ଆଇନ୍ ବନର ପାଇନ ବୃକ୍ଷ ରେ ସଦା ତୁଷାରର ଝଡ଼

ପ୍ରଦ୍ୟୁମ୍ନ ଶତପଥୀ


——————+
ବ୍ରିଟିଶ ଶାସନ ସମୟର ଜମିଜମା ନଥିପତ୍ର, ଯେପରି କି ବିକ୍ରି କବଲା, ପଟ୍ଟା ଦେଖିବା ସମୟରେ ସେଥିରେ ଉଲ୍ଲେଖ ଥିବା ସାଙ୍କେତିକ ଚିହ୍ନଯଥା-ପି.=ପିତା, ଜା.-ଜାତି,ବା-ବାସସ୍ଥାନ, ସ୍ବା.-ସ୍ବାମୀ,ବି.-ବିଜେ,ମା.-ମାରଫତ୍ ,ସେ.-ସେବାୟତ,ଖା.-ଖାରଜଖାତା,ଦା.-ଦାଖଲ,ତ.-ତରଫ,ସ୍ମ.-ସମ୍ବନ୍ଧୀୟ,ମୌ.-ମୌଜା,ଓ.-ଓଗେର,ଜ.ଦ.-ଜବରଦଖଲ,ଖା.ପୁ.-ଖାନାପୁରୀ,ଜ.ସ.- ଜରସମନ,ଵ.ସୁ.ଦ.-ବନ୍ଧକ ସୂତ୍ରେ ଦଖଲ,ଖ.ସୁ.ଦ.-ଖରିଦ ସୂତ୍ରେ ଦଖଲ,ଦା.ସୁ.ଦ.- ଦାନ ସୂତ୍ରେ ଦଖଲ ଇତ୍ୟାଦି ଇତ୍ୟାଦି ସାଙ୍କେତିକ ଚିହ୍ନ ସମ୍ପ୍ରତି ବୈଷୟିକ ଜମିଜମା ସଂପର୍କିତ ନଥିପତ୍ରରେ ଆଉ ଦେଖିବାକୁ ମିଳୁନାହିଁ । ସେହିପରି ପଞ୍ଚମ ଶ୍ରେଣୀରେ ଆମେ ମାପର ସାରଣୀ ପଢି ମନେ ରଖୁଥିଲୁ ବୃତ୍ତି ପରୀକ୍ଷାରେ ପ୍ରଶ୍ନ ଆସିଲେ ଉତ୍ତର ରଖିବାକୁ ।  ଆମେ ପଞ୍ଚମ ଶ୍ରେଣୀ ପଢୁଥିବା ସମୟରେ  ତା’ର ଗୋଟିଏ ଯୁଗ ପୂର୍ବରୁ ୧୯୫୬ ମସିହାରେ ଭାରତୀୟ ମାପ ଓ ଓଜନ ଆଇନ୍ ପ୍ରଭାବରେ ଯଦିଓ ମେଟ୍ରିକ୍ ପଦ୍ଧତିର ପରିମାପ ସମଗ୍ର ଦେଶରେ ସ୍ବୀକୃତି ଲାଭ କରି ପାଠ୍ୟକ୍ରମରେ ସାମିଲ୍ ହୋଇଥିଲା, ତଥାପି ଆମର ଚିର ବନ୍ଦନୀୟ ଗୁରୁ ଅଚ୍ୟୁତ ଆଜ୍ଞା ଆମମାନଙ୍କୁ ନୂଆ ପଦ୍ଧତି ସହିତ ପୁରୁଣା ପଦ୍ଧତିର ଶିକ୍ଷା ଦେଉଥିଲେ, ଯାହା ଏବେବି ଅର୍ଦ୍ଧ ଶତାବ୍ଦୀ ପରେ ମଧ୍ୟ ମନେ ଅଛି । ୧୯୫୬ ମସିହାର ମାପ ଓଜନ ଆଇନ୍ ରେ ବ୍ରିଟିଶ ପଦ୍ଧତି ଯଥା ଏକର, ଡେସିମିଲି ଆଦି ଇଂରାଜୀ ଶବ୍ଦ ରହିଲା, ଯେପରି ୧୮୬୦ ମସିହାର ଅନେକ ବ୍ରିଟିଶ ଆଇନ କାନୁନ୍ ଏବେବି ବଳବତ୍ତର ରହିଛି । ଆମର ମାଣ, ଗୁଣ୍ଠ, ଚେନ,ଭରଣ,କଡି ,ଜରିବ,ରାଜସ୍ବଗାଁ ,ଚୌହଦୀ,ସରହଦ,ଅଲାମତ,ଚାନ୍ଦ ,ସାବକ ,ସରଜମିନ,ତ୍ରିସିମାଲି,ଚୌମେଢା,ଦୋସିମାନା,କ୍ଷେତ୍ର ଭଳି ଶବ୍ଦ ଉଭେଇ ଗଲା । ୨.୪୭୧ ଏକର ହୋଇଗଲା ୧ହେକ୍ଟର । ମାନଚିତ୍ର ଦୂରତା ଏବଂ ଭୂପୃଷ୍ଠ ଦୂରତାର ଅନୁପାତକୁ କୁହାଗଲା ମାନ ପରିବର୍ତ୍ତେ ସ୍କେଲ ।ସାଂଖିକ ମାନ ହୋଇଗଲା ନ୍ୟୁମୋରିକାଲ ସ୍କେଲ ( Numerical Scale ) , ସେହିପରି ଲୈଖିକ ମାନ ହୋଇଗଲା Graphical Scale ।  ଆମେ ଆଗରୁ ଉଲ୍ଲେଖ କରିଅଛୁ ଯେ ୧୦୭୪ ମସିହାରେ ଚୋଳଗଙ୍ଗ ଦେବଙ୍କ ଶାସନ ସମୟରେ ଜମିଜମା ମାପର ସ୍ରଷ୍ଟା ଥିଲେ ବଡ଼ପଣ୍ଡା ଆଜ୍ଞା ଓ ସହାୟକ ଥିଲେ ପ୍ରଧାନ ଆଜ୍ଞା ।   ୧୦୭୪ ରୁ ଦୀର୍ଘ ଦଶ ବର୍ଷ ଲାଗିଥିଲା ଜମି ଜମା ମାପ । ତା ପରେ ଆଉ ହେଲା ନାହିଁ । ୧୪୪୨ ମହାରାଜା କପିଳେନ୍ଦ୍ର ଦେବ ନିଷ୍ପତ୍ତି ନେଇଥିଲେ ପୁନଃ ମାପ କରିବା ପାଇଁ । ମାତ୍ର ରାଜ୍ୟର ସୀମା ଅଭିବୃଦ୍ଧି ନିମନ୍ତେ ଓ ଶାସନ ଶୃଙ୍ଗଳା ତଥା ରାଜକୋଷ ଅଭିବୃଦ୍ଧି ପ୍ରତି ଅଧିକ ମନୋନିବେଶ କରିବା ଫଳରେ ଏହି କାର୍ଯ୍ୟ ହୋଇପାରି ନଥିଲା ।  ବଡ଼ପଣ୍ଡା ଆଜ୍ଞାଙ୍କ ଜମିଜମା ମାପ ପଦ୍ଧତିକୁ ଶେର୍ ସାହା ଗ୍ରହଣ କରିଥିଲେ ଏବଂ ତତ୍ ପରେ ଆକବରଙ୍କ ମନ୍ତ୍ରୀ ତୋଡର ମଲ୍ଲ ୧୩୫୮ ରେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରି ରତ୍ନ ଭଣ୍ଡାର ଲୁଟ୍ କରିବା ସମୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ତାଳପତ୍ର ପୋଥୀ ସମ୍ପଦ ଲୁଟ୍ କରି ନେଇଥିଲେ  ଫିରୋଜ ଖାଁ ତୋଗଲକ । ସେହି ନଥିରେ ବଡ଼ପଣ୍ଡା ଙ୍କ ଜମିଜମା ମାପ ସମ୍ପର୍କିତ ତଥ୍ୟ ଥିଲା । ତାହାକୁ ଆଧାର କରି   ତୋଡରମଲ୍ଲ ଜମିକୁ ତା’ର ଉତ୍ପାଦିକା ଶକ୍ତି ଆଧାରରେ ଶ୍ରେଣୀ ବିଭକ୍ତ ବା କିସମରେ ବିଭକ୍ତ କରି କର ଧାର୍ଯ୍ୟ କରିଥିଲେ । ଆକବରଙ୍କ ରାଜତ୍ଵ ସମୟ କେବେ ? ଆକବରଙ୍କ ଜନ୍ମ ତାରିଖ ୧୫-୧୦-୧୫୪୨  , ମୃତ୍ୟୁ ୨୭-୧୦-୧୬୦୫ , ସେ ସିଂହାସନ ଆରୋହଣ କରିଥିଲେ ୧୧-୨-୧୫୫୬ର ମାତ୍ର ୧୪ ବର୍ଷ ବୟସରେ । ଅତଏବ ୧୦୭୪ ପ୍ରଥମ ନା ୧୫୮୮ ପ୍ରଥମ ? ଓଡ଼ିଆ ବିଦ୍ବେଷୀ ଐତିହାସିକ ମାନେ ଏହି ସତ୍ୟକୁ ଜାଣି ନ ଜାଣିବାର କପଟ କରି  ବା ଅଭିନୟ କରି ଅଛପା ସତ୍ୟକୁ ସ୍ବୀକାର କରି ନାହାନ୍ତି । ଜାଣି,ନ ଜାଣିବାର ଅଭିନୟ କରିଥିବାର ଅଭିଯୋଗ ଆମେ ଏଥିପାଇଁ କରୁଛୁ ଯେ ସେମାନେ ମାଦଳାପାଞ୍ଜି ପଢି ସେତେବେଳେ କେତେକ ସୁହାଇଲା ଭଳି ତଥ୍ୟକୁ ଇତିହାସରେ ସ୍ଥାନିତ କଲେ , ଏହି ସତ୍ୟକୁ ଲୁଚାଇ ବାର ଉଦ୍ଦେଶ୍ୟ କ’ଣ  ହୋଇପାରେ ?  
ବ୍ରିଟିଶ ଶାସନ କାଳରେ ଭାରତ (ବିଶେଷକରି ଓଡ଼ିଶା)ରେ ରାଜସ୍ୱ ଆଦାୟ ଏବଂ ଜମିଜମା ନିୟନ୍ତ୍ରଣ ପାଇଁ କେତେକ ମୁଖ୍ୟ ଆଇନ ଓ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଯେପରି କି
ଲର୍ଡ଼ କୋର୍ଣ୍ଣୱାଲିସ୍‌ଙ୍କ ଦ୍ୱାରା ବେଙ୍ଗଲ, ବିହାର ଓ ଓଡ଼ିଶାର କେତେକ ଅଞ୍ଚଳରେ ଚିରସ୍ଥାୟୀ ବନ୍ଦୋବସ୍ତ ଲାଗୁ କରାଯାଇଥିଲା । ଏଥିରେ ଜମିଦାରମାନଙ୍କୁ ଜମିର ସ୍ଥାୟୀ ମାଲିକାନା ଦିଆଯାଇଥିଲା ଏବଂ ସରକାରଙ୍କୁ ଦେବାକୁ ଥିବା ରାଜସ୍ୱର ପରିମାଣ ଚିରଦିନ ପାଇଁ ସ୍ଥିର କରାଯାଇଥିଲା। ୧୮୨୦ରେ ଥୋମାସ୍ ମୁନରୋଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇ ଥିଲା ରାୟତ ଓ୍ବାରୀ ବ୍ୟବସ୍ଥା, ଯେଉଁଥିରେ ଜମିଦାରଙ୍କ ବିନା ସିଧାସଳଖ ଚାଷୀ (ରାୟତ)ଙ୍କ ସହ ସରକାରୀ ରାଜସ୍ୱ ଚୁକ୍ତି କରାଯାଉଥିଲା।  ସେହିପରି ୧୮୨୨ ରେ ମହଲବାରୀ ବ୍ୟବସ୍ଥା ଅନୁଯାୟୀ ଗୋଟିଏ ସମଗ୍ର ଗ୍ରାମ କିମ୍ବା “ମହଲ”କୁ ଏକକ ଧରି ରାଜସ୍ୱ ଧାର୍ଯ୍ୟ କରାଯାଉଥିଲା ଏବଂ ଗ୍ରାମବାସୀ ଯୌଥଭାବେ ରାଜସ୍ୱ ଦେବାକୁ ବାଧ୍ୟ ଥିଲେ। ବ୍ରିଟିଶ  ଶାସନ ସମୟରେ ଏଭଳି ଏକ ଭୟଙ୍କର ଆଇନ ଆସିଥିଲା, ଯେଉଁ ଆଇନ୍ ଫଳରେ ଓଡ଼ିଶା ହୋଇଥିଲା ସର୍ବାଧିକ କ୍ଷତିଗ୍ରସ୍ତ । ଏହି ଆଇନର ନାମ ଥିଲା ସୂର୍ଯ୍ୟାସ୍ତ ଆଇନ୍ । ଚିରସ୍ଥାୟୀ ବନ୍ଦୋବସ୍ତର ଏକ କଠୋର ନିୟମ। ନିର୍ଦ୍ଧାରିତ ତାରିଖର ସୂର୍ଯ୍ୟାସ୍ତ ପୂର୍ବରୁ ଜମିଦାର ରାଜସ୍ୱ ନ ଦେଇପାରିଲେ, ତାଙ୍କ ଜମିଦାରୀ ନିଲାମ କରିଦିଆଯାଉଥିଲା। ୧୮୮୫ରେ ଆସିଥିଲା ବେଙ୍ଗଲ ପ୍ରଜାସ୍ବତ୍ବ ଆଇନ୍ । ଚାଷୀମାନଙ୍କୁ ଜମିଦାରଙ୍କ ଶୋଷଣରୁ ରକ୍ଷା କରିବା, ଜମିରୁ ଅବୈଧ ବେଦଖଲ ରୋକିବା ଏବଂ ପ୍ରଜାସ୍ୱତ୍ୱ ଅଧିକାର ସୁରକ୍ଷିତ କରିବା ପାଇଁ ଏହି ଆଇନ ଅଣାଯାଇଥିଲା। ୧୯୧୩ ର ଓଡ଼ିଶା ପ୍ରଜାସ୍ବତ୍ବ ଆଇନ୍ ଥିଲା ଏକ ପ୍ରତାରଣା ପୂର୍ଣ୍ଣ ଆଇନ୍ ।ଓଡ଼ିଶା କ୍ଷେତ୍ରରେ ଚାଷୀ ଓ ଜମିଦାରଙ୍କ ସମ୍ପର୍କ, ଖଜଣା ନିର୍ଦ୍ଧାରଣ ଏବଂ ପ୍ରଜାଙ୍କ ଅଧିକାରକୁ ସୁସଂଗଠିତ କରିବା ପାଇଁ ଏହା ବିଶେଷଭାବେ ପ୍ରଣୟନ କରାଯାଇଥିଲା। ଏହି ଆଇନଗୁଡ଼ିକ ମୁଖ୍ୟତଃ ବ୍ରିଟିଶ ସରକାରଙ୍କର ରାଜସ୍ୱ ବୃଦ୍ଧି କରିବା ଲକ୍ଷ୍ୟରେ ତିଆରି ହୋଇଥିବାରୁ ଏହା ଶେଷରେ ସାଧାରଣ ଚାଷୀଙ୍କ ଉପରେ ଶୋଷଣ ଓ ଆର୍ଥିକ ବୋଝ ବଢ଼ାଇଥିଲା। ସ୍ୱାଧୀନତା ପରେ ପରେ ସମସ୍ତ ରାଜ୍ୟରେ ଜମିଦାରୀ ଓ ମଧ୍ୟସ୍ଥତା ପ୍ରଥା ସମ୍ପୂର୍ଣ୍ଣ ସମାପ୍ତ କରାଗଲା। ଏହାଦ୍ୱାରା ପ୍ରତ୍ୟକ୍ଷ ଭାବେ ଚାଷୀ ଓ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହେଲା। ସୀମା ନିର୍ଦ୍ଧାରଣ ଆଇନ ଅନୁଯାୟୀ ଜଣେ ବ୍ୟକ୍ତି କିମ୍ବା ପରିବାର ଅଧିକରୁ ଅଧିକ କେତେ ପରିମାଣର ଜମି ରଖିପାରିବେ, ତାହାର ସୀମା ଧାର୍ଯ୍ୟ କରାଗଲା। ସୀମାରୁ ଅଧିକ ଥିବା ଜମି  ସରକାର ନିଜ ଅଧୀନକୁ ନେଇ ଭୂମିହୀନମାନଙ୍କୁ ବାଣ୍ଟିବା ପ୍ରାବଧାନ ରହିଲା । ସେହିପରି ଭାଗଚାଷୀ ସୁରକ୍ଷା ଆଇନ୍ ରେ ପ୍ରାବଧାନ ରହିଲା ଯେ ଭାଗଚାଷୀମାନଙ୍କୁ ଜମିରୁ ବେଆଇନ୍ ଭାବେ ବାହାର କରିଦେବା ବନ୍ଦ  ଏବଂ ସେମାନଙ୍କର ଫସଲ ଭାଗ କିମ୍ବା ଖଜଣା ନିର୍ଦ୍ଧାରିତ କରାଯିବ । ସ୍ବାଧୀନତା ପରେ ମହାତ୍ମା ଗାନ୍ଧୀଙ୍କ ଐକାନ୍ତିକ ଅନୁଗାମୀ, ସ୍ବାଧୀନତା ସଂଗ୍ରାମୀ ବିନୋବା ଭାବେ ଙ୍କ ଦ୍ଵାରା ୧୮ ଏପ୍ରିଲ ,୧୯୫୧ ମସିହାରେ ଆନ୍ଧ୍ରପ୍ରଦେଶ (ବର୍ତ୍ତମାନର ତେଲେଙ୍ଗାନା) ର ‘ପୋଚମପଲ୍ଲୀ’ ଗ୍ରାମରୁ  ଭୂଦାନ ଆନ୍ଦୋଳନର ଶୁଭାରମ୍ଭ ହୋଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଭୂମିହୀନ ଗରିବ କୃଷକମାନଙ୍କୁ ବିନା ମୂଲ୍ୟରେ ଜମି ଯୋଗାଇଦେବା ଏବଂ ଧନୀ ଜମିଦାରମାନଙ୍କ ମନରେ ଆତ୍ମସମୀକ୍ଷା ଆଣି ସ୍ୱେଚ୍ଛାକୃତ ଭାବେ ଜମି ଦାନ କରିବାକୁ ପ୍ରୋତ୍ସାହିତ କରିବା। ଆଚାର୍ଯ୍ୟ ବିନୋବା ଭାବେ ସାରା ଭାରତରେ ପଦଯାତ୍ରା କରି ଜମିଦାର ଓ ଧନୀ ବ୍ୟକ୍ତିମାନଙ୍କୁ ସେମାନଙ୍କ ଜମିର ଅନ୍ତତଃ ଏକ ଷଷ୍ଠାଂଶ ଭୂମିହୀନଙ୍କ ପାଇଁ ଦାନ କରିବାକୁ ନିବେଦନ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନ ବିଶେଷ ଭାବରେ ସଫଳ ହୋଇଥିଲା। ମହାନ୍ ସ୍ବାଧୀନତା ସଂଗ୍ରାମୀ ​ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ମାଳତୀ ଚୌଧୁରୀ ଏବଂ ନବକୃଷ୍ଣ ଚୌଧୁରୀଙ୍କ ଭଳି ମହାନ ଗାନ୍ଧୀବାଦୀ ନେତାମାନେ ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ​କୋରାପୁଟ ଜିଲ୍ଲାରେ ଏହା ‘ଗ୍ରାମଦାନ’ ଆନ୍ଦୋଳନରେ ରୂପାନ୍ତରିତ ହୋଇଥିଲା, ଯେଉଁଠାରେ ସମ୍ପୂର୍ଣ୍ଣ ଗାଁର ଜମିକୁ ସମୁଦାୟର ସମ୍ପତ୍ତି ଭାବେ ଘୋଷଣା କରା ଯାଇଥିଲା। ଏହି ଆନ୍ଦୋଳନ ବିନା କୌଣସି ରକ୍ତପାତ କିମ୍ବା ଆଇନଗତ ବାଧ୍ୟବାଧକତାରେ ଆଧ୍ୟାତ୍ମିକ ଓ ନୈତିକ ଭାବନା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାର ଏକ ଅନନ୍ୟ ଉଦାହରଣ ଥିଲା। ୧୯୬୦ରେ ଓଡ଼ିଶା ଭୂମି ସଂସ୍କାର ଆଇନ୍ ଗୃହୀତ ହୋଇଥିଲା । ଓଡ଼ିଶାରେ ଜମିଜମା ସମ୍ପର୍କିତ ସୀମା ନିର୍ଦ୍ଧାରଣ, ସଂରକ୍ଷଣ, ଏବଂ ଜମି ହସ୍ତାନ୍ତର ନିୟମକୁ ନିୟନ୍ତ୍ରିତ କରିବା ପାଇଁ ଏହି ଆଇନ୍ ଲାଗୁ କରାଯାଇଥିଲା। ସେହିପରି ଅନୁସୂଚିତ ଜାତି ଓ ଜନଜାତି ଜମି ସୁରକ୍ଷା ଆଇନ ର ଉଦ୍ଦେଶ୍ୟ ଥିଲା ଆଦିବାସୀ  ଓ ହରିଜନ ମାନଙ୍କ ଜମି ଯେପରି ଅଣ-ଆଦିବାସୀମାନେ ବେଆଇନ୍ ଭାବେ ହଡ଼ପ ନ କରିପାରିବେ, ସେଥିପାଇଁ କଠୋର ଆଇନ୍‌ଗତ କଟକଣା , ଯେପରିକି ଓଡ଼ିଶାରେ ଆଗରୁ ଥିବା ୧୯୫୬ ରେ ନିୟମାବର୍ତିକ ଆଇନ ର ସଂଶୋଧନ । ଜମି ଅଧିଗ୍ରହଣ, ପୁନର୍ବାସ ଓ ପୁନରୁଦ୍ଧାର ଆଇନ୍ ୨୦୧୩ ମସିହାରେ ଗୃହୀତ ହୋଇଥିଲା, ଯେଉଁଥିରେ ବ୍ୟବସ୍ଥା ରହିଛି ଯେ ବିକାଶମୂଳକ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ଜମିମାଲିକଙ୍କୁ ଉଚିତ୍ କ୍ଷତିପୂରଣ, ସମ୍ମତି ଏବଂ ପୁନର୍ବାସ ଯୋଗାଇଦେବା । ବର୍ତମାନ ତ ଜମିଜମା  ନଥିପତ୍ର ବା ରେକର୍ଡର  ବୈଷୟିକୀକରଣ ବା ଡିଜିଟାଇଜେସନ୍ କରାଯାଉଛି, ଯାହାଦ୍ୱାରା ପ୍ରତ୍ୟେକ ଜମିର ମାଲିକାନା ଅନ୍‌ଲାଇନ୍‌ରେ ସ୍ପଷ୍ଟ ଭାବେ ଉପଲବ୍ଧ ହେବା ନିମନ୍ତେ । ଅତଏବ ଏତେ ସବୁ ବ୍ୟବସ୍ଥା କେବଳ କାଗଜ ପତ୍ରରେ, ଆଇନ୍ ପୁସ୍ତକରେ ସୀମାବଦ୍ଧ । ବାସ୍ତବ ଅର୍ଥରେ ଏହି ସମସ୍ତ ଆଇନ ବିଗତ ୭୬ ବର୍ଷ ଭିତରେ କାହିଁକି ସଫଳତା ପାଇ ପାରିଲା ନାହିଁ ? କାହିଁକି ବାରମ୍ବାର ସମ୍ବିଧାନ ସଂଶୋଧନ ହୋଇ ଚାଲିଛି ? କାହିଁକି ଭାରତବର୍ଷର ବିଭିନ୍ନ ଅଦାଲତରେ ପାଞ୍ଚ କୋଟିରୁ ଉର୍ଦ୍ଧ୍ବ ମକଦ୍ଦମା ବର୍ଷ ବର୍ଷ ଧରି ବିଚାରାଧୀନ ? ବିଳମ୍ବିତ ନ୍ୟାୟ କ’ଣ ବିଡ଼ମ୍ବିତ ନୁହେଁ ?​ ବ୍ୟୟ ବହୁଳ ଆଇନଗତ ପ୍ରକ୍ରିୟାରେ , ବିଶେଷ କରି ଅଧିବକ୍ତା ଙ୍କ ମାର୍କଣ୍ଡେଶ୍ବର ଭଣ୍ଡାରୀ ଆଭିମୁଖ୍ୟ ସହିତ ସେମାନଙ୍କ କ୍ରମ ବର୍ଦ୍ଧିତ ମାମଲା ଖର୍ଚ୍ଚ, ଅଦାଲତି ବା କୋର୍ଟ ଫି ଏବଂ ଦୀର୍ଘଦିନ ଧରି ମାମଲା ଚାଲିବା ଯୋଗୁଁ ସାଧାରଣ ଓ ଗରିବ ଲୋକଙ୍କ ପାଇଁ ନ୍ୟାୟ ପାଇବା ଆର୍ଥିକ ଦୃଷ୍ଟିରୁ କଷ୍ଟକର ହୋଇପଡ଼ୁ ନାହିଁ କି ? ଅଧୁନା କେବଳ ରାଜଧାନୀ ଭୁବନେଶ୍ବରରେ ଜମିଜମା ସମ୍ପର୍କିତ ମାଲି ମକଦ୍ଦମା ସଂଖ୍ୟାର ସଦା ବର୍ଦ୍ଧିତ ପରିସଂଖ୍ୟାନ , ଗୋଟିଏ ଗୋଟିଏ ଜମି ଏକାଧିକ ବ୍ୟକ୍ତିଙ୍କ ନାମରେ ଏବଂ ଏକାଧିକ ଥର ହୋଇ ଆସୁଛି ବିକ୍ରି କବଲା , ଏହା କିପରି ସମ୍ଭବ ହେଉଛି ? ଅତଏବ ଏଇ ଜମିଜମା ଆଇନ ସବୁ କାହା ପାଇଁ ? କାହିଁକି ଜମିଦାର ଓ ଜମି ହୀନ ମାନଙ୍କ ମଧ୍ୟରେ ଛିଡା ହୋଇଛି ବର୍ଲିନ ପ୍ରାଚୀର ? କାହିଁକି ଦେଶ ଓ ରାଜ୍ୟର ଆଇନ ବନ ଋତୁ ନିର୍ବିଶେଷରେ ସର୍ବଦା ବରଫାବୃତ ? କାହିଁକି ଆଇନ୍ ବନର ପାଇନ ବୃକ୍ଷରେ ସଦା ତୁଷାରର ଝଡ଼ ?

Posted in Uncategorized.