ଓଡ଼ିଶାରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରାଜନୈତିକ ଗତିବିଧି ବେଶ୍ ଜୋର୍ ଧରିଛି। ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ଆଧିକାରିକ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଓଡ଼ିଶା ବିଧାନସଭା ପରିସରରେ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଏବଂ ଦଳର ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ଓ ବିଧାୟକମାନଙ୍କ ଗହଣରେ ସେ ପ୍ରାର୍ଥିପତ୍ର ଦାଖଲ କରି ନିଜର ସାଙ୍ଗଠନିକ ଶକ୍ତି ପ୍ରଦର୍ଶନ କରିଛନ୍ତି। ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ, ଏହି ଉପନିର୍ବାଚନରେ ଦେବାଶିଷଙ୍କ ବିଜୟ କେବଳ ସୁନିଶ୍ଚିତ ନୁହେଁ, ବରଂ ଏହା ଏକପ୍ରକାର ଔପଚାରିକତା ମାତ୍ର। ରାଜ୍ୟସଭା ନିର୍ବାଚନରେ ବିଧାନସଭାର ବିଧାୟକମାନେ ଭୋଟ୍ ଦେଇଥାନ୍ତି। ବର୍ତ୍ତମାନ ଓଡ଼ିଶାର ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ଶାସକ ଦଳ ବିଜେପି ପାଖରେ ଏକାକୀ ୭୮ ଜଣ ବିଧାୟକ ଅଛନ୍ତି, ଯାହା ସରକାର ଗଢ଼ିବା ଏବଂ ସଂଖ୍ୟାଗରିଷ୍ଠତା ପ୍ରମାଣିତ କରିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର (୭୪) ଠାରୁ ଅଧିକ। ଏହି ଗୋଟିଏ ଆସନ ପାଇଁ ହେଉଥିବା ଉପନିର୍ବାଚନ ଜିତିବାକୁ ବିଜେପି ପାଖରେ ବିପୁଳ ସଂଖ୍ୟା ରହିଛି।
ବିଜେପିର ନିଜସ୍ୱ ୭୮ ବିଧାୟକଙ୍କ ବ୍ୟତୀତ ଦଳକୁ କେତେକ ସ୍ୱାଧୀନ ବିଧାୟକଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସମର୍ଥନ ମଧ୍ୟ ହାସଲ ରହିଛି। ତେଣୁ ଭୋଟିଂ ସ୍ଥିତି ଉପୁଜିଲେ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ୮୦ରୁ ଅଧିକ ଭୋଟ୍ ପଡ଼ିବା ଏକପ୍ରକାର ସ୍ପଷ୍ଟ, ଯାହା ବିରୋଧୀ କ୍ୟାମ୍ପ ପାଇଁ ଏହି ଆସନ ଜିତିବା ଅସମ୍ଭବ କରିଦେଉଛି। ଅନ୍ୟପଟେ, ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (BJD) ପାଖରେ ବର୍ତ୍ତମାନ ୫୧ଟି ଆସନ ରହିଛି। ବିଧାନସଭାରେ ସଂଖ୍ୟା ବଳ କମ୍ ଥିବାରୁ ଏବଂ ବିଜେପି ପାଖରେ ସ୍ପଷ୍ଟ ବହୁମତ ଥିବାରୁ ବିଜେଡି ପକ୍ଷରୁ ଏହି ଆସନ ପାଇଁ କୌଣସି ବଡ଼ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ନାହିଁ। ନିକଟରେ ଦେବାଶିଷ ସାମନ୍ତରାୟ ନିଜେ ବିଜେଡି ଓ ରାଜ୍ୟସଭା ପଦ ଛାଡ଼ି ବିଜେପିରେ ସାମିଲ ହୋଇଥିବାରୁ, ଦଳ ତାଙ୍କୁ ଉପହାର ସ୍ୱରୂପ ପୁଣି ଥରେ ସଂସଦକୁ ପଠାଇବାକୁ ନିଷ୍ପତ୍ତି ନେଇଛି।
ଯଦି ବିରୋଧୀ ଦଳ ପକ୍ଷରୁ କୌଣସି ପ୍ରାର୍ଥୀ ଦାଖଲ କରାନଯାଏ, ତେବେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ପ୍ରତ୍ୟାହାର ସମୟ ସୀମା ପରେ ଦେବାଶିଷ ସାମନ୍ତରାୟ ‘ଅପ୍ରତିଦ୍ୱନ୍ଦ୍ୱୀ’ ଭାବେ ନିର୍ବାଚିତ ହେବାର ସମ୍ଭାଭନା ସବୁଠାରୁ ଅଧିକ ରହିଛି। ବିଜେପି କେନ୍ଦ୍ରୀୟ ନେତୃତ୍ୱ ତାଙ୍କର ସାଙ୍ଗଠନିକ ଦକ୍ଷତା ଏବଂ ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତାକୁ ଦେଖି ଏହି ଭରସା ପ୍ରକଟ କରିଛି, ଯାହା ଆଗାମୀ ଦିନରେ ଦଳକୁ ଜାତୀୟ ସ୍ତରରେ ଏବଂ ଓଡ଼ିଶାରେ ଆହୁରି ମଜବୁତ କରିବାରେ ବଡ଼ ଭୂମିକା ଗ୍ରହଣ କରିବ।
