ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୨ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଏକ ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର ରୂପେ ଉଭା ହୋଇଛି । ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ବାଣିଜ୍ୟ ବିଭାଗ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ୍ ଫର୍ ଲୋକାଲ’ ଏବଂ ‘ଲୋକାଲ ଟୁ ଗ୍ଲୋବାଲ୍’ ସଂକଳ୍ପକୁ ସାକାର କରିବା ଲାଗି ସକ୍ରିୟ ରୂପେ କାର୍ଯ୍ୟ କରୁଛି । ଦେଶରେ ଉତ୍ପାଦିତ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବା ଲାଗି ବିଭାଗ ପକ୍ଷରୁ ନିରନ୍ତର ସକ୍ରିୟ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଭାରତ ସରକାରଙ୍କ ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଯଶବୀର ସିଂ । ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କେନ୍ଦ୍ର ବାଣିଜ୍ୟ ବିଭାଗର ଉପଲବ୍ଧି ଏବଂ ଓଡ଼ିଶାରେ କୃଷି ଓ ସାମୁଦ୍ରିକ ଉତ୍ପାଦ ରପ୍ତାନି କ୍ଷେତ୍ରରେ ମିଳିଥିବା ସଫଳତାର ବିବରଣୀ ପ୍ରଦାନ କରିଛନ୍ତି । ଅତିରିକ୍ତ ସଚିବ କହିଛନ୍ତି, ୨୦୧୪-୧୫ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଭାରତର ରପ୍ତାନିରେ ଉଲ୍ଲେଖନୀୟ ଅଭିବୃଦ୍ଧି ରେକର୍ଡ କରାଯାଇଛି। ମୋଟ ରପ୍ତାନି ୪୬୮ ବିଲିୟନ ଆମେରିକୀୟ ଡଲାରରୁ ବୃଦ୍ଧି ପାଇ ୮୬୩ ବିଲିୟନ ଆମେରିକୀୟ ଡଲାରର ଐତିହାସିକ ସର୍ବାଧିକ ସ୍ତରରେ ପହଞ୍ଚିଛି । ଏଥିରେ ୫.୭%ର ବାର୍ଷିକ ଅଭିବୃଦ୍ଧି ହାର ଦେଖା ଦେଇଛି । ବାଣିଜ୍ୟିକ ରପ୍ତାନି ୩୧୦ ବିଲିୟନ ଆମେରିକୀୟ ଡଲାରରୁ ୪୪୨ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି । ସେବା ରପ୍ତାନି ୧୫୮ ବିଲିୟନ ଆମେରିକୀୟ ଡଲାରରୁ ୪୨୧ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଛି। ଏ କ୍ଷେତ୍ରରେ ୯.୩% ବାର୍ଷିକ ଅଭିବୃଦ୍ଧି ହାର ହାସଲ କରାଯାଇଛି । ଇଞ୍ଜିନିୟରିଂ ସାମଗ୍ରୀ, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଔଷଧ, ବୟନଶିଳ୍ପ, କୃଷି ଉତ୍ପାଦ, ସାମୁଦ୍ରିକ ଉତ୍ପାଦ, ରତ୍ନ ପଥର ଏବଂ ଅଳଙ୍କାର ଆଦି ଉତ୍ପାଦ ରପ୍ତାନିକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି ।
ଅତିରିକ୍ତ ସଚିବ ଯଶବୀର ସିଂ ଆହୁରି କହିଛନ୍ତି, ବ୍ୟବସାୟିକ ସୁଗମତାରେ ସୁଧାର ପାଇଁ ବିଭାଗ ଅନେକ ଡିଜିଟାଲ୍ ପଦକ୍ଷେପ ଆରମ୍ଭ କରିଛି । ଏଥିରେ ଟ୍ରେଡ୍ କନେକ୍ଟ ପୋର୍ଟାଲ, ଟ୍ରେଡ୍ ଇଣ୍ଟେଲିଜେନ୍ସ ଆଣ୍ଡ୍ ଆନାଲିଟିକ୍ସ ପୋର୍ଟାଲ, ମର୍ଚାଣ୍ଡାଇଜ୍ ଇମ୍ପୋର୍ଟ ମନିଟରିଂ ପୋର୍ଟାଲ, ଇ-ଆଇଇସି ଜେନେରେସନ୍ ଏବଂ ଅନଲାଇନ୍ ସାର୍ଟିଫିକେସନ୍ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହି ପଦକ୍ଷେପଗୁଡ଼ିକ ସ୍ୱଚ୍ଛତାକୁ ବୃଦ୍ଧି କରିବା ସହିତ ଅନୁପାଳନ ବୋଝ ହ୍ରାସ କରିଛି ଏବଂ ବାଣିଜ୍ୟ-ସମ୍ବନ୍ଧୀୟ ସେବାଗୁଡ଼ିକର ଉପଲବ୍ଧତାକୁ ଉନ୍ନତ କରିଛି।
ସେ ଆହୁରି କହିଛନ୍ତି, ୟୁରୋପ, ଅଷ୍ଟ୍ରେଲିଆ, ବ୍ରିଟେନ, ଓମାନ, ନ୍ୟୁଜିଲ୍ୟାଣ୍ଡ, ୟୁଏଇ ଆଦି ଦେଶ ସହିତ ମୁକ୍ତ ବାଣିଜ୍ୟ ରାଜିନାମା ଫଳରେ ଭାରତର ବାଣିଜ୍ୟିକ ସମ୍ପର୍କ ମଜବୁତ ହୋଇଛି। ଏସବୁ ରାଜିନାମା ବଜାର ସଂଯୋଗ ବଢ଼ାଇବା ସହିତ ଶୁଳ୍କ ହ୍ରାସ କରିଛି, ନିବେଶକୁ ପ୍ରୋତ୍ସାହିତ କରିଛି ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସ୍ଥିତିକୁ ମଜବୁତ କରିଛି ।
ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ କହିଛନ୍ତି, ଭାରତର ସାମୁଦ୍ରିକ ଉତ୍ପାଦ କ୍ଷେତ୍ର ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ୨୦୨୫-୨୬ରେ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି ୮.୪୫ ବିଲିୟନ ଡଲାର ଛୁଇଁଛି ଯାହାକି ଏକ ରେକର୍ଡ । ଏଥିରେ ପ୍ରକ୍ରିୟାକୃତ ଚିଙ୍ଗୁଡ଼ି ରପ୍ତାନିର ଅଂଶଧନ ୬୬%ରୁ ଅଧିକ । ଆମେରିକା ଏବଂ ଚୀନ ସବୁଠୁ ଅଧିକ ଭାରତୀୟ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ଆମଦାନୀ କରୁଛନ୍ତି । ଉନ୍ନତ ମାନ, ସହଜ ବ୍ୟବସ୍ଥା, ଭିତ୍ତିଭୂମି ବିକାଶ ଏବଂ ବଜାର ବିବିଧତାକୁ ପ୍ରୋତ୍ସାହନ ଜରିଆରେ ଭାରତୀୟ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନିକୁ ସମର୍ଥନ କରାଯାଇଛି।
