ଗୋଟିଏ ମଞ୍ଚରେ ବିଶ୍ବ ନେତାଙ୍କ ମହାମେଳି। ଏକାଠି ହେଲେ ୧୧ ଦେଶର ରାଷ୍ଟ୍ରମୁଖ୍ୟ । ନୂଆଦିଲ୍ଲୀ ଭାରତ ମଣ୍ଡପମ ଠାରେ ୧୮ ତମ ବ୍ରିକସ ସମ୍ମିଳନୀକୁ ସମ୍ବୋଧନ କରି ବଡ଼ ସଂସ୍କାର ଯୋଜନାର ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଗାମୀ ଶିଖର ସମ୍ମିଳନୀ ସୁଦ୍ଧା ବ୍ରିକସ ରିଫର୍ମ ରୋଡମ୍ୟାପ ପାଇଁ ୧୦ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ସେ ରିପ୍ରେଜେଣ୍ଟେସନ, ରେସପୋନସିଭନେସ ଓ ରୁଲ ମେକିଂକୁ ଗୁରୁତ୍ବ ଦେଇଛନ୍ତି। ବିଶ୍ୱ ବ୍ୟବସ୍ଥା କେବଳ କିଛି ଶକ୍ତିଶାଳୀ ଦେଶର ସ୍ୱାର୍ଥରେ ଚାଲିବା ଅନୁଚିତ। ପ୍ରତ୍ୟେକ ଦେଶର ସ୍ୱର ଶୁଣାଯିବା ଦରକାର ଏବଂ ସମସ୍ତଙ୍କୁ ସମାନ ଭାଗିଦାରୀ ମିଳିବା ଜରୁରୀ।
ଏଥିପାଇଁ ପିରାମିଡ ଅଫ ପ୍ରିଭିଲେଜକୁ ପ୍ଲାଟଫର୍ମ ଅଫ ପାର୍ଟନରସିପରେ ପରିବର୍ତ୍ତନ କରିବାକୁ ବ୍ରିକସ ସଦସ୍ୟ ରାଷ୍ଟ୍ରମାନଙ୍କୁ ଅପିଲ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ବା UNSCର ସଂସ୍କାରକୁ ଆଉ ଟାଳି ହେବ ନାହିଁ। ବର୍ଷ ବର୍ଷ ଧରି କେବଳ ଆଲୋଚନା ନକରି ଏଥିପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିବା ଦରକାର। ଏହା ସହ ଆଇଏମଏଫ, ୱାର୍ଲଡ ବ୍ୟାଙ୍କ ଓ ଅନ୍ୟ ବଡ଼ ଆର୍ଥିକ ସଂସ୍ଥାରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ। ବ୍ରିକସ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ସମୁଦ୍ରରେ ନାବିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏକ ନେଟୱର୍କ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ବ୍ରିକସ ସିଫେୟାରର ଏମର୍ଜେନସୀ ସପୋର୍ଟ ନେଟୱର୍କ ଗଠନ କରାଯାଉ।
ନିୟମ ପ୍ରସ୍ତୁତିରେ ଗ୍ଲୋବାଲ ସାଉଥର ଭୂମିକାକୁ ଜୋର ଦେଇଛନ୍ତି ମୋଦି। ଏଆଇ, ସାଇବର ସ୍ପେସ, ଆଉଟର ସ୍ପେସ, ବାୟୋଟେକନୋଜୋଲି ଓ କ୍ରିଟିକାଲ ଟେକନୋଲୋଜି ଆଦିର ନିୟମ ପ୍ରସ୍ତୁତିରେ ମଧ୍ୟ ଭୂମିକା ରହିବ। ଗ୍ଲୋବାଲ ସାଉଥକୁ ରୁଲ ଟେକରରୁ ରୁଲ ସେପର ଭାବେ ପରିଣତ ହୋବାକୁ ପଡ଼ିବ ବୋଲି କହିଛନ୍ତି ମୋଦି।
ବ୍ରିକସ ଶିଖର ସମ୍ମିଳନୀରେ ଶାନ୍ତିର ବାର୍ତ୍ତା ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ। ପଶ୍ଚିମ ଏସିଆ ଯୁଦ୍ଧ କାହାର ସ୍ୱାର୍ଥରେ ନୁହେଁ ବୋଲି କହିଛନ୍ତି ଚୀନ ରାଷ୍ଟ୍ରପତି। ଏହା ମଧ୍ୟପ୍ରାଚ୍ୟର ସମସ୍ତ ଅଞ୍ଚଳକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏହି ସଂଘର୍ଷ କୌଣସି ପକ୍ଷର ସାଧାରଣ ସ୍ୱାର୍ଥକୁ ପୂରଣ କରୁନାହିଁ। ଯୁଦ୍ଧ ଯେତେ ଲମ୍ବିବ, ସାଧାରଣ ଲୋକଙ୍କ ଦୁଃଖ ଓ କ୍ଷତି ସେତେ ବଢ଼ିବ। ଏହାର ପ୍ରଭାବ କେବଳ ଯୁଦ୍ଧଗ୍ରସ୍ତ ଦେଶ ମଧ୍ୟରେ ସୀମିତ ରହୁନାହିଁ ବରଂ ବିଶ୍ୱର ଶକ୍ତି ବଜାର, ବାଣିଜ୍ୟ ଓ ପରିବହନ ଉପରେ ମଧ୍ୟ ପ୍ରଭାବ ପଡ଼ୁଛି ବୋଲି କହିଛନ୍ତି ସି ଜିନପିଙ୍ଗ। ଏହି ପରିସ୍ଥିତିରେ ବ୍ରିକସ ରାଷ୍ଟ୍ରସଦସ୍ୟଙ୍କୁ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଦିଗରେ ଆଗୁଆ ଭୂମିକା ନେବାକୁ ସେ ଅପିଲ କରିଛନ୍ତି।
