ଶସ୍ତାରେ ଘରଭଡ଼ା ନିହାତି ଜରୁରୀ

ଶସ୍ତାରେ ଘରଭଡ଼ା ନିହାତି ଜରୁରୀ

ରାଜ୍ୟର ସମସ୍ତ ସହରାଞ୍ଚଳରେ ବେଆଇନ ଭାବେ ବଢ଼ୁଥିବା ବସ୍ତି ସଂଖ୍ୟା ଉପରେ ରୋକ୍ ଲଗାଇବା ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ସୁରକ୍ଷିତ ବାସଗୃହ ଯୋଗାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛନ୍ତି। ‘ପିଏମ୍-ଆବାସ (ସହରାଞ୍ଚଳ) ୨.୦’ ଅଧୀନରେ ଏଣିକି ସହରାଞ୍ଚଳରେ ନିର୍ମାଣ ହେବାକୁ ଥିବା ସମସ୍ତ ପକ୍କାଘର ମଧ୍ୟରୁ ଠିକ୍ ଅଧା (୫୦%) ଘର ବସ୍ତିବାସିନ୍ଦା ଏବଂ ଆର୍ଥିକ ଦୁର୍ବଳ ବର୍ଗର (EWS) ଲୋକଙ୍କୁ ବିକ୍ରି କରାଯିବ। ସବୁଠାରୁ ବଡ଼ ସଂସ୍କାର ହେଉଛି, ବାକି ୫୦% ଘରକୁ ସରକାର ନିଜ ଅଧୀନରେ ରଖି କମ୍ ଟଙ୍କାରେ ଭଡ଼ାରେ ଲଗାଇବେ

ଏହି ସମ୍ପୂର୍ଣ୍ଣ ମେଗା ପ୍ରକଳ୍ପର ନୋଡାଲ ସଂସ୍ଥା ଭାବେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟ କରିବାକୁ ଥିବାବେଳେ, କେଉଁ ଘର ଭଡ଼ାରେ ଲାଗିବ ଏବଂ କେମିତି ସ୍ୱଚ୍ଛତାର ସହ ଅର୍ଥ ଆଦାୟ ହେବ, ସେହି ସମସ୍ତ ଦାୟିତ୍ୱ ସ୍ଥାନୀୟ ପୌରସଂସ୍ଥା କୁ ପ୍ରଦାନ କରାଯାଇଛି।

ଏହି ‘କମ୍ ଟଙ୍କାରେ ସରକାରୀ ଭଡ଼ାଘର’ ମଡେଲ୍ କେବଳ ସହରରେ ସୀମିତ ନରହି ରାଜ୍ୟର ପ୍ରତିଟି ପଞ୍ଚାୟତ ସ୍ତରରେ ମଧ୍ୟ କାର୍ଯ୍ୟକାରୀ ହେବା ଜରୁରୀ। ଆଜିର ଦିନରେ ଗ୍ରାମାଞ୍ଚଳ ବା ପଞ୍ଚାୟତଗୁଡ଼ିକରେ ମଧ୍ୟ ବ୍ୟାପକ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଶିକ୍ଷାନୁଷ୍ଠାନ ଗଢ଼ି ଉଠୁଛି। ପଞ୍ଚାୟତ ସ୍ତରରେ ସରକାରୀ ଶସ୍ତା ଭଡ଼ାଘର କରାଗଲେ ସାଧାରଣ ଲୋକ ଉପକୃତ ହେବେ ।

ସହର ହେଉ କି ପଞ୍ଚାୟତ, ଆଜିକାଲି ଘରଭଡ଼ା ବାବଦରେ ଜଣେ ସାଧାରଣ ମଧ୍ୟବିତ୍ତ ବା ଗରିବ ଲୋକର ରୋଜଗାରର ଏକ ବଡ଼ ଭାଗ ଖର୍ଚ୍ଚ ହୋଇଯାଉଛି। ସରକାରୀ ସ୍ତରରେ କମ୍ ଟଙ୍କାରେ ସୁରକ୍ଷିତ ଘର ମିଳିଲେ, ଲୋକଙ୍କ ବ୍ୟକ୍ତିଗତ ସଞ୍ଚୟ ବୃଦ୍ଧି ପାଇବ, ଯାହାକୁ ସେମାନେ ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟରେ ବିନିଯୋଗ କରିପାରିବେ।

ସରକାରୀ ଆବାସ ଯୋଜନାରେ ପାନୀୟ ଜଳ, ବିଦ୍ୟୁତ୍ ଏବଂ ଶୌଚାଳୟର ସଠିକ୍ ବ୍ୟବସ୍ଥା ଥିବାରୁ, ବସ୍ତି ବା ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବ ଏବଂ ରୋଗବ୍ୟାଧି ହ୍ରାସ ପାଇବ।

ଯଦି ପୌରସଂସ୍ଥା ଭଳି ଗ୍ରାମୀଣ ସ୍ତରରେ ପଞ୍ଚାୟତକୁ ଏହି ଘରଗୁଡ଼ିକର ରକ୍ଷଣାବେକ୍ଷଣ ଓ ଭଡ଼ା ଆଦାୟ ଦାୟିତ୍ୱ ଦିଆଯାଏ, ତେବେ ପଞ୍ଚାୟତର ନିଜସ୍ୱ ପାଣ୍ଠି ବୃଦ୍ଧି ପାଇବ, ଯାହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅଧିକ ବିକାଶମୂଳକ କାର୍ଯ୍ୟ ହୋଇପାରିବ।ପଞ୍ଚାୟତଗୁଡ଼ିକରେ ନିୟୋଜିତ ହେଉଥିବା ପ୍ରାଥମିକ ଶିକ୍ଷକ, ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି ସୁପରଭାଇଜର ଏବଂ ପଞ୍ଚାୟତ କାର୍ଯ୍ୟାଳୟର ତଳିଆ କର୍ମଚାରୀମାନେ ଅନ୍ୟ ଅଞ୍ଚଳରୁ ଆସି ରହିବା ପାଇଁ ଭଲ ଘର ପାଆନ୍ତି ନାହିଁ। କମ୍ ଟଙ୍କାରେ ସରକାରୀ ଭଡ଼ାଘର ମିଳିଲେ ସେମାନେ ସେହି ଅଞ୍ଚଳରେ ରହି ନିଷ୍ଠାର ସହ ସେବା ଯୋଗାଇ ପାରିବେ।

କାମ ଧନ୍ଦା ଅନ୍ୱେଷଣରେ ଗୋଟିଏ ବ୍ଲକ୍ ବା ପଞ୍ଚାୟତରୁ ଅନ୍ୟ ପଞ୍ଚାୟତକୁ ଯାଉଥିବା ନିର୍ମାଣ ଶ୍ରମିକ ଓ ଦିନମଜୁରିଆମାନେ ଖୋଲା ଆକାଶ ତଳେ ବା ଅସ୍ୱାସ୍ଥ୍ୟକର ପରିବେଶରେ ରୁହନ୍ତି। ପଞ୍ଚାୟତ ସ୍ତରରେ ଏଭଳି ସୁବିଧା ରହିଲେ ସେମାନଙ୍କୁ ସୁରକ୍ଷିତ ଆଶ୍ରୟ ମିଳିବ।

ଉଚ୍ଚଶିକ୍ଷା ପାଇଁ ପଞ୍ଚାୟତ କିମ୍ବା ବ୍ଲକ୍ ମୁଖ୍ୟାଳୟକୁ ଆସୁଥିବା ଗରିବ ପରିବାରର କଲେଜ୍ ଛାତ୍ରଛାତ୍ରୀମାନେ ମହଙ୍ଗା ମେସ୍ ବା ଲଜିଂ ଖର୍ଚ୍ଚ ତୁଲାଇ ପାରନ୍ତି ନାହିଁ। ସେମାନଙ୍କ ପାଇଁ ଏହା ଶିକ୍ଷା କ୍ଷେତ୍ରରେ ଏକ ବଡ଼ ସହାୟତା ସାଜିବ।

ସରକାରଙ୍କ ଏହି ସହରାଞ୍ଚଳ ୨.୦ ମଡେଲ୍ ବେଆଇନ ବସ୍ତି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ଦୃଢ଼ ପଦକ୍ଷେପ। କିନ୍ତୁ ଭବିଷ୍ୟତରେ ଯଦି ଏହି କମ୍ ଟଙ୍କାର ‘ରେଣ୍ଟାଲ୍ ହାଉସିଂ ସ୍କିମ୍’ (Rental Housing Scheme) କୁ ପଞ୍ଚାୟତ ସ୍ତରକୁ ସମ୍ପ୍ରସାରିତ କରାଯାଏ, ତେବେ ଏହା ଓଡ଼ିଶାର ଗ୍ରାମୀଣ ଅର୍ଥନୀତି ଏବଂ ସାଧାରଣ ଜନତାଙ୍କ ପାଇଁ ଏକ ଯୁଗାନ୍ତକାରୀ କଲ୍ୟାଣକାରୀ ପଦକ୍ଷେପ ସାବ୍ୟସ୍ତ ହେବ।

Posted in ରାଜ୍ୟ.