ନିଟ୍ ପେପର୍ ଲିକକୁ ନେଇ ପ୍ରବଳ ବିକ୍ଷୋଭ-ପ୍ରଦର୍ଶନ ପରେ ନିଜ ପଦବୀରୁ ଇସ୍ତଫା ଦେବା ପରେ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଭାରତୀୟ ଜନତା ପାର୍ଟିର ପ୍ରଭାବଶାଳୀ ନେତା ତଥା ପ୍ରବୀଣ ନିର୍ବାଚନ ରଣନୀତିକାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଦଳ ଏବେ ଆଗକୁ କ’ଣ ନିଷ୍ପତ୍ତି ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହି ସମୟରେ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ନେତା ଜୟରାମ ରମେଶଙ୍କ ସହ କଥାବାର୍ତ୍ତା ବେଳେ ନିଜର ଲକ୍ଷ୍ୟ ସ୍ପଷ୍ଟ କରିଦେଇଛନ୍ତି । ସେ କହିଛନ୍ତି ଯେ ସେ ଜଣେ ‘ଷ୍ଟ୍ରିଟ୍ ଫାଇଟର୍’ (ଲଢ଼ୁଆ ନେତା) ।
ସଂସଦ ଭବନର କରିଡରରେ କଂଗ୍ରେସ ନେତା ଜୟରାମ ରମେଶ ସହାନୁଭୂତି ପ୍ରକାଶ କରିବାକୁ ଧର୍ମେନ୍ଦ୍ରଙ୍କ ପାଖରେ ପହଞ୍ଚିଥିଲେ । ରମେଶ କହିଥିଲେ ଯେ ‘ଇଟ୍ ହ୍ୟାପନ୍ସ’ (ଏପରି ହୋଇଥାଏ) । ଏହା ଉପରେ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଉତ୍ତର ଦେଇଥିଲେ, ‘ନଥିଂ ହ୍ୟାପଣ୍ଡ’ (କିଛି ହୋଇନାହିଁ) । ଏହା ପରେ ସେ କହିଥିଲେ- “ଆଇ ଆମ୍ ଏ ଷ୍ଟ୍ରିଟ୍ ଫାଇଟର୍ । ନଟ୍ ଏନ୍ ଏସି ରୁମ୍ ଆକ୍ଟିଭିଷ୍ଟ” (ମୁଁ ରାସ୍ତାରେ ସଂଗ୍ରାମ କରୁଥିବା ନେତା, ଏସି ରୁମରେ ବସୁଥିବା ଆକ୍ଟିଭିଷ୍ଟ ନୁହେଁ)। ଧର୍ମେନ୍ଦ୍ରଙ୍କ ଏହି ବୟାନ ଦର୍ଶାଉଛି ଯେ ତାଙ୍କ ମନୋବଳ ଦୃଢ଼ ରହିଛି । ସେ ପରବର୍ତ୍ତୀ ଦାୟିତ୍ୱ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।
ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ
ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ଯେତେବେଳେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସଂସଦ ଭବନରେ ପହଞ୍ଚିଥିଲେ, ତାଙ୍କୁ ଏନଡିଏ ସାଂସଦମାନେ ଭଗ୍ୟ ସ୍ୱାଗତ କରିଥିଲେ । କିଏ ତାଙ୍କୁ ପଗଡ଼ି ପିନ୍ଧାଇଥିଲେ ତ କେହି ଅଙ୍ଗବସ୍ତ୍ର ଦେଇଥିଲେ । ପ୍ରଧାନଙ୍କ ମୁହଁରେ ହସ ଥିଲା । ଜଣେ ସାଂସଦ କହିଥିଲେ ଯେ ପ୍ରଥମ ଥର ପାଇଁ କୌଣସି ମନ୍ତ୍ରୀ ବିନା କୌଣସି ଅଭିଯୋଗରେ ଇସ୍ତଫା ଦେଇଛନ୍ତି ।
ଧର୍ମେନ୍ଦ୍ରଙ୍କ କ’ଣ ରହିବ ଭୂମିକା ?
ଏବେ ପ୍ରଶ୍ନ ଉଠୁଛି ଯେ ପ୍ରଧାନଙ୍କର କ’ଣ ଭୂମିକା ରହିବ ? ସେ ଓଡ଼ିଶା ବିଜେପିର ଜଣେ ଶକ୍ତିଶାଳୀ ନେତା ହେବା ସହ କେନ୍ଦ୍ରୀୟ ରାଜନୀତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛନ୍ତି । ନିକଟରେ ବିହାର ବିଧାନସଭା ନିର୍ବାଚନରେ ପ୍ରଭାରୀ ରହିଥିଲେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଭବାନୀପୁର ଆସନରେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟର ସୂତ୍ରଧର ସାଜିଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଝଟକା ଲାଗିବା ପରେ ତୁରନ୍ତ ଅନୁଷ୍ଠିତ ହରିୟାଣା ବିଧାନସଭା ନିର୍ବାଚନରେ ପ୍ରଧାନ ପ୍ରଭାରୀ ଭାବେ ହ୍ୟାଟ୍ରିକ୍ ସଫଳତା ହାସଲ କରିବାରେ ବଡ଼ ଯୋଗଦାନ ଦେଇଥିଲେ। ଏହା ପୂର୍ବରୁ ସେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଭଳି ଅନେକ ରାଜ୍ୟରେ ପ୍ରଭାରୀ ଭାବେ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିସାରିଛନ୍ତି ।
ଦଳ ତାଙ୍କୁ ଏକାକୀ ଛାଡ଼ିନାହିଁ
ଇସ୍ତଫା ପରେ ଦଳ ତାଙ୍କୁ ଏକାକୀ ଛାଡ଼ିନାହିଁ । ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଘରକୁ ଯାଇଥିଲେ । ବିଜେପିର ଶୀର୍ଷ ନେତା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା କ୍ଷେତ୍ରରେ କରିଥିବା ସଂସ୍କାରଗୁଡ଼ିକୁ ସମର୍ଥନ କରିଛନ୍ତି । ବିଜେପି ନେତାଙ୍କ ମତ ଯେ ତାଙ୍କ ଇସ୍ତଫା ତାଙ୍କର ପ୍ରତିଷ୍ଠାର ହ୍ରାସର ସଙ୍କେତ ନୁହେଁ, ବରଂ ‘ରାଜନୈତିକ ଉତ୍ତରଦାୟିତ୍ୱ’, ‘ତ୍ୟାଗ’ ଏବଂ ‘ରାଷ୍ଟ୍ରହିତ’ର ଏକ ବଡ଼ ଉଦାହରଣ ।
