ଜାତୀୟ ରାଜଧାନୀ ଦିଲ୍ଲୀ ଲାଲକିଲାରେ ଶନିବାର ହେବାକୁ ଥିବା ୮୦ତମ ସ୍ୱାଧୀନତା ଦିବସ ସମାରୋହ ଦୃଷ୍ଟିରୁ ଏହି ଐତିହାସିକ ସ୍ମାରକର ସୁରକ୍ଷାକୁ କଡ଼ା କଡ଼ି କରାଯାଇଛି। ପୋଲିସ ବହୁ ସ୍ତରୀୟ ଆତଙ୍କବାଦ ନିରୋଧୀ ପ୍ରତିକ୍ରିୟା ପ୍ରସ୍ତୁତ କରିବା ସହିତ ଏଆଇ ଆଧାରିତ ୧୦୦୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଇଛି। ଜନୈକ ବରିଷ୍ଠ ପୋଲିସ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସୁରକ୍ଷା ଏଜେନ୍ସୀମାନେ ଉତ୍ସବ କାଳରେ ଉନ୍ନତ ସମନ୍ୱୟ ସୁନିଶ୍ଟିତ କରିବା ପାଇଁ ବିଭିନ୍ନ ହିତାଧିକାରୀଙ୍କ ସହିତ ମକ୍ ଡ୍ରିଲ ମଧ୍ୟ କରିଛନ୍ତି। ଉତ୍ତର ଦିଲ୍ଲୀ ପୋଲିସ ଡିସିପି ରାଜା ବାଣ୍ଠିୟା ଗଣମାଧ୍ୟମକୁ କହିଛନ୍ତି ଯେ ଗତବର୍ଷ ଜାତୀୟ ରାଜଧାନୀରେ ହୋଇଥିବା ଘଟଣା ଦୃଷ୍ଟିରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଲାଗିଛି ୧୦୦୦ରୁ ଅଧିକ ସିସିଟିଭି କ୍ୟାମେରା
ଅଧିକାରୀମାନେ କହିଛନ୍ତି ଯେ ସୁରକ୍ଷା ଯୋଜନା ଅନୁସାରେ ଲାଲକିଲା ଓ ଏହାର ଆଖପାଖରେ ଅନେକ ସ୍ତରୀୟ ସୁରକ୍ଷା ଯାଞ୍ଚ କରାଯିବ। କୌଣସି ସମ୍ଭାବିତ ବିପଦ, ଆତଙ୍କବାଦୀ ଆକ୍ରମଣ ଅଥବା ଜରୁରିକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ବିଶେଷ ଆତଙ୍କବାଦୀ ନିରୋଧୀ ପ୍ରତିକ୍ରିୟା ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି ଯେ ଅଞ୍ଚଳ ଉପରେ କଡ଼ା ନଜର ରଖିବା ପାଇଁ ଲାଲକିଲା ଭିତରେ ଓ ବାହାରେ ୧୦୦୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି।
ଏଆଇ ସିଷ୍ଟମରେ ରଖାଯିବ ନଜର
ଢିସିପି କହିଛନ୍ତି ଯେ କ୍ୟାମେରା ଏଆଇ-ଆଧାରିତ ଭିଡିଓ ବିଶ୍ଲେଷଣ ପ୍ରଣାଳୀ ସହିତ ସଂଯୁକ୍ତ ରହିଛି। ତେବେ ଲାଇଭ ଫିଡ ଉପରେ ଏକ ସମର୍ପିତ ନିୟନ୍ତ୍ରଣ କକ୍ଷରୁ ନଜର ରଖାଯିବ। ସେ କହିଛନ୍ତି ଯେ ମନିଟରିଂ ପ୍ରଣାଳୀରେ ସୁରକ୍ଷା କର୍ମୀଙ୍କୁ ସନ୍ଦିଗ୍ଧ ଗତିବିଦ୍ଧି, ଭୀଡ ସମ୍ପର୍କିତ ପ୍ରସଙ୍ଗ ଅଥବା ଆଇନଶୃଙ୍ଖଳା ସହ ଜଡିତ କୌଣସି ପରିସ୍ଥିତି ସମ୍ପର୍କରେ ଜାଣିବା ଓ ତୁରନ୍ତ ପ୍ରତିକ୍ରିୟା ଦେବାକୁ ବ୍ୟବସ୍ଥା କରାଯାଇଛି। ପ୍ରତିକ୍ରିୟା ଦଳଙ୍କୁ ପ୍ରସ୍ତୁତ ରଖା ଯାଇଛି ଓ ରଣନୈତିକ ସ୍ଥାନମାନଙ୍କରେ ମୁତୟନ କରାଯାଇଛି। ପୋଲିସ ଲାଲକିଲା ଆଖପାଖରେ ଲୋକ ଓ ବାହନ ଯାତାୟାତକୁ ନିୟନ୍ତ୍ରିତ କରିବ।
ଏହାମଧ୍ୟ ସୁନିଶ୍ଚିତ କରାଯିବ ଯେ ପରେଡ ଦେଖିବାକୁ ଆସୁଥିବା ଆଗନ୍ତୁକଙ୍କୁ ଯେପରି ଅନାବଶ୍ୟକ ଅସୁବିଧା ନ ହୁଏ। ଐତିହାସିକ ଲାଲକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବେ ଓ ଦେଶକୁ ସମ୍ବୋଧିତ କରିବେ। ଏଣୁ ଉତ୍ସବ ପୂର୍ବରୁ ଜାତୀୟ ରାଜଧାନୀର ସୁରକ୍ଷା ବଢାଇ ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ, ସାର୍ବଜନିକ ସ୍ଥଳ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା କଡ଼ାକଡି କରାଯାଇଛି। ଉଚ୍ଚସ୍ତରର ସତର୍କତା କାୟମ ରଖିବା ଓ ଉତ୍ସବର ସୁଚାରୁ ଏବଂ ସୁରକ୍ଷିତ ଆୟୋଜନ ସୁନିଶ୍ଚିତ କରିବା ଲାଗି ରଣନୈତିକ ସ୍ଥଳରେ ପୋଲିସ କର୍ମୀ, ବିଶେଷ ପ୍ରତିକ୍ରିୟା ଟିମ ଓ ଅନ୍ୟ ସୁରକ୍ଷା ଏଜେନ୍ସୀଙ୍କୁ ମୁତୟନ କରାଯାଇଛି।
