ବିଶ୍ୱ ପରିବେଶ ଦିବସରେ ‘ଏକ ପେଡ୍ ମା’ କେ ନାମ୍’ ଅଭିଯାନ:  ପରିବାର ସହ ଗଛ ଲଗାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୁନି କୁନି ପିଲାଙ୍କୁ ଦେଲେ ପରିବେଶ ସୁରକ୍ଷାର ବାର୍ତ୍ତା!

ବିଶ୍ୱ ପରିବେଶ ଦିବସରେ ‘ଏକ ପେଡ୍ ମା’ କେ ନାମ୍’ ଅଭିଯାନ: ପରିବାର ସହ ଗଛ ଲଗାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୁନି କୁନି ପିଲାଙ୍କୁ ଦେଲେ ପରିବେଶ ସୁରକ୍ଷାର ବାର୍ତ୍ତା!

ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସାରା ଦେଶରେ ପରିବେଶ ସୁରକ୍ଷାକୁ ନେଇ ବ୍ୟାପକ ସଚେତନତା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ‘ଏକ ପେଡ୍ ମା’ କେ ନାମ୍ ୩.୦’ ଅଭିଯାନରେ ସାମିଲ ହୋଇ ବୃକ୍ଷରୋପଣ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ନୂଆଦିଲ୍ଲୀଠାରେ ନିଜର ମା’ ଏବଂ ପରିବାର ସଦସ୍ୟଙ୍କ ସହ ମିଶି ବୃକ୍ଷରୋପଣ କରିଛନ୍ତି। ଏହା ସହିତ ଦିଲ୍ଲୀ କାଣ୍ଟନମେଣ୍ଟ ସ୍ଥିତ ‘ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧’ ପରିସରରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଗଛ ଲଗାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ବୃକ୍ଷରୋପଣ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଏହି ମେଗା ଅଭିଯାନ ଆଜି କେବଳ ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ରହିନାହିଁ, ବରଂ ଏହା ପରିବେଶ ସୁରକ୍ଷା ଓ ଭାବନାତ୍ମକ ସମ୍ପର୍କର ଏକ ପ୍ରେରଣାଦାୟୀ ‘ଜନ-ଆନ୍ଦୋଳନ’ର ରୂପ ନେଇଛି। ମା’ଙ୍କ ସମ୍ମାନରେ ଗଛ ଲଗାଇବା କେବଳ ଏକ ସାଧାରଣ କାର୍ଯ୍ୟ ନୁହେଁ, ବରଂ ଏହା ଜନ୍ମଦାତ୍ରୀ ମା’ଙ୍କ ପ୍ରତି କୃତଜ୍ଞତା ଏବଂ ଧରିତ୍ରୀ ମା’ଙ୍କ ପ୍ରତି ଆମର ମିଳିତ ଦାୟିତ୍ୱବୋଧର ଏକ ସୁନ୍ଦର ପ୍ରୟାସ।

ଏହି ପବିତ୍ର ଅଭିଯାନରେ ଦେଶର ପ୍ରତିଟି ନାଗରିକ ସାମିଲ ହେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଆସନ୍ତା ପିଢ଼ିର କଲ୍ୟାଣ ତଥା ସମୃଦ୍ଧ ଭାରତ ଗଠନ ପାଇଁ ପରିବେଶର ସୁରକ୍ଷା କରିବା ଜରୁରୀ। ଏଥିସହ ଆମେ ଲଗାଉଥିବା ପ୍ରତ୍ୟେକ ଗଛର ଉପଯୁକ୍ତ ଯତ୍ନ ନେବାକୁ ସେ ଦେଶବାସୀଙ୍କୁ ସଂକଳ୍ପବଦ୍ଧ ହେବା ପାଇଁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରୀୟ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ଅବସରରେ ଶ୍ରୀ ପ୍ରଧାନ ସେମାନଙ୍କୁ ବୃକ୍ଷରୋପଣର ଆବଶ୍ୟକତା ଓ ପରିବେଶ ସଚେତନତା ଉପରେ ବୁଝାଇଥିଲେ। ପରିବେଶ ସଂରକ୍ଷଣ ପ୍ରତି ପିଲାମାନଙ୍କର ଏହି ସଚେତନତା, ଅପୂର୍ବ ଉତ୍ସାହ ଏବଂ ଦାୟିତ୍ୱବୋଧକୁ ସେ ବହୁତ ପ୍ରଶଂସା କରିଛନ୍ତି। ପିଲାଙ୍କ ସହ ଏହି ଆଲୋଚନା ଭାରତର ଏକ ସବୁଜ, ସୁନ୍ଦର ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ଆତ୍ମବିଶ୍ୱାସ ବଢ଼ାଉଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି।

Posted in Uncategorized.