ବିଶ୍ୱରେ ସମ୍ପଦର ନୁହେଁ ‘ବିଶ୍ୱାସ’ର ଅଭାବ ଅଛି; ହର୍ମୁଜ ପ୍ରଣାଳୀ ସଙ୍କଟ ଓ ନାବିକଙ୍କ ସୁରକ୍ଷା ଉପରେ ରଖିଲେ ବଡ଼ ବୟାନ!

ବିଶ୍ୱରେ ସମ୍ପଦର ନୁହେଁ ‘ବିଶ୍ୱାସ’ର ଅଭାବ ଅଛି; ହର୍ମୁଜ ପ୍ରଣାଳୀ ସଙ୍କଟ ଓ ନାବିକଙ୍କ ସୁରକ୍ଷା ଉପରେ ରଖିଲେ ବଡ଼ ବୟାନ!

ଜୀ-୭ ସମିଟ୍‌ରେ ଯୋଗଦେଇ ବିଶ୍ୱ ସମୁଦାୟ ସାମ୍ନାରେ ଭାରତର ପକ୍ଷ ଏବଂ ମାନବିକତାର ସ୍ୱରକୁ ଦୃଢ଼ ଭାବେ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଉଷ୍ମ ସ୍ୱାଗତ ପାଇଁ ହାର୍ଦ୍ଦିକ କୃତଜ୍ଞତା ଜଣାଇବା ସହ ଆଜିର ପରସ୍ପର ନିର୍ଭରଶୀଳ ବିଶ୍ୱରେ ‘ଆପୋଷ ବିଶ୍ୱାସ’ କୁ ସବୁଠାରୁ ବଡ଼ ରଣନୈତିକ ସମ୍ପଦ ବୋଲି ଅଭିହିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ପଶ୍ଚିମ ଏସିଆ ର ସାମ୍ପ୍ରତିକ ସଂଘର୍ଷ ଏବଂ ସାମୁଦ୍ରିକ ସୁରକ୍ଷା ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଅନେକ ମିତ୍ର ଦେଶକୁ ଧନଜୀବନ ହରାଇବାକୁ ପଡ଼ିଛି। ବିଶେଷ କରି ‘ହର୍ମୁଜ ଷ୍ଟ୍ରେଟ୍’ (Strait of Hormuz) ରେ ସାମୁଦ୍ରିକ ବାଣିଜ୍ୟରେ ସୃଷ୍ଟି ହୋଇଥିବା ବାଧା ଯୋଗୁଁ ସମଗ୍ର ବିଶ୍ୱର ଅର୍ଥନୀତି ବହୁମାତ୍ରାରେ ପ୍ରଭାବିତ ହୋଇଛି। ଏହି ସଙ୍କଟ କାରଣରୁ ଭାରତର ଅନେକ ନାଗରିକ ମଧ୍ୟ ଜୀବନ ହରାଇଛନ୍ତି।

ବିଶ୍ୱ ବାଣିଜ୍ୟକୁ ଯୋଡ଼ୁଥିବା ନାବିକ ବା ‘ସିଫେରର୍ସ’ (Seafarers) ମାନଙ୍କ ସୁରକ୍ଷା ସାରା ବିଶ୍ୱର ଦାୟିତ୍ୱ। ସମୁଦ୍ର ପଥ ଯେପରି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ଏବଂ ନାବିକମାନେ ବିନା ଭୟରେ କାର୍ଯ୍ୟ କରିପାରିବେ, ତାହା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ଜୀ-୭ ମଞ୍ଚରୁ ଆହ୍ୱାନ ଦେଇଛନ୍ତି।

ଆଜିର ବିଶ୍ୱରେ ଉର୍ଜା, ଖାଦ୍ୟ, ସାଇବର ଏବଂ ଆର୍ଥିକ ସୁରକ୍ଷା କୌଣସି ଗୋଟିଏ ଦେଶର ସୀମା ଭିତରେ ସୀମିତ ନୁହେଁ। କୋଭିଡ ମହାମାରୀ ସମୟରେ ବିଶ୍ୱସ୍ତରୀୟ ସହଯୋଗର ଅସଲ ଚେହେରା ସାମ୍ନାକୁ ଆସିଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜିର ବିଶ୍ୱ ସମ୍ପଦର ଅଭାବ ଯୋଗୁଁ ନୁହେଁ, ବରଂ ବିଶ୍ୱାସର ଅଭାବ ଯୋଗୁଁ ସଙ୍କଟ ଦେଇ ଗତି କରୁଛି।” ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରେଗନଙ୍କ ନୀତି ବିଶ୍ୱାସ କର କିନ୍ତୁ ଯାଞ୍ଚ କର ଆଜିର ସମୟରେ ମଧ୍ୟ ପ୍ରାସଙ୍ଗିକ। ଆଗାମୀ ପିଢ଼ି ପାଇଁ ଏକ ନିୟମ ଆଧାରିତ ବିଶ୍ୱ ବ୍ୟବସ୍ଥାଗଢ଼ିବା ସମସ୍ତଙ୍କର ଦାୟିତ୍ୱ।

ଭାରତ ସଦାସର୍ବଦା “ସର୍ବଜନ ହିତାୟ, ସର୍ବଜନ ସୁଖାୟ” ଏବଂ ‘ବସୁଧୈବ କୁଟୁମ୍ବକମ’ ନୀତିରେ ବିଶ୍ୱାସ କରିଆସିଛି। ସଙ୍କଟ ସମୟରେ ଭାରତ ସଦାବେଳେ ପ୍ରଥମ ସହାୟକ (First Responder) ସାଜିଛି। କୋଭିଡ ସମୟରେ ୧୫୦ରୁ ଅଧିକ ଦେଶକୁ ମାଗଣା ପ୍ରତିଷେଧକ ଓ ଔଷଧ ଯୋଗାଇବା ହେଉ କିମ୍ବା ଶ୍ରୀଲଙ୍କାରେ ବାତ୍ୟା, ଆଫଗାନିସ୍ତାନରେ ଭୂକମ୍ପ, ମୋଜାମ୍ବିକରେ ବନ୍ୟା ଏବଂ କ୍ୟୁବାରେ ସାମୁଦ୍ରିକ ଝଡ଼ ସମୟରେ ସହାୟତା— ଭାରତ ସଦାବେଳେ “Humanity First” (ମାନବିକତା ସର୍ବାଗ୍ରେ) ନୀତିରେ କାମ କରିଛି।

ଏହାସହ ‘ଗ୍ଲୋବାଲ ସାଉଥ୍’ ର ବିକାଶଶୀଳ ଦେଶଗୁଡ଼ିକର ଆଶା ଆକାଂକ୍ଷାକୁ ନେଇ ମୋଦୀ କହିଛନ୍ତି ଯେ, ଏହି ଦେଶଗୁଡ଼ିକୁ କେବଳ ସାହାଯ୍ୟର ଆବଶ୍ୟକତା ନାହିଁ, ବରଂ ସେମାନେ ବିଶ୍ୱ ବିକାଶରେ ସମାନ ଅଂଶୀଦାର (Equal Partners) ହେବାକୁ ଚାହାନ୍ତି। ଆମକୁ ଦାତା ଓ ଗ୍ରହିତା (Donor-Recipient) ର ପୁରୁଣା ଚିନ୍ତାଧାରାରୁ ବାହାରି ପରସ୍ପରକୁ ସମ୍ମାନ ଦେଇ ସାଥୀ ହୋଇ ଚାଲିବାକୁ ହେବ। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ଯୁଦ୍ଧ ଓ ଉତ୍ତେଜନାର ସ୍ଥାୟୀ ସମାଧାନ କେବଳ ଚର୍ଚ୍ଚା, କୂଟନୀତି ଏବଂ ଆନ୍ତର୍ଜାତୀୟ ସହଯୋଗ ମାଧ୍ୟମରେ ହିଁ ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ ପ୍ରକାଶ କରିଛନ୍ତି।

Posted in ଦେଶ ବିଦେଶ and tagged .