ଓଡ଼ିଶା ବିକାଶର ନୂଆ ଲାଇଫ୍‌ଲାଇନ୍ ‘କୋଷ୍ଟାଲ ହାଇୱେ’: ବଦଳିବ ଉପକୂଳ ଅର୍ଥନୀତିର ଚେହେରା

ଓଡ଼ିଶା ବିକାଶର ନୂଆ ଲାଇଫ୍‌ଲାଇନ୍ ‘କୋଷ୍ଟାଲ ହାଇୱେ’: ବଦଳିବ ଉପକୂଳ ଅର୍ଥନୀତିର ଚେହେରା

ଓଡ଼ିଶାର ସାମୁଦ୍ରିକ ସମୃଦ୍ଧି ଏବଂ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଏନଏଚ୍-୯୦ (NH-90) ଅଧୀନରେ ରାମେଶ୍ୱରରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ ୧୬୦ କିଲୋମିଟର ଲମ୍ବର ଗ୍ରୀନଫିଲ୍ଡ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ବିଧିବଦ୍ଧ ମଞ୍ଜୁରୀ ପ୍ରଦାନ କରିଛନ୍ତି। ₹୮,୩୦୦ କୋଟିରୁ ଅଧିକ ବ୍ୟୟବରାଦରେ ନିର୍ମାଣ ହେବାକୁ ଥିବା ଏହି ମେଗା ପ୍ରକଳ୍ପ ଓଡ଼ିଶାର ବିକାଶ କ୍ଷେତ୍ରରେ ଏକ ‘ଗେମ୍-ଚେଞ୍ଜର’ ହେବ ।

ଏହି କୋଷ୍ଟାଲ ହାଇୱେ ପ୍ରକଳ୍ପଟି ସିଧାସଳଖ ଓଡ଼ିଶାର ପ୍ରମୁଖ ସାମୁଦ୍ରିକ ବନ୍ଦର ପାରାଦୀପ ସହିତ ଅନ୍ୟ ଉପକୂଳ ଅଞ୍ଚଳକୁ ସଂଯୋଗ କରୁଛି। ଏହାଦ୍ୱାରା ରାଜ୍ୟର ‘ବ୍ଲୁ ଇକୋନୋମୀ’ ବା ସାମୁଦ୍ରିକ ଅର୍ଥନୀତି ସୁଦୃଢ଼ ହେବ। ମାଛ ଚାଷ, ସାମୁଦ୍ରିକ ଖାଦ୍ୟ (Seafood) ରପ୍ତାନି ଏବଂ ବନ୍ଦର ଭିତ୍ତିକ ଶିଳ୍ପାୟନ ପାଇଁ କଞ୍ଚାମାଲ ଓ ପ୍ରସ୍ତୁତ ସାମଗ୍ରୀର ପରିବହନ ଅତି ସହଜ ହୋଇଯିବ। ପରିବହନ ଖର୍ଚ୍ଚ ଏବଂ ସମୟ ହ୍ରାସ ପାଇବା ଫଳରେ ଜାତୀୟ ଓ ଆନ୍ତର୍ଜାତୀୟ ବାଣିଜ୍ୟରେ ଓଡ଼ିଶାର ମାନ ବଢ଼ିବ।

ଏହି ହାଇୱେ ରାମେଶ୍ୱର, ପୁରୀ, କୋଣାର୍କରୁ ଆରମ୍ଭ କରି ପାରାଦୀପ ପର୍ଯ୍ୟନ୍ତ ପ୍ରମୁଖ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ସଂଯୋଗ କରୁଛି। ପ୍ରଥମ ପ୍ୟାକେଜ୍‌ରେ ରାମେଶ୍ୱରରୁ କାକଟପୁର (୭୯ କିମି) ୪-ଲେନ୍ ବିଶିଷ୍ଟ ରାସ୍ତା ହେବାକୁ ଥିବାରୁ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ପୁରୀ ଶ୍ରୀମନ୍ଦିର ଆସୁଥିବା ପର୍ଯ୍ୟଟକମାନେ ଏହି ହାଇୱେ ଦେଇ ଅତି ସହଜରେ ପାରାଦୀପ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଉପକୂଳ ଅଞ୍ଚଳ ଭ୍ରମଣ କରିପାରିବେ। ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ସ୍ଥାନୀୟ ହୋଟେଲ, ପରିବହନ ଏବଂ ହସ୍ତଶିଳ୍ପ ବ୍ୟବସାୟୀଙ୍କ ଆୟ ଦ୍ୱିଗୁଣିତ ହେବ।

ଏହି ମେଗା ପ୍ରକଳ୍ପଟି ‘ହାଇବ୍ରିଡ୍ ଆନୁଇଟି ମୋଡ୍’ (Hybrid Annuity Mode) ରେ ନିର୍ମାଣ ହେବାକୁ ଯାଉଛି। ହାଇୱେର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ହଜାର ହଜାର ସ୍ଥାନୀୟ ଯୁବକଯୁବତୀ, ଶ୍ରମିକ, ଇଞ୍ଜିନିୟର ଏବଂ ଠିକାଦାରମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ ରାସ୍ତା କଡ଼ରେ ନୂଆ ନୂଆ ମାର୍କେଟ କମ୍ପ୍ଲେକ୍ସ, ପେଟ୍ରୋଲ ପମ୍ପ ଏବଂ ଢାବା/ରେଷ୍ଟୁରାଣ୍ଟ ଗଢ଼ିଉଠିବ, ଯାହା ଗ୍ରାମୀଣ ଅଞ୍ଚଳରେ ଆତ୍ମନିଯୁକ୍ତିକୁ ବଢ଼ାଇବ।

ଉପକୂଳବର୍ତ୍ତୀ ଓଡ଼ିଶାର ଚାଷୀମାନଙ୍କ ପାଇଁ ଏହି ରାସ୍ତା ଏକ ବଡ଼ ଆଶୀର୍ବାଦ। କାକଟପୁର, କୋଣାର୍କ ଏବଂ ପାରାଦୀପ ସଂଯୋଗୀକରଣ ଫଳରେ ସ୍ଥାନୀୟ ଅଞ୍ଚଳର ପନିପରିବା, ଧାନ ଏବଂ ନଡ଼ିଆ ଚାଷୀମାନେ ନିଜର ଉତ୍ପାଦିତ ସାମଗ୍ରୀକୁ ଅତି କମ୍ ସମୟରେ ବଡ଼ ବଡ଼ ସହରୀ ବଜାର ଓ ବନ୍ଦର ନିକଟରେ ପହଞ୍ଚାଇ ପାରିବେ। ଫଳରେ ମଧ୍ୟସ୍ଥିଙ୍କ ପ୍ରାଦୁର୍ଭାବ କମିବ ଏବଂ ଚାଷୀ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପାଇପାରିବେ।

ଓଡ଼ିଶାର ଉପକୂଳ ଅଞ୍ଚଳ ପ୍ରତିବର୍ଷ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥାଏ। ଏହି ଆଧୁନିକ ୪-ଲେନ୍ ଓ ୨-ଲେନ୍ ବିଶିଷ୍ଟ କୋଷ୍ଟାଲ ହାଇୱେ ନିର୍ମାଣ ହେବା ଦ୍ୱାରା ବିପର୍ଯ୍ୟୟ ସମୟରେ ଉପକୂଳବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ତୁରନ୍ତ ରିଲିଫ୍ ଓ ସାହାଯ୍ୟ ସାମଗ୍ରୀ ପହଞ୍ଚାଇବା ପ୍ରଶାସନ ପାଇଁ ଅତି ସହଜ ହେବ

କେନ୍ଦ୍ର ସରକାରଙ୍କ ‘ପୂର୍ବୋଦୟ ମିଶନ’ ଅଧୀନରେ ଆସିଥିବା ଏହି ₹୮,୩୦୦ କୋଟିର ମେଗା ପ୍ରକଳ୍ପ ଓଡ଼ିଶାର ଆର୍ଥିକ ମାନଚିତ୍ରକୁ ବଦଳାଇ ଦେବ। ଯୋଗାଯୋଗର ଏହି ମହାମାର୍ଗ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଓ ବାଣିଜ୍ୟିକ କେନ୍ଦ୍ର ଭାବେ ଗଢ଼ିତୋଳିବାରେ ସର୍ବାଧିକ ସହାୟକ ହେବ।

Posted in ରାଜ୍ୟ and tagged .