ରାଜ୍ୟର ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ନୂତନ ପାଠ୍ୟ ପୁସ୍ତକ ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୂଆ ବହି ଛପା ପାଇଁ SCERT କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଓସେପା (OSEPA) ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ବିଭିନ୍ନ ଶ୍ରେଣୀର ତ୍ରୁଟି ଥିବା ବହିଗୁଡ଼ିକୁ ମଗାଇ ମନ୍ତ୍ରୀ ଓ ସଚିବ ନିଜେ ତର୍ଜମା କରିବା ସହ ନୂଆ ବହି କେତେ ଶୀଘ୍ର ଛପାଯିବ ଏବଂ ଏହାର କୋର୍ସ କ’ଣ ରହିବ, ସେ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।
ଗତକାଲି ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକ ସ୍ପଷ୍ଟ କରିଥିଲେ ଯେ, ରାଜ୍ୟର ସମସ୍ତ ସରକାରୀ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।
ଶିକ୍ଷାବର୍ଷ ଆରମ୍ଭ ହେବାର ମାସ ମାସ ପରେ ମଧ୍ୟ ବହିରେ ତ୍ରୁଟି ରହିବା କାରଣରୁ କୋମଳମତି ଶିଶୁମାନଙ୍କ ଭବିଷ୍ୟତ ଓ ଶିକ୍ଷା ଗ୍ରହଣ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ତେଣୁ ସରକାର କେବଳ ପ୍ରତିଶ୍ରୁତିରେ ସୀମିତ ନରହି ଯୁଦ୍ଧକାଳୀନ ଭିତ୍ତିରେ ନୂଆ ଏବଂ ଶୁଦ୍ଧ ପାଠ୍ୟପୁସ୍ତକ ପ୍ରତିଟି ପିଲାଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ। ଶିକ୍ଷାଦାନ ସମୟ ସଂକୁଚିତ ହେଉଥିବାରୁ ଛପା ଏବଂ ବଣ୍ଟନ ପ୍ରକ୍ରିୟାକୁ ଦ୍ରୁତଗତିରେ ଶେଷ କରିବା ଏବେ ସବୁଠାରୁ ବଡ଼ ଆହ୍ୱାନ।
ପାଠ୍ୟପୁସ୍ତକ ଭଳି ଏକ ସେନ୍ସିଟିଭ୍ ପ୍ରସଙ୍ଗରେ ଏଭଳି ବଡ଼ ଧରଣର ବିଭ୍ରାଟ କେବେ ବି ଗ୍ରହଣୀୟ ନୁହେଁ। ବହି ପ୍ରସ୍ତୁତି, ପ୍ରୁଫ୍ ରୀଡିଂ ଏବଂ ଅନୁମୋଦନ ଦାୟିତ୍ୱରେ ଥିବା ଅଧିକାରୀ ଓ ବିଶେଷଜ୍ଞମାନଙ୍କ ଚରମ ଅବହେଳା ଯୋଗୁଁ ଆଜି ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି।
ରାଜ୍ୟ ଶିକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ଓ ଗାରିମା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଏହା ଦ୍ୱାରା ଆଗାମୀ ଦିନରେ ଶିକ୍ଷା ବିଭାଗରେ ଦାୟିତ୍ୱହୀନତାକୁ ରୋକାଯାଇପାରିବ। ସରକାରଙ୍କ ଏହି ସାମ୍ପ୍ରତିକ ତତ୍ପରତା ସ୍ୱାଗତଯୋଗ୍ୟ, ମାତ୍ର ଏହାର ସଫଳ ରୂପାୟନ ଏବଂ ଭବିଷ୍ୟତର ସତର୍କତା ହିଁ ଓଡ଼ିଶାର ପ୍ରାଥମିକ ଶିକ୍ଷା ସ୍ତରକୁ ସୁଦୃଢ଼ କରିପାରିବ।