ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ କେନ୍ଦୁଝର ଜିଲ୍ଲାର ୫ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ପୁଣି ଥରେ ରାଜ୍ୟର ଦାଦନ ସମସ୍ୟାକୁ ଚର୍ଚ୍ଚାର ପରିସରକୁ ଆଣିଛି। ପେଟର ଜ୍ୱାଳା ଲିଭାଇବା ପାଇଁ ହଜାର ହଜାର କିଲୋମିଟର ଦୂରକୁ ଯାଇ ଅସୁରକ୍ଷିତ ପରିବେଶରେ କାମ କରୁଥିବା ଏହି ଶ୍ରମିକମାନଙ୍କ ସୁରକ୍ଷା ଏବଂ ସେମାନଙ୍କୁ ନିଜ ଜିଲ୍ଲାରେ କାମ ଯୋଗାଇଦେବା ଏବେ ସବୁଠାରୁ ବଡ଼ ଆହ୍ୱାନ। ଏଭଳି ଅଭାବନୀୟ ଘଟଣାକୁ ରୋକିବା ଏବଂ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୃଷ୍ଟି କରିବା ପାଇଁ ସରକାର ଦୃଷ୍ଟି ଦେବା ଆବଶ୍ୟକ । ଅନେକ ସମୟରେ ଓଡ଼ିଶାର ଶ୍ରମିକମାନେ ବେଆଇନ ଦଲାଲ୍ଙ୍କ ଜରିଆରେ ବାହାର ରାଜ୍ୟକୁ ଯାଇଥାନ୍ତି, ଯାହାଫଳରେ ସରକାରଙ୍କ ପାଖରେ ସେମାନଙ୍କର କୌଣସି ସଠିକ୍ ତଥ୍ୟ ନଥାଏ। ଯାହା ଫଳରେ ଏଭଳି ଅଘଟଣ ଘଟିବା ପରେ ସରକାର ତତ୍ପର ହେଉଥିବା ଦେଖାଯାଇଥାଏ । ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ବାହାରକୁ ଯାଉଥିବା ଶ୍ରମିକଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବା ଆବଶ୍ୟକ। କିନ୍ତୁ ଯାହା ଦେଖାଯାଉଛି ତାହା ହେଉନାହିଁ । ଓଡ଼ିଶା ସରକାର ଅନ୍ୟ ରାଜ୍ୟଗୁଡ଼ିକ ସହ ମିଶି ଓଡ଼ିଆ ଶ୍ରମିକ କାମ କରୁଥିବା ସଂସ୍ଥାଗୁଡ଼ିକର କାର୍ଯ୍ୟକ୍ଷେତ୍ରର ସୁରକ୍ଷା (Safety Audit) ଯାଞ୍ଚ କରିବା ଉଚିତ, ଯେପରି କୌଣସି କାରଖାନାରେ ବିପଦଜନକ ସ୍ଥିତି ନଥାଏ। ତାହା ଜଣାପଡ଼ୁନାହିଁ । କେନ୍ଦୁଝର ଭଳି ଜିଲ୍ଲାରେ ପ୍ରଚୁର ପ୍ରାକୃତିକ ସମ୍ପଦ ଥିବା ସତ୍ତ୍ୱେ ଶ୍ରମିକମାନେ ବାହାରକୁ ଯାଉଛନ୍ତି। ଯାହା ଚିନ୍ତାର ବିଷୟ । ମୁଖ୍ୟମନ୍ତ୍ରୀ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଜିଲ୍ଲାଗୁଡ଼ିକରେ ଉତ୍ପାଦିତ ହେଉଥିବା କୃଷିଜାତ ଦ୍ରବ୍ୟ ଓ ଜଙ୍ଗଲଜାତ ଦ୍ରବ୍ୟ ପାଇଁ ସ୍ଥାନୀୟ ସ୍ତରରେ ଛୋଟ ଛୋଟ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରାଗଲେ ଶତାଧିକ ଶ୍ରମିକ ନିଜ ଗାଁ ପାଖରେ କାମ ପାଇପାରିବେ। କେବଳ ମୌସୁମୀ ଉପରେ ନିର୍ଭର ନକରି ଜଳସେଚନର ସୁବିଧା କରାଗଲେ ଚାଷୀ ଓ ଶ୍ରମିକମାନେ ବର୍ଷସାରା ନିଜ ଜମିରେ କାମ ପାଇବେ ଏବଂ ବାହାରକୁ ଯିବାକୁ ପଡ଼ିବ ନାହିଁ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (MGNREGA) ଦାଦନ ସମସ୍ୟା ରୋକିବାରେ ଏକ ବଡ଼ ଅସ୍ତ୍ର ହୋଇପାରିବ।
ଶ୍ରମିକମାନଙ୍କୁ କାମ ମିଳିବା ସହ ସେମାନଙ୍କ ପ୍ରାପ୍ୟ ତୁରନ୍ତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବା ଦରକାର। ଦାଦନ ପ୍ରବଣ ଜିଲ୍ଲାଗୁଡ଼ିକରେ ବାର୍ଷିକ କାର୍ଯ୍ୟ ଦିବସକୁ ୧୦୦ ଦିନରୁ ବଢ଼ାଇ ଅତିକମରେ ୨୦୦ ଦିନ କରିବା ଏବଂ ଦୈନିକ ମଜୁରୀର ପରିମାଣ ବୃଦ୍ଧି କରିବା ଆବଶ୍ୟକ, ଯାହା ଦ୍ୱାରା ଶ୍ରମିକମାନେ ନିଜ ଭିଟାମାଟି ଛାଡ଼ିବାକୁ ଚାହିଁବେ ନାହିଁ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (OSDA) ଜରିଆରେ ଗ୍ରାମାଞ୍ଚଳର ଯୁବକ ଓ ଶ୍ରମିକମାନଙ୍କୁ ଆଧୁନିକ ବୈଷୟିକ କାମର ପ୍ରଶିକ୍ଷଣ ଦିଆଯିବା ଉଚିତ। କେନ୍ଦୁଝର, ସୁନ୍ଦରଗଡ଼ ଭଳି ଖଣି ଓ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଥିବା ବଡ଼ ବଡ଼ କମ୍ପାନୀଗୁଡ଼ିକରେ ଚତୁର୍ଥ ଶ୍ରେଣୀ ଓ ଶ୍ରମିକ ପଦବୀ ପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରାଥମିକତା ଦେବା ନେଇ ସରକାରୀ ନିୟମକୁ ଅଧିକ କଡ଼ାକଡ଼ି କରାଯିବା ଆବଶ୍ୟକ।
ତାମିଲନାଡୁ ଗ୍ୟାସ୍ ଲିକ୍ ଭଳି ଘଟଣା ଆମ ବ୍ୟବସ୍ଥା ପାଇଁ ଏକ ଆଖିଖୋଲା ଗୁଳି ସଦୃଶ। କେବଳ ସହାୟତା ରାଶି ଘୋଷଣା କରି ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ। ଯେ ପର୍ଯ୍ୟନ୍ତ ଗାଁ ଗାଁରେ ରୋଜଗାରର ସ୍ଥାୟୀ ମାଧ୍ୟମ ସୃଷ୍ଟି ହୋଇନାହିଁ, ସେ ପର୍ଯ୍ୟନ୍ତ ଓଡ଼ିଆ ଶ୍ରମିକ ବାହାର ରାଜ୍ୟରେ ଏଭଳି ବିପଦଜନକ ପରିବେଶରେ କାମ କରିବାକୁ ବାଧ୍ୟ ହେଉଥିବେ। ତେଣୁ ସରକାର ଓ ପ୍ରଶାସନ ତୃଣମୂଳ ସ୍ତରରେ ବିକାଶମୂଳକ ନୀତି ପ୍ରଣୟନ କରିବା ଏବେ ସମୟର ସବୁଠାରୁ ବଡ଼ ଆବଶ୍ୟକତା। ତେବେ ଯାଇ ପେଟ ପାଇଁ ସୁଦୂର ତାମିଲନାଡୁକୁ ଦାଦନ ଖଟିବାକୁ ଓଡ଼ିଆ ଶ୍ରମିକ ଆଉ ଯିବେ ନାହିଁ । ତାମିଲନାଡୁର ତିରୁଭଲ୍ଲୁରରେ ଘଟିଥିବା ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ଓଡ଼ିଶାର ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ପରେ ସରକାରଙ୍କ ଏଥିପ୍ରତି ନିଶ୍ଚୟ ଆଭିମୁଖ୍ୟ ବଦଳିବ । ପ୍ରାଣ ହରାଇଥିବା ସମସ୍ତ ୫ ଜଣ ଶ୍ରମିକ କେନ୍ଦୁଝର ଜିଲ୍ଲାର ହୋଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିପ୍ରତି ନିଶ୍ଚୟ ଦୃଷ୍ଟି ଦେବେ ବୋଲି ଆଶା ।
ସୂ
