ଓଡ଼ିଶାରେ ବର୍ଷା ହେବାରେ ବିଳମ୍ବ !

ଓଡ଼ିଶାରେ ବର୍ଷା ହେବାରେ ବିଳମ୍ବ !

ଓଡ଼ିଆ ସଂସ୍କୃତି ଓ ଗଣପର୍ବ ରଜର ସମ୍ପର୍କ ସିଧାସଳଖ ଆମ ମାଟି ଏବଂ କୃଷି ସଭ୍ୟତା ସହିତ ଜଡ଼ିତ। ପରମ୍ପରା ଅନୁସାରେ, ମୌସୁମୀ ବାୟୁର ଆଗମନ ସହିତ ପ୍ରଥମ ବର୍ଷା ଜଳ ପାଇ ଜମିର ଶୁଖିଲା ମାଟି ଆର୍ଦ୍ର ହୋଇଥାଏ, ଯାହାକୁ ଧରିତ୍ରୀ ମାତାଙ୍କ ରଜସ୍ୱଳା ସମୟ ବୋଲି ବିଶ୍ୱାସ କରାଯାଏ। ଏହି ସମୟରେ ମାଟିକୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଏ। ତିନି ଦିନ ଧରି ରଜ ପର୍ବ ପାଳନ ହେବା ପରେ ଚତୁର୍ଥ ଦିନରେ ‘ବସୁମତୀ ସ୍ନାନ’ ମାଧ୍ୟମରେ ମାଟି ମା’କୁ ହଳଦୀ-ପାଣିରେ ସ୍ନାନ କରାଇ ପୂଜା କରାଯାଏ ଏବଂ ଏହା ପରେ ଚାଷୀ ଭାଇମାନେ ଚାଷ କାର୍ଯ୍ୟର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ କରିଥାନ୍ତି। ହେଲେ ଚଳିତ ବର୍ଷ ପରମ୍ପରା ଓ ବିଶ୍ୱାସ ଭିତରେ ପ୍ରକୃତି ବାଧକ ସାଜିଛି। ରଜ ଶେଷ ହେବାକୁ ବସିଥିଲେ ମଧ୍ୟ ବର୍ଷାର ଦେଖା ନାହିଁ। ବର୍ଷା ଅଭାବରୁ ଏପର୍ଯ୍ୟନ୍ତ ଓଡ଼ିଶାରେ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ, ଯାହାକୁ ନେଇ ଚାଷୀକୂଳ ଘୋର ଚିନ୍ତାରେ ପଡ଼ିଛନ୍ତି।

ସାଧାରଣତଃ ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶା ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ ଭାରତ ମହାସାଗର ଏବଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପରିବେଶ ମୌସୁମୀ ବାୟୁକୁ ସକ୍ରିୟ କରିବାରେ ବାଧା ସୃଷ୍ଟି କରୁଛି। ମୌସୁମୀ ସ୍ରୋତ ଦୁର୍ବଳ ଥିବାରୁ ଏହା ଆଗକୁ ବଢ଼ିପାରୁ ନାହିଁ, ଯାହାଫଳରେ ଓଡ଼ିଶାରେ ବର୍ଷା ବିଳମ୍ବ ହେଉଛି। ଓଡ଼ିଶାରେ ମୌସୁମୀ ବର୍ଷା ମୁଖ୍ୟତଃ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଉପରେ ନିର୍ଭର କରେ। ବର୍ତ୍ତମାନ ବଙ୍ଗୋପସାଗରରେ କୌଣସି ସକ୍ରିୟ ପାଣିପାଗ ନିୟାମକ କିମ୍ବା ଲଘୁଚାପ ବଳୟ ସୃଷ୍ଟି ହେଉନାହିଁ, ଯାହା ମୌସୁମୀ ବାୟୁକୁ ଓଡ଼ିଶା ଆଡ଼କୁ ଟାଣି ଆଣିବାରେ ସହାୟକ ହୋଇଥାନ୍ତା। ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଶାନ୍ତ ମହାସାଗରରେ ହେଉଥିବା ପରିବର୍ତ୍ତନ (ଏଲ୍ ନିନୋ ପ୍ରଭାବ) ଯୋଗୁଁ ଭାରତୀୟ ମୌସୁମୀର ରୂପରେଖ ବଦଳିବାରେ ଲାଗିଛି। ବାୟୁମଣ୍ଡଳରେ ଅତ୍ୟଧିକ ଉତ୍ତାପ ଯୋଗୁଁ ଆଦ୍ରତା କମିଯାଉଛି, ଯାହା ବାଦଲ ସୃଷ୍ଟି ହେବାର ପ୍ରକ୍ରିୟାକୁ ବାଧିତ କରୁଛି। ଓଡ଼ିଶା ଆକାଶକୁ ଆଦ୍ରତାପୂର୍ଣ୍ଣ ପଶ୍ଚିମା କିମ୍ବା ଦକ୍ଷିଣ-ପଶ୍ଚିମା ପବନ ଆସିବା ପରିବର୍ତ୍ତେ ଶୁଷ୍କ ଉତ୍ତର-ପଶ୍ଚିମା ପବନ ବହୁଛି। ଏହି ଗରମ ଓ ଶୁଷ୍କ ପବନ ମୌସୁମୀ ବାୟୁକୁ ଉପକୂଳ ମୁହାଁ ହେବାକୁ ଦେଉନାହିଁ, ଯାହାଫଳରେ ବର୍ଷା ନହୋଇ ଗୁଳୁଗୁଳି ଜାରି ରହିଛି।

ଜମି ଶୁଖିଲା ପଡ଼ିଥିବାରୁ ଧାନ ବୁଣା କାର୍ଯ୍ୟ ସମ୍ପୂର୍ଣ୍ଣ ବାଧପ୍ରାପ୍ତ ହୋଇଛି। ଯଦି ଆଗାମୀ କିଛି ଦିନ ମଧ୍ୟରେ ବର୍ଷା ନହୁଏ, ତେବେ ଖରିଫ ଧାନ ଚାଷର ଅବଧି କମିଯିବ ଏବଂ ଏହା ଉତ୍ପାଦନ ଉପରେ ବଡ଼ ପ୍ରଭାବ ପକାଇବ। ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜୁନ୍ ତୃତୀୟ ସପ୍ତାହ ଆଡ଼କୁ ବଙ୍ଗୋପସାଗରରେ ଏକ ସାମାନ୍ୟ ହଲଚଲ ଦେଖାଯାଇପାରେ, ଯାହା ମୌସୁମୀକୁ ଓଡ଼ିଶାରେ ସକ୍ରିୟ କରିବ। ଚାଷୀ ଭାଇମାନେ ଏବେ ବର୍ଷା ଅପେକ୍ଷାରେ କେବେ ଭଲ ବର୍ଷା ହେବ ,ଆଉ ଚାଷୀ ମୁହଁରେ ହସ ଫେରିବ ଅପେକ୍ଷା ।

Posted in ରାଜ୍ୟ.