଭାରତରେ ବାଂଲାଦେଶରୁ ପ୍ରାୟ ୨ କୋଟି ଅବୈଧ ପ୍ରବାସୀ ଅଛନ୍ତି।ଅବୈଧ ପ୍ରବାସୀମାନେ ଦେଶର ସୁରକ୍ଷା ପାଇଁ ବିପଦ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
