ଆଜି ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୮ତମ ବାର୍ଷିକୀ,ସେହି ଆକ୍ରମଣର କ୍ଷତ ଆଜି ବି ଅନେକ ପରିବାରଙ୍କ ମନରେ ତାଜା ରହିଛି

ଆଜି ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୮ତମ ବାର୍ଷିକୀ,ସେହି ଆକ୍ରମଣର କ୍ଷତ ଆଜି ବି ଅନେକ ପରିବାରଙ୍କ ମନରେ ତାଜା ରହିଛି

ଆଜି ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୮ତମ ବାର୍ଷିକୀ । ୨୦୦୮ ମସିହା ନଭେମ୍ବର ୨୬ ତାରିଖର ସେହି ଭୟଙ୍କର ଘଟଣାକୁ ଆଜି ବି ଭୁଲିପାରିନି ଦେଶ । ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ୧୮ ବର୍ଷ ବିତିଯାଇଥିଲେ ମଧ୍ୟ ସେହି ଆକ୍ରମଣର କ୍ଷତ ଆଜି ବି ଅନେକ ପରିବାରଙ୍କ ମନରେ ତାଜା ରହିଛି । ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଏହି ଆକ୍ରମଣ ପାଇଁ ଦାୟୀ ଥିଲା। ଏହି ଆକ୍ରମଣରେ ୧୬୬ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ବିଦେଶୀ ନାଗରିକ ଓ ସୁରକ୍ଷାକର୍ମୀ ମଧ୍ୟ ଥିଲେ ।

ମୁମ୍ବାଇର ତାଜମହଲ ପ୍ୟାଲେସ୍ ହୋଟେଲ୍, ଓବେରୟ ଟ୍ରାଇଡେଣ୍ଟ ହୋଟେଲ୍, ଛତ୍ରପତି ଶିବାଜୀ ଟର୍ମିନସ୍ ରେଳ ଷ୍ଟେସନ, ନରିମନ୍ ହାଉସ୍ ସମେତ ଏକାଧିକ ସ୍ଥାନ ଏହି ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲା । ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ର ତତ୍କାଳୀନ ମୁଖ୍ୟ ହେମନ୍ତ କରକରେ, ମେଜର ସନ୍ଦୀପ ଉନ୍ନିକ୍ରିଷ୍ଣନ, ଅଶୋକ କାମଟେ, ବିଜୟ ସାଲାସକର ଓ ତୁକାରାମ ଓମ୍ବଲେଙ୍କ ଭଳି ବୀର ସୁରକ୍ଷାକର୍ମୀ ଦେଶ ପାଇଁ ପ୍ରାଣବଳି ଦେଇଥିଲେ। ଏକମାତ୍ର ଜୀବିତ ଧରାପଡ଼ିଥିବା ଆତଙ୍କବାଦୀ ଅଜମଲ କସାବକୁ ୨୦୧୨ ନଭେମ୍ବର ୨୧ରେ ଫାଶୀ ଦିଆଯାଇଥିଲା । ୨୬/୧୧ ଆକ୍ରମଣ ପରେ ଭାରତର ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା । ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଗଠନ ସହ ଉପକୂଳ ସୁରକ୍ଷା, ଗୁଇନ୍ଦା ବ୍ୟବସ୍ଥା ଓ ଆତଙ୍କବାଦ ନିରୋଧୀ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯାଇଥିଲା । ୧୮ତମ ବାର୍ଷିକୀ ଅବସରରେ ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରେ ଜାତୀୟ ସୁରକ୍ଷା ଗାର୍ଡ (NSG) ପକ୍ଷରୁ ‘ନେଭର୍ ଏଭର୍’ ଶୀର୍ଷକ ସ୍ୱତନ୍ତ୍ର ସ୍ମୃତି ଓ ସଂକଳ୍ପ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ସହିଦଙ୍କ ପରିବାର, ଆକ୍ରମଣରୁ ବର୍ତ୍ତିଯାଇଥିବା ବ୍ୟକ୍ତି ଓ ବିଶିଷ୍ଟ ନାଗରିକମାନେ ଯୋଗଦେବେ ।

ମୁମ୍ବାଇର ୧୧ଟି କଲେଜ ଓ ୨୬ଟି ସ୍କୁଲରେ ମଧ୍ୟ ସ୍ୱତନ୍ତ୍ର ସଂକଳ୍ପ ଗ୍ରହଣ କାର୍ଯ୍ୟକ୍ରମ ହେବ ।  ଏହି ଅବସରରେ ଗେଟୱେ ଅଫ୍ ଇଣ୍ଡିଆକୁ ତ୍ରିରଙ୍ଗା ଆଲୋକରେ ସଜାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୨୬/୧୧ କେବଳ ଏକ ଆତଙ୍କବାଦୀ ଆକ୍ରମଣର ସ୍ମୃତି ନୁହେଁ, ଏହା ଭାରତୀୟ ସୁରକ୍ଷାକର୍ମୀଙ୍କ ଅଦମ୍ୟ ସାହସ, ବଳିଦାନ ଓ ମୁମ୍ବାଇବାସୀଙ୍କ ଦୃଢ଼ ମନୋବଳର ମଧ୍ୟ ଏକ ସ୍ମାରକ ।

Also Read: Tanker Blast: ତେଲ ଟାଙ୍କି ଫାଟି ଭୟଙ୍କର ଅଗ୍ନିକାଣ୍ଡ, ୩୧ ମୃତ

Posted in ଦେଶ ବିଦେଶ.