ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ଏକଦା ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଦଳ କୁହାଯାଉଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଏବେ ଗଭୀର ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି। ଦଳରୁ କ୍ଷମତା ଯିବା ପରେ ଆଭ୍ୟନ୍ତରୀଣ କନ୍ଦଳ ଏବଂ ଗିରଫଦାରୀ ଭୟରେ ଦଳ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ବିଗତ ଦିନରେ ଦଳ ବିରୋଧରେ ଲୋକସଭା ସାଂସଦ କାକଳି ଘୋଷଙ୍କ ସମେତ ଅନେକ ବରିଷ୍ଠ ନେତା ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ଏବେ ପୌରପାଳିକା ଗୁଡ଼ିକରେ ତୀବ୍ର ବିଶୃଙ୍ଖଳା ଦେଖାଦେଇଛି। ସ୍ଥିତି ଏପରି ହୋଇଛି ଯେ ଆସନ୍ତାବର୍ଷ ପୌର ନିର୍ବାଚନ ପୂର୍ବରୁ ଅନେକ ମୁନିସିପାଲ୍ ବୋର୍ଡ ଭାଙ୍ଗିଯିବା ଆଶଙ୍କା ସୃଷ୍ଟି ହୋଇଛି।
ଟିଏମ୍ସି ଭୁଶୁଡ଼ିବା ପଛର ସବୁଠାରୁ ବଡ଼ କାରଣ ହେଉଛି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ କଠୋର ଆଭିମୁଖ୍ୟ। ସରକାର ଗଢ଼ିବା ପରେ ଶୁଭେନ୍ଦୁ ଅଧିକାରୀ ଏକ କଡ଼ା ଚେତାବନୀ ଦେଇ କହିଥିଲେ ଯେ, ପୂର୍ବ ସରକାର ସମୟରେ ପୌର ନିଗମ ଓ ପୌରପାଳିକାରେ ହୋଇଥିବା ସମସ୍ତ କାର୍ଯ୍ୟର ସଠିକ୍ ଯାଞ୍ଚ କରାଯିବ ଏବଂ ଦୁର୍ନୀତିଖୋରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ଘୋଷଣା ପରେ ଟିଏମ୍ସି ନେତା ଓ କାଉନସିଲରମାନଙ୍କ ମଧ୍ୟରେ ଗିରଫଦାରୀ ଭୟ ଏତେ ବଢ଼ିଯାଇଛି ଯେ ସେମାନେ ଅଫିସ୍ ଯିବା ବନ୍ଦ କରିଦେଇଛନ୍ତି। ଗତ ସପ୍ତାହରେ ଦାଦାବଟି ଓ ଧମକ ଦେବା ଅଭିଯୋଗରେ ୩ ଜଣ ଟିଏମ୍ସି କାଉନସିଲର ଗିରଫ ହୋଇଥିବା ବେଳେ, ପୂର୍ବତନ ମନ୍ତ୍ରୀ ସୁଜିତ ବୋଷ ମଧ୍ୟ ଇଡି (ED) ମାମଲାରେ ଗିରଫ ହୋଇ ଜେଲ୍ରେ ଅଛନ୍ତି। ଗତକାଲି ପୁରୀରୁ ଜଣେ ଟିଏମସି ବିଧାୟକଙ୍କୁ ଗିରଫ କରାଯାଇଛି । ବିଧାୟକ ଦିଲ୍ଲିପ ମଣ୍ଡଳ ପୋଲିସକୁ ଡରି ପୁରୀରେ ଆସି ଲୁଚିଥିଲେ ।
ଟିଏମ୍ସି ନିୟନ୍ତ୍ରଣରେ ଥିବା ବିଭିନ୍ନ ପୌରପାଳିକାରୁ ଗତ କିଛି ଦିନ ମଧ୍ୟରେ ପାଖାପାଖି ୧୦୦ ଜଣ କାଉନସିଲର ନିଜ ପଦବୀରୁ ଇସ୍ତଫା ଦେଇସାରିଲେଣି। ଏଥି ଯୋଗୁଁ ଭାରତୀୟ ଜନତା ପାର୍ଟି (ବିଜେପି)କୁ ସ୍ଥାନୀୟ ପୌରପାଳିକା ଗୁଡ଼ିକରେ ନିଜର ପ୍ରଭାବ ବିସ୍ତାର କରିବାକୁ ଏକ ବଡ଼ ସୁଯୋଗ ମିଳିଛି। ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ଯେ, ମମତାଙ୍କ ଅତି ଘନିଷ୍ଠ ସହଯୋଗୀ ତଥା କୋଲକାତା ମେୟର ଫିରହାଦ ହାକିମ ମଧ୍ୟ ଦଳ ଛାଡ଼ିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଯଦିଓ ନେତାଙ୍କୁ ଅଟକାଇବା ପାଇଁ ମମତା ବାନାର୍ଜୀ ନିଜ କାଉନସିଲରମାନଙ୍କୁ ଇସ୍ତଫା ନଦେବାକୁ ଅନୁରୋଧ କରିଛନ୍ତି, ତଥାପି ପ୍ରତିଦିନ ପୌର ନିଗମ ଗୁଡ଼ିକରୁ ନେତାମାନେ ଦଳ ଛାଡ଼ୁଛନ୍ତି। ୧୯୯୮ ମସିହାରେ କଂଗ୍ରେସରୁ ଅଲଗା ହୋଇ ମମତା ଟିଏମ୍ସି ଗଠନ କରିବା ପରଠାରୁ ଏହା ଦଳ ପାଇଁ ସବୁଠାରୁ ବଡ଼ ସଙ୍କଟ ଭାବେ ଉଭା ହୋଇଛି।
ସବୁଠାରୁ ଅଧିକ ପ୍ରଭାବିତ ଉତ୍ତର ୨୪ ପ୍ରଗଣା:
ଶୁଭେନ୍ଦୁ ସରକାରଙ୍କ ତଦନ୍ତ ପ୍ରକ୍ରିୟା ଯୋଗୁଁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ପୌରପାଳିକା ଗୁଡ଼ିକ ସବୁଠାରୁ ଅଧିକ ଧ୍ୱଂସାଭିମୁଖୀ ହୋଇପଡ଼ିଛି: ଅତୀତରେ ମମତା ବାନାର୍ଜୀ ସମସ୍ତ ରାଜନୈତିକ ପ୍ରତିକୂଳ ପରିସ୍ଥିତିକୁ ଏକାକୀ ସାମ୍ନା କରିବାରେ ସଫଳ ହେଉଥିଲେ, ମାତ୍ର ଏବେ କ୍ଷମତା ଯିବା ପରେ ସମୟ ଏବଂ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଦୁର୍ନୀତିର ଖୋଳତାଡ଼ ଏବଂ ନେତାଙ୍କ ଦଳଛଡ଼ା ନୀତି ଯୋଗୁଁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଅସ୍ତିତ୍ୱ ଏବେ ଇତିହାସ ପୃଷ୍ଠା ଆଡ଼କୁ ଗତି କରୁଥିବା ପରି ମନେହେଉଛି।
