GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସୌମ୍ୟଙ୍କ ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC

GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସୌମ୍ୟଙ୍କ ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC

ବହୁ ଚର୍ଚ୍ଚିତ ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ଜାତୀୟ ମାନବାଧିକାର କମିଶନ (NHRC) ଙ୍କ ସ୍ପେଶାଲ ଟିମ୍ ଏବେ ସମ୍ପୂର୍ଣ୍ଣ ଆକ୍ସନ ମୋଡ୍‌ରେ ରହିଛି। ଗତକାଲି ବାଲିଅନ୍ତାର କ୍ରାଇମ ସ୍ପଟ୍, ଅଡ଼ଶପୁରରେ ସୌମ୍ୟଙ୍କ ଜିମ୍ ଏବଂ ମଉଜପୁରରେ ପରିବାର ଲୋକଙ୍କୁ ଭେଟିବା ପରେ ଆଜି ସକାଳ ୮ଟାରୁ ପୁଣି ଥରେ କମିଶନଙ୍କ କ୍ୟାମ୍ପ କୋର୍ଟରେ ଜେରା ପ୍ରକ୍ରିୟା ଜୋର୍‌ଦାର ହୋଇଛି। ଘଟଣା ସହ ଜଡ଼ିତ ପ୍ରତ୍ୟେକ ଛୋଟ ବଡ଼ ଦିଗକୁ ଉଜାଗର କରିବା ପାଇଁ ଟିମ୍ ପକ୍ଷରୁ ସମସ୍ତ ପକ୍ଷଙ୍କୁ ମାରାଥନ ପଚରାଉଚରା କରାଯାଉଛି।

ଆଜି ସକାଳ ୮ଟାରେ ପ୍ରଥମେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ଘଟଣା ଦିନ ସୌମ୍ୟଙ୍କ ବିରୋଧରେ ଅଭିଯୋଗ ଆଣିଥିବା ସମ୍ପୃକ୍ତ ଯୁବତୀ। ସେଦିନ ପ୍ରକୃତରେ କ’ଣ ଘଟିଥିଲା , ସୌମ୍ୟଙ୍କ ଆକ୍ଟିଭିଟି କ’ଣ ଥିଲା, ସେନେଇ ପ୍ରାୟ ଅଧଘଣ୍ଟା କାଳ ତାଙ୍କୁ ପଚରାଉଚରା କରାଯାଇଥିଲା। ଏହାପରେ ସକାଳ ୮ଟା ୩୦ରେ ସୌମ୍ୟଙ୍କୁ ମେଡିକାଲ ନେଇଥିବା ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ହାଜର କରାଯାଇ କେତେବେଳେ ଫୋନ୍ ଆସିଲା ଏବଂ ସାଙ୍ଗରେ କିଏ କିଏ ଥିଲେ, ସେନେଇ ତଥ୍ୟ ଓଗାଳିଥିଲା ଟିମ୍।

ସକାଳ ୯ଟାରେ ବାଲିଅନ୍ତା ଥାନାର ତତ୍କାଳୀନ ଆଇଆଇସି (IIC) ଅନୀଲ ପରିଡ଼ା NHRC ଟିମ୍ ସାମ୍ନାରେ ହାଜର ହୋଇଥିଲେ। ପୋଲିସକୁ କେମିତି ଖବର ମିଳିଲା ଏବଂ ପରବର୍ତ୍ତୀ ଆକ୍ସନ କ’ଣ ଥିଲା, ତା’ର ଉତ୍ତର ରଖିଛନ୍ତି ତତ୍କାଳୀନ ଅଧିକାରୀ। ଏଥି ସହିତ ମାମଲାରେ ଅଭିଯୋଗ କରିଥିବା ଭଜମନ ବିଶ୍ୱାଳ ମଧ୍ୟ ନିଜର ପକ୍ଷ ରଖିଛନ୍ତି।

ଦିନ ୧୦ଟାରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଏଲ.ଡି ବେହେରା (ଯିଏ ସୌମ୍ୟଙ୍କ ଶବ ବ୍ୟବଚେଦ କରିଥିଲେ) ସେ ହାଜର ହୋଇଥିଲେ। ସୌମ୍ୟଙ୍କ ଶରୀରରେ କେତେ କ୍ଷତ ଚିହ୍ନ ଥିଲା ଏବଂ ଶରୀରରେ ଷ୍ଟେରଏଡ୍‌ର ମାତ୍ରା କେତେ ଥିଲା, ସେନେଇ ବୈଜ୍ଞାନିକ ତଥ୍ୟ ମାଗିଛନ୍ତି କମିଶନ।

ଦିନ ୧୨ଟାରେ ଘଟଣାସ୍ଥଳରୁ ସୌମ୍ୟଙ୍କୁ ନେଇଯାଇଥିବା ମିନି ଟ୍ରକ୍ ଡ୍ରାଇଭର ସଫିଉଲ୍ଲା ଖାଁ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଜଣେ ପୋଲିସ କର୍ମୀ ତାଙ୍କୁ ଅଟକାଇ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ କହିଥିଲେ ଏବଂ କ୍ୟାବିନରେ ସାଦା ପୋଷାକରେ ପୋଲିସ କର୍ମଚାରୀ ମଧ୍ୟ ବସିଥିଲେ। ଏହାପରେ ଦିନ ଗୋଟାଏ ବେଳେ ଘଟଣାର ତଦନ୍ତ କରିଥିବା ସାଇଣ୍ଟିଫିକ୍ ଟିମ୍‌ର ଅଧିକାରୀମାନେ ପହଞ୍ଚି ସଂଗ୍ରହ କରିଥିବା ପ୍ରମାଣର ରିପୋର୍ଟ ଦେଇଛନ୍ତି।

ଆଜିର ତଦନ୍ତର ସବୁଠାରୁ ବଡ଼ ମୋଡ଼ ଅପରାହ୍ଣ ୩ଟାରେ ଦେଖିବାକୁ ମିଳିଥିଲା। NHRC ଟିମ୍ ଘଟଣା ଦିନ ଆକ୍ରମଣ ଅଭିଯୋଗ ଆଣିଥିବା ଦୁଇ ଯୁବତୀ, ସୌମ୍ୟଙ୍କ ସାଙ୍ଗ ଓମ୍ ଏବଂ ଆମ୍ବୁଲାନ୍ସ ଡ୍ରାଇଭର—ଏହି ୪ ଜଣଙ୍କୁ ଆମନେ-ସାମନେ ବସାଇ ପ୍ରାୟ ୨ରୁ ୩ ଘଣ୍ଟା କାଳ କଠୋର ପଚରାଉଚରା କରିଛନ୍ତି। ବୟାନ ଭିତରେ ଥିବା ବିଭିନ୍ନ ତ୍ରୁଟିକୁ ଆଧାର କରି ଏହି ଜେରା କରାଯାଇଛି।

NHRC ଟିମ୍ ପ୍ରତ୍ୟେକ ସନ୍ଦେହଜନକ ବ୍ୟକ୍ତି ଓ ସାକ୍ଷୀଙ୍କୁ ଡାକି ଯେଭଳି ଭାବେ ତଥ୍ୟ ପ୍ରମାଣ ଏକାଠି କରୁଛନ୍ତି, ତାହା ଓଡ଼ିଶା ପୋଲିସର ପୂର୍ବ ତଦନ୍ତ ଉପରେ ଏକ ବଡ଼ ଚାପ ସୃଷ୍ଟି କରିଛି। ଆସନ୍ତାକାଲି ମଧ୍ୟ ଆଉ କିଛି ବ୍ୟକ୍ତିଙ୍କୁ ପଚରାଉଚରା କରାଯିବାର ସମ୍ଭାବନା ରହିଛି। ଏହି ମାରାଥନ ଏନକ୍ଵାରୀ ଶେଷରେ ହତ୍ୟାକାଣ୍ଡର ପ୍ରକୃତ ସତ୍ୟକୁ ଉଜାଗର କରିବ ଏବଂ ସୌମ୍ୟଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବ କି ନାହିଁ ତାହା ସ୍ପଷ୍ଟ ହେବ ।

Posted in ରାଜ୍ୟ and tagged .