କୋରାପୁଟ ଜିଲ୍ଲା ପୋଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜ କେବଳ ଭୂଗୋଳର ଖଣ୍ଡେ ଜମି ନୁହେଁ । ଏହି ଜମି ଓଡ଼ିଶାର ଅସ୍ମିତା, ଐତିହାସିକ ଅଧିକାର ଓ ସାର୍ବଭୌମତ୍ୱର ଏକ ଅବିଚ୍ଛେଦ୍ୟ ଅଙ୍ଗ। ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମୟରୁ ହିଁ କୋଟିଆ ଓଡ଼ିଶାର ରହିଛି । ଏହି ଅଞ୍ଚଳ ଓଡ଼ିଶା ପ୍ରଶାସନିକ ସୀମାରେ ସ୍ପଷ୍ଟ ଭାବେ ଚିହ୍ନିତ ଅଛି। ତଥାପି, ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପ୍ରଶାସନର ଆଖି ଏହା ଉପରେ ରହିଛି । ଆନ୍ଧ୍ରପ୍ରଦେଶ ପ୍ରଶାସନର କ୍ରମାଗତ ଅନୁପ୍ରବେଶ, ଭୋଟର ତାଲିକା ସଂଶୋଧନରେ ଅସାଧୁ ହସ୍ତକ୍ଷେପ କରିଚାଲିଛି । ଆନ୍ଧ୍ରର ଲୋଭନୀୟ ଯୋଜନାର ପ୍ରଲୋଭନ ଦେଖାଇ ସୀମାନ୍ତବାସୀଙ୍କୁ ପ୍ରଭାବିତ କରିବାର ଚକ୍ରାନ୍ତ ସାମ୍ନାକୁ ଆସୁଛି।
କୋଟିଆ ଉପରେ ଓଡ଼ିଶାର ଐତିହାସିକ ଏବଂ ପ୍ରଶାସନିକ ଦାବି ସମ୍ପୂର୍ଣ୍ଣ ଯଥାର୍ଥ। ତେବେ କେବଳ ରାଜନୈତିକ ବୟାନବାଜି ବା ସାମୟିକ ପଦକ୍ଷେପ ନୁହେଁ, ବରଂ ଏହି ଦୀର୍ଘଦିନର ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ଦୃଷ୍ଟିକୋଣରୁ କିଛି କାର୍ଯ୍ୟ କରିବା ଅପରିହାର୍ଯ୍ୟ ।
ଆନ୍ଧ୍ରର ଅନୁପ୍ରବେଶକୁ ପ୍ରତିହତ କରିବାକୁ ହେଲେ କୋଟିଆର ସମସ୍ତ ଗ୍ରାମରେ ଓଡ଼ିଶା ପ୍ରଶାସନର ଦୈନନ୍ଦିନ ଉପସ୍ଥିତି ରହିବା ଦରକାର। ସବୁଦିନିଆ ପକ୍କା ରାସ୍ତା, ଉନ୍ନତ ବିଜୁଳି ସଂଯୋଗ ଏବଂ ସମ୍ପୂର୍ଣ୍ଣ ମୋବାଇଲ ନେଟୱାର୍କ ସୁବିଧା ତୁରନ୍ତ ସୁନିଶ୍ଚିତ କରାଯିବା ଆବଶ୍ୟକ। କୋଟିଆକୁ ଏକ ସ୍ୱତନ୍ତ୍ର ଭାବେ ଗଢ଼ି ତୋଳି ସେଠାରେ ସ୍ଥାୟୀ ତହସିଲ, ବ୍ଲକ କାର୍ଯ୍ୟାଳୟ ଏବଂ ପୋଲିସ ଫାଣ୍ଡି କାର୍ଯ୍ୟକ୍ଷମ ରଖିବା ଦରକାର। ଅନେକ ସମୟରେ ପଡ଼ୋଶୀ ରାଜ୍ୟ ଶିକ୍ଷା ଓ ଚିକିତ୍ସା ସେବା ଯୋଗାଇ ସ୍ଥାନୀୟ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରେ। ଏହାକୁ ରୋକିବା ପାଇଁ, କୋଟିଆରେ ଓଡ଼ିଆ ଭାଷାଭିତ୍ତିକ ଉଚ୍ଚ ମାନର ଆବାସିକ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଓ ଏକଲବ୍ୟ ମଡେଲ ସ୍କୁଲ ସ୍ଥାପନ କରିବା ନିହାତି ଆବଶ୍ୟକ। ଏକ ସମ୍ପୂର୍ଣ୍ଣ ସୁବିଧାସମ୍ପନ୍ନ ସ୍ୱତନ୍ତ୍ର ହସ୍ପିଟାଲ ପ୍ରତିଷ୍ଠା, ଯେଉଁଠାରେ ୨୪ ଘଣ୍ଟିଆ ଡାକ୍ତରୀ ସେବା ଏବଂ ମାଗଣା ଔଷଧ ସୁବିଧା ମିଳିବ, ଯାହାଦ୍ୱାରା ଲୋକଙ୍କୁ ଆନ୍ଧ୍ରର ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। କୋଟିଆ ଅଞ୍ଚଳ ଖଣିଜ, ଜଙ୍ଗଲଜାତ ଦ୍ରବ୍ୟ ଏବଂ ଉଦ୍ୟାନ କୃଷିରେ ସମୃଦ୍ଧ। ସ୍ଥାନୀୟ ଆଦିବାସୀଙ୍କ ଆର୍ଥିକ ସ୍ୱାବଲମ୍ବନଶୀଳତା ଓଡ଼ିଶା ସହ ସେମାନଙ୍କ ସମ୍ପର୍କକୁ ଅଧିକ ଦୃଢ଼ କରିବା ଉପରେ ପ୍ରାଥମିକତା ଦେବା ଆବଶ୍ୟକ । ଝାଡ଼ୁ, ଅଦା, ହଳଦୀ ଏବଂ କଫି ଚାଷ ପାଇଁ ସ୍ଥାନୀୟ ଚାଷୀଙ୍କୁ ସିଧାସଳଖ ସରକାରୀ ସହାୟତା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା। ମିଶନ ଶକ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରି ଓଡ଼ିଶାର ବଜାର ସହ ସିଧାସଳଖ ଯୋଡ଼ିବା। ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆବାସୀଙ୍କୁ ବେଆଇନ ଭାବେ ରାସନ କାର୍ଡ, ଆଧାର କାର୍ଡ ଓ ଭୋଟର ପରିଚୟପତ୍ର ବଣ୍ଟନ କରାଯିବା ବିବାଦର ଏକ ମୁଖ୍ୟ କାରଣ। କୋଟିଆ ଅଞ୍ଚଳରେ ଥିବା ପ୍ରତ୍ୟେକ ବାସିନ୍ଦାଙ୍କ ଡିଜିଟାଲ ସର୍ଭେ କରାଯାଇ କେବଳ ଓଡ଼ିଶାର ନାଗରିକ ତାଲିକା ଏବଂ ରେକର୍ଡ ଅଫ୍ ରାଇଟ୍ସ ,ପଟ୍ଟା ଚୂଡ଼ାନ୍ତ କରାଯାଉ। ଦୁଇଟି ରାଜ୍ୟରୁ ସୁବିଧା ନେଉଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖି ଓଡ଼ିଶାର ଯୋଜନା ରାସନ, ବିଏସକେୱାଇ/ଆୟୁଷ୍ମାନ ଭାରତ, କାଳିଆ ଯୋଜନା ଶତପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚାଯାଉ। କୋଟିଆ ଉପରେ ଓଡ଼ିଶାର ଆଇନଗତ ଅଧିକାରକୁ କେନ୍ଦ୍ର ସରକାର ଓ ନ୍ୟାୟପାଳିକା ସମ୍ମୁଖରେ ଦୃଢ଼ତାର ସହ ଉପସ୍ଥାପନ କରିବା ଜରୁରୀ। ୧୯୩୬ ମସିହାର ମୂଳ ମାନଚିତ୍ର ଏବଂ ପୂର୍ବ ପ୍ରଶାସନିକ ରେକର୍ଡକୁ ଆଧାର କରି ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନଜ୍ଞ ଟିମ୍ ନିୟୋଜିତ କରିବା। କେନ୍ଦ୍ର ସରକାରଙ୍କ ସହଯୋଗରେ ଇଣ୍ଟର-ଷ୍ଟେଟ୍ କାଉନସିଲ ଜରିଆରେ ସର୍ଭେ ଅଫ୍ ଇଣ୍ଡିଆ ମାଧ୍ୟମରେ ସୀମା ସ୍ପଷ୍ଟ ଭାବେ ଚିହ୍ନଟ କରାଇ ଆନ୍ଧ୍ରର ଅନଧିକୃତ ପ୍ରବେଶ ଉପରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ଟାଣିବା ଆବଶ୍ୟକ। କୋଟିଆ କେବଳ ସୀମାନ୍ତର ଏକ ଭୌଗୋଳିକ ଅଞ୍ଚଳ ନୁହେଁ, ଏହା ଓଡ଼ିଶାର ସ୍ୱାଭିମାନ। ସ୍ଥାନୀୟ ଜନସାଧାରଣଙ୍କ ମନରେ “ଆମେ ଓଡ଼ିଆ ଏବଂ ଓଡ଼ିଶା ସରକାର ସବୁବେଳେ ଆମ ସହିତ ଅଛନ୍ତି” ଏହି ଆତ୍ମବିଶ୍ୱାସ ସୃଷ୍ଟି କରିବା ହିଁ କୋଟିଆକୁ ସୁରକ୍ଷିତ ରଖିବାର ସବୁଠାରୁ ବଡ଼ ଅସ୍ତ୍ର। ପ୍ରଶାସନିକ ଇଚ୍ଛାଶକ୍ତି ଏବଂ ସ୍ଥାନୀୟ ବିକାଶର ସମନ୍ୱୟ ହିଁ ଆନ୍ଧ୍ରର ସମସ୍ତ ଚକ୍ରାନ୍ତକୁ ଧୂଳିସାତ୍ କରି କୋଟିଆକୁ ଓଡ଼ିଶାର ସ୍ଥାୟୀ ପ୍ରଗତିର ଏକ ଅଂଶ କରିପାରିବ। ଏଥିପାଇଁ ସରକାର, ବିରୋଧୀ ସାଧାରଣ ଲୋକ, ବୁଦ୍ଧିଜୀବୀ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ ।
