ବର୍ଷ ବର୍ଷ ଧରି ଓଡ଼ିଶାର ସବୁଠାରୁ ବଡ଼ ଅଭିଶାପ ସାଜିଛି ‘ଦାଦନ ସମସ୍ୟା’। ଭିଟାମାଟିରେ ରୋଜଗାରର ଅଭାବ ଯୋଗୁଁ ଗଞ୍ଜାମ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଭଳି ବିଭିନ୍ନ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶ୍ରମିକ ଓ ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସେଠାରେ ସେମାନେ ଅନେକ ସମୟରେ ଅମାନୁଷିକ ନିର୍ଯାତନାର ଶିକାର ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ତେବେ ରାଜ୍ୟ ସରକାର ରାଜ୍ୟରେ ନିଯୁକ୍ତି ନେଇ ଅନେକ ଶିଳ୍ପ ବସାଇବାକୁ ଯାଉଛନ୍ତି । ଯଦି ଏହା ସଫଳ ହୁଏ ତେବେ ହଜାର ହଜାର ଯୁବକ ଏଠାରେ କାମ ପାଇବେ । ତେଣୁ ଜାପାନ ଓ UAE ସହ ହୋଇଥିବା ଚୁକ୍ତିନାମା ଓଡ଼ିଶାର ଯୁବକମାନଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି। ଗୋପାଳପୁର ଓ ପାରାଦୀପରେ ପ୍ରକଳ୍ପ ଆରମ୍ଭ ହେଲେ, ଆମ ପିଲାମାନଙ୍କୁ ଆଉ ବାହାର ରାଜ୍ୟ କିମ୍ବା ସୁଦୂର ସୁରଟ, ବେଙ୍ଗାଲୁରୁ, ମୁମ୍ବାଇ ଯାଇ ଦାଦନ ଖଟିବାକୁ ପଡ଼ିବ ନାହିଁ। ନିଜ ମାଟିରେ ସେମାନଙ୍କୁ ଯୋଗ୍ୟତା ଅନୁଯାୟୀ ସମ୍ମାନଜନକ ଜୀବିକା ମିଳିବା ଉଚିତ। ସରକାର ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରି ଦାଦନ ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ, ଯାହା ଦ୍ୱାରା ଓଡ଼ିଶାର ଶ୍ରମଶକ୍ତି ଓଡ଼ିଶାର ପ୍ରଗତିରେ ହିଁ ବିନିଯୋଗ ହୋଇପାରିବ। ସଂଯୁକ୍ତ ଆରବ ଏମିରେଟ୍ସ (UAE) ପରେ ଏବେ ଜାପାନ ସହିତ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି। ଏହି ମେଗା ଚୁକ୍ତି ଅନୁଯାୟୀ ରାଜ୍ୟରେ ପ୍ରାୟ ୬୬ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ, ଯାହା ଓଡ଼ିଶାର ଅର୍ଥନୀତି ଓ ଶିଳ୍ପ ପ୍ରଗତିକୁ ଏକ ନୂଆ ଶିଖରକୁ ନେଇଯିବାର ଆଶା ସଂଚାର ହୋଇଛି ।
ଏହି ବିଦେଶୀ ପୁଞ୍ଜି ନିବେଶ ଜରିଆରେ ରାଜ୍ୟର ଦୁଇ ପ୍ରମୁଖ ବନ୍ଦର ସହର ଗୋପାଳପୁର ଏବଂ ପାରାଦୀପରେ ତିନୋଟି ବୃହତ୍ତ ପ୍ରକଳ୍ପ ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ କେବଳ ଭିତ୍ତିଭୂମିର ବିକାଶ କରିବ ନାହିଁ, ବରଂ ଓଡ଼ିଶାକୁ ବିଶ୍ୱ ଶିଳ୍ପ ମାନଚିତ୍ରରେ ଏକ ପ୍ରମୁଖ ହବ୍ ଭାବେ ପ୍ରତିଷ୍ଠିତ କରିବ। ସରକାରଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଆଗାମୀ ଦିନରେ ରାଜ୍ୟ ପାଇଁ ଗେମ୍-ଚେଞ୍ଜର ସାବ୍ୟସ୍ତ ହେବାକୁ ଯାଉଛି। ଏଭଳି ବୃହତ୍ ପ୍ରକଳ୍ପ ପ୍ରତିଷ୍ଠା ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଆମର ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି। ୬୬ ହଜାର କୋଟିର ଏହି ନିବେଶ ଦ୍ୱାରା ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଜ୍ୟରେ ବେକାରୀ ସମସ୍ୟା ଦୂର କରିବା ପାଇଁ ଏହି ଶିଳ୍ପଗୁଡ଼ିକରେ ଓଡ଼ିଆ ଯୁବକଯୁବତୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା ନିହାତି ଆବଶ୍ୟକ। ନିବେଶ କେବଳ କାଗଜପତ୍ର କିମ୍ବା କୋଠାବାଡ଼ିରେ ସୀମିତ ନରହି, ସ୍ଥାନୀୟ ନିଯୁକ୍ତିରେ ରୂପାନ୍ତରିତ ହେବା ଜରୁରୀ।
ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଯଦି ସଫଳତାର ସହ ମାଟିରେ ଓହ୍ଲାଏ, ତେବେ ଏହା ଓଡ଼ିଶାରୁ ବେକାରୀ ହଟାଇବା ସହ ‘ସମୃଦ୍ଧ ଓଡ଼ିଶା’ ଗଠନ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଓଡ଼ିଶାରେ ଆଦାନୀ ଓ ୟୁଏଇର ୧.୧୦ ଲକ୍ଷ କୋଟିର ପୁଞ୍ଜିନିବେଶ ହେବାକୁ ଯାଉଛି । ଗଢ଼ାହେବ ବିଶାଳ ଆଲୁମିନିୟମ ପ୍ଲାଣ୍ଟ । ଓଡ଼ିଶାର ଶିଳ୍ପ ବିକାଶ ଏବଂ ଦେଶର ଆଲୁମିନିୟମ କ୍ଷେତ୍ରକୁ ଏକ ବଡ଼ ସଫଳତା ମିଳିଛି । ଆଦାନୀ ଗ୍ରୁପ୍ ଏବଂ ଆବୁଧାବିର ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC) ମଧ୍ୟରେ ଓଡ଼ିଶାରେ ଏକ ବିଶାଳ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ଲୋକସେବା ଭବନ ସ୍ଥିତ ରାଜ୍ୟ କନଭେନସନ୍ ସେଣ୍ଟରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଐତିହାସିକ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଏହି ପ୍ରକଳ୍ପରେ ପ୍ରାୟ ୧୧.୫ ବିଲିୟନ ଡଲାର ତଥା ୧.୧୦ ଲକ୍ଷ କୋଟିର ପୁଞ୍ଜିନିବେଶ କରାଯିବ। ଏଥିରେ ଏକ ବିଶାଳ ରିଫାଇନେରୀ, ସ୍ମେଲ୍ଟର, କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ଏବଂ ଡାଉନଷ୍ଟ୍ରିମ୍ ମାନୁଫ୍ୟାକଚରିଂ ପାର୍କ ଅନ୍ତର୍ଭୁକ୍ତ ରହିଛି ।
ଏହି ପ୍ରକଳ୍ପ ଦ୍ଵାରା ବାର୍ଷିକ ୨ ନିୟୁତ ଟନରୁ ଅଧିକ ଆଲୁମିନିୟମ ଉତ୍ପାଦନ କ୍ଷମତା ସୃଷ୍ଟି ହେବ । ଫଳରେ ଭାରତର ସମଗ୍ର ଆଲୁମିନିୟମ ଉତ୍ପାଦନ କ୍ଷମତା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇବ । ଆଦାନୀର ଏଣ୍ଟ୍ରି ପରେ ଓଡ଼ିଶାରେ ପୂର୍ବରୁ କାର୍ଯ୍ୟ କରୁଥିବା ବେଦାନ୍ତ ଆଲୁମିନିୟମ ଏବଂ ହିନ୍ଦାଲକୋ ଇଣ୍ଡଷ୍ଟ୍ରିଜ୍ ଭଳି ବଡ଼ କମ୍ପାନୀଗୁଡ଼ିକ ପାଇଁ ପ୍ରତିଯୋଗିତା ବେଶ୍ ଶକ୍ତ ହେବ । ଯାହା ଦ୍ବାରା ଓଡ଼ିଶା ଲାଭବାନ ହେବ । ଏହି ଚୁକ୍ତିନାମା କେବଳ ଭାରତ ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରୁନାହିଁ ବରଂ ଓଡ଼ିଶାକୁ ବିଶ୍ଵସ୍ତରରେ ଆଲୁମିନିୟମର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ଥିବା ସ୍ଵପ୍ନକୁ ସାକାର କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ । ତେବେ ସରକାର ଓଡ଼ିଶାର ପିଲାମାନଙ୍କୁ ସୁଯୋଗ ଦେବାପାଇଁ ପଦକ୍ଷେପ ନେଲେ ଓଡ଼ିଶାର ପିଲାମାନେ ରାଜ୍ୟର ବିକାଶରେ ନିଶ୍ଚୟ ଭାଗୀଦାର ହୋଇପାରିବେ ।
