ସୋନିଆ ଗାନ୍ଧୀଙ୍କ ନୂଆ ବହିକୁ ନେଇ ବିବାଦ

ସୋନିଆ ଗାନ୍ଧୀଙ୍କ ନୂଆ ବହିକୁ ନେଇ ବିବାଦ

କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘Belonging: A Journey of Love’ ନଭେମ୍ବର ୧୦ ତାରିଖରେ ଔପଚାରିକ ଭାବେ ପ୍ରକାଶ ପାଇଛି। ୫୪୪ ପୃଷ୍ଠାର ଏହି ପୁସ୍ତକରେ ସୋନିଆ ଗାନ୍ଧୀ ନିଜର ବ୍ୟକ୍ତିଗତ ଜୀବନ, ପାରିବାରିକ ସମ୍ପର୍କ, କଂଗ୍ରେସ ରାଜନୀତି ଏବଂ ଦେଶର ଅନେକ ଐତିହାସିକ ଘଟଣା ସମ୍ପର୍କରେ ଅନେକ ଅନୁଭୂତି ବଖାଣିଛନ୍ତି। ଏଥିରେ ରାଜୀବ ଗାନ୍ଧୀଙ୍କ ହତ୍ୟା, ୧୯୭୫ର ଜରୁରୀକାଳୀନ ପରିସ୍ଥିତି, ୧୯୮୪ର ଅପରେସନ୍ ବ୍ଲୁ ଷ୍ଟାର୍ ଏବଂ ୧୯୯୨ର ବାବ୍ରି ମସଜିଦ୍ ଭଙ୍ଗା ଘଟଣା ସ୍ଥାନ ପାଇଛି। ତେବେ ସେ ବହିରେ ଯାହା ଲେଖିଛନ୍ତି ତାକୁ ନେଇ ଅନେକ ଚର୍ଚା ହେଲାଣି । ଏନେଇ ବିଜେପି ପ୍ରଶ୍ନ କଲାଣି । ତେବେ ସୋନିଆଙ୍କୁ ନେଇ ବିବାଦ ନୂଆ ନୁହେଁ । ଭାରତୀୟ ରାଜନୀତିରେ କିଏ କେତେ ସତ କହୁଛି ତାହା ଭୋଟର ଜାଣନ୍ତି । ଏବଂ ଏହାକୁ ନେଇ ଆଲୋଚନା କିଛି ନୂଆ ନୁହେଁ ।

ଜରୁରୀକାଳୀନ ପରିସ୍ଥିତିକୁ ଭୁଲ୍ ବୋଲି ମାନିଲେ ସୋନିଆ

୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତିକୁ ସୋନିଆ ଗାନ୍ଧୀ ଏକ ଭୁଲ୍ ନିଷ୍ପତ୍ତି ବୋଲି ଅଭିହିତ କରିଛନ୍ତି। ତାଙ୍କ ମତରେ, ଇନ୍ଦିରା ଗାନ୍ଧୀ ମଧ୍ୟ ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତିକୁ ଭୁଲ୍ ବୋଲି ଅନୁଭବ କରିଥିଲେ। ସଞ୍ଜୟ ଗାନ୍ଧୀଙ୍କ ଉପରେ ନିୟନ୍ତ୍ରଣ ରହିଥିଲେ ଅନେକ କ୍ଷତିକୁ ରୋକାଯାଇପାରିଥାନ୍ତା ବୋଲି ସେ ଲେଖିଛନ୍ତି। ଏହାକୁ ନେଇ ସୋନିଆ କାହାକୁ ଦୋଷୀ ବୋଲି କହିିନାହାଁନ୍ତି । ଅନେକ ପ୍ରଶ୍ନକୁ ସେ ଏଡ଼ାଇ ଯାଇଛନ୍ତି । କେବଳ ସଂଜୟ ଗାନ୍ଧୀଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ।

ମହିରେ ୧୯୯୨ ଡିସେମ୍ବର ୬ରେ ଅଯୋଧ୍ୟାରେ ବାବ୍ରି ମସଜିଦ୍ ଭଙ୍ଗା ଘଟଣାକୁ ଭାରତୀୟ ରାଜନୀତିର ଏକ ବଡ଼ ମୋଡ଼ ବୋଲି ସୋନିଆ ଉଲ୍ଲେଖ କରିଛନ୍ତି। ଏହି ଘଟଣା ଦେଶର ଧର୍ମନିରପେକ୍ଷତା ଉପରେ ପ୍ରଭାବ ପକାଇଥିଲା ବୋଲି ସେ ଲେଖିଛନ୍ତି। ଘଟଣା ସମୟରେ ଟିଭିରେ ଏହା ଦେଖି ସେ କାନ୍ଦି ପକାଇଥିବା କଥା ମଧ୍ୟ କହିଛନ୍ତି। କିନ୍ତୁ ଯେଉଁ କରସେବକମାନେ ମୃତ୍ୟୁବରଣ କଲେ ତାଙ୍କ ଉପରେ କିଛି ଲେଖିନାହାଁନ୍ତି, ଶହ ଶହ ବର୍ଷ ଧରି ବିବାଦ କାହିଁକି ହୋଇଛି ତାହା ଉପରେ କିଛି ମତ ଦେଇନାହାଁନ୍ତି ।

୨୦୦୪ରେ କଂଗ୍ରେସ ନେତୃତ୍ୱାଧୀନ UPA ସରକାର ଗଠନ ସମୟରେ ସୋନିଆ ଗାନ୍ଧୀ ନିଜେ ପ୍ରଧାନମନ୍ତ୍ରୀ ନହୋଇ ମନମୋହନ ସିଂହଙ୍କୁ ଏହି ପଦ ପାଇଁ ବାଛିଥିଲେ। ମନମୋହନ ସିଂହଙ୍କ ସଚ୍ଚୋଟତା, ପ୍ରଶାସନିକ ଅଭିଜ୍ଞତା ଏବଂ ଅର୍ଥନୀତି ସମ୍ପର୍କରେ ଗଭୀର ଜ୍ଞାନ ଉପରେ ତାଙ୍କର ଭରସା ଥିଲା ବୋଲି ପୁସ୍ତକରେ ଲେଖିଛନ୍ତି। କିନ୍ତୁ ସେ ସମୟରେ ଅନେକ ଭାରତୀୟ ତାଙ୍କୁ କିଭଳି ଦୃଷ୍ଟିରେ ଦେଖି ବିରୋଧ କରୁଥିଲେ ସେ କଥା ଲେଖିନାହାଁନ୍ତି । ଏପରିକି କଂଗ୍ରେସ ଦଳରେ ଅନେକ ନେତା ତାଙ୍କୁ ବିରୋଧ କରୁଥିଲେ ଲେଖିନାହାଁନ୍ତି । ପ୍ରଣବ ମୁଖାର୍ଜୀଙ୍କୁ କାହିଁକି ପ୍ରଧାନମନ୍ତ୍ରୀ କଲେ ନାହିଁ ସେ କଥା ଲେଖିନାହାଁନ୍ତି ।

୧୯୮୪ର ଅପରେସନ୍ ବ୍ଲୁ ଷ୍ଟାର୍ ପରେ ଗାନ୍ଧୀ ପରିବାରର ସୁରକ୍ଷାକୁ ନେଇ କିପରି ଭୟ ଓ ଅନିଶ୍ଚିତତା ରହିଥିଲା, ସେ ସମ୍ପର୍କରେ ସୋନିଆ ଲେଖିଛନ୍ତି। ତାଙ୍କ ଘରର ଏକ କୋଠରିରେ ଗ୍ରେନେଡ୍ ମିଳିଥିବା ଘଟଣା ମଧ୍ୟ ପୁସ୍ତକରେ ଉଲ୍ଲେଖ ରହିଛି। ଅପରେସନ୍ ପରେ ସ୍ୱର୍ଣ୍ଣ ମନ୍ଦିରର କ୍ଷୟକ୍ଷତିର ଫଟୋ ଦେଖି ଇନ୍ଦିରା ଗାନ୍ଧୀଙ୍କ ଆଖିରୁ ଲୁହ ଝରିଥିବା ସେ ଲେଖିଛନ୍ତି। କିନ୍ତୁ ଇନ୍ଦିରା ଗାନ୍ଧୀ ଚାହିଁଥିଲେ ଏହାର ବିକଳ୍ପ ବ୍ୟବସ୍ଥା ହୋଇପାରିଥାନ୍ତା ସେ ବିଷୟରେ ଲେଖିନାହାଁନ୍ତି ।

ବିବାହ ପରେ ନେହେରୁ-ଗାନ୍ଧୀ ପରିବାରକୁ ଆସିବାର ପ୍ରାରମ୍ଭିକ ଦିନଗୁଡ଼ିକରେ ଇନ୍ଦିରା ଗାନ୍ଧୀଙ୍କ ସ୍ୱଭାବ ଓ ରାଗକୁ ବୁଝିବା ସୋନିଆଙ୍କ ପାଇଁ ସହଜ ନଥିଲା। ଇନ୍ଦିରାଙ୍କ ରାଗ ଯୋଗୁଁ ତାଙ୍କ କର୍ମଚାରୀ ଓ ଦଳୀୟ ନେତାମାନେ ମଧ୍ୟ ଭୟଭୀତ ହେଉଥିବା କଥା ସେ ଲେଖିଛନ୍ତି।

UPA ସରକାର ସମୟରେ ସୋନିଆ ଗାନ୍ଧୀ ପରଦା ପଛରେ ରହି ସରକାର ଚଳାଉଥିବା ଅଭିଯୋଗ ହୋଇଥିଲା। ଏହାର ଜବାବରେ ସେ କହିଛନ୍ତି, ମନମୋହନ ସିଂହ ସରକାର ପରିଚାଳନା କରୁଥିଲେ ଏବଂ ସେ କଂଗ୍ରେସ ସଂଗଠନର ଦାୟିତ୍ୱ ତୁଲାଉଥିଲେ। ସରକାରୀ ଫାଇଲ୍ କିମ୍ବା ପ୍ରଶାସନିକ କାର୍ଯ୍ୟରେ ସେ ହସ୍ତକ୍ଷେପ କରୁନଥିଲେ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ ଏହାକୁ ନେଇ କଂଗ୍ରେସ ନେତାମାନେ ବିଭିନ୍ନ ସମୟରେ ଅଭିଯୋଗ କରିଛନ୍ତି, ଯାହାର ସତ୍ୟତା ଉପରେ ଏବେ ବି ଆଲୋଚନା ହେଉଛି ।

୨୦୧୦ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ହୋଇଥିବା ଏକ ଆଲୋଚନା ସମ୍ପର୍କରେ ସୋନିଆ ଲେଖିଛନ୍ତି। ପ୍ରଣବ ମୁଖାର୍ଜୀ ଶୀର୍ଷ ନେତୃତ୍ୱରେ ପରିବର୍ତ୍ତନ ହେବା ଉଚିତ ବୋଲି ସଙ୍କେତ ଦେଇଥିଲେ। ଏହାକୁ ସେ ପ୍ରଣବଙ୍କ ପ୍ରଧାନମନ୍ତ୍ରୀ ହେବାର ଦୀର୍ଘଦିନର ଇଚ୍ଛା ଭାବେ ବୁଝିଥିଲେ। ତେବେ ଏନେଇ ପ୍ରଣବଙ୍କ ଝିଅ ମଧ୍ୟ ସୋନିଆଙ୍କୁ ଟାର୍ଗେଟ କରିଛନ୍ତି ।ତାଙ୍କ ବାପାଙ୍କର ସମସ୍ତ ଯୋଗ୍ୟତା ଥିଲା ପ୍ରଧାନମନ୍ତ୍ରୀ ହେବା ପାଇଁ , କାହିଁକି ତାଙ୍କ ବାପାଙ୍କୁ ଦୂରେଇ ରଖାଗଲା ସେ ନେଇ ସୋନିଆ କିଛି ଲେଖିନାହାଁନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗତ ୧୨ ବର୍ଷ ମଧ୍ୟରେ ତାଙ୍କର ପ୍ରାୟ କୌଣସି ବ୍ୟକ୍ତିଗତ ଆଲୋଚନା ହୋଇନାହିଁ ବୋଲି ସୋନିଆ ପୁସ୍ତକରେ ଲେଖିଛନ୍ତି। ଏକାଠି ଥିବା ସମୟରେ ମୋଦି ଆଖିରେ ଆଖି ମିଶାଇ କଥା ହେବାକୁ ଏଡ଼ାଇଥାନ୍ତି ବୋଲି ମଧ୍ୟ ତାଙ୍କର ଅନୁଭବ ବର୍ଣ୍ଣନା କରିଛନ୍ତି। ତେବେ ଥରେ ତାଙ୍କର ଅସୁସ୍ଥତା ସମୟରେ ମୋଦି ସ୍ୱାସ୍ଥ୍ୟ ବିଷୟରେ ପଚାରିଥିବା କଥା ସେ ସ୍ୱୀକାର କରିଛନ୍ତି। ଯାହାକୁ ନେଇ ବିଜେପି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି । ବହିରେ କେବଳ ସୋନିଆଙ୍କ ଏକତରଫା ଛବି ଦେଖାଯାଇଥିବା ବିଜେପି ଅଭିଯୋଗ କରିଛି1

ସୋନିଆ ଗାନ୍ଧୀଙ୍କ ଏହି ଆତ୍ମଜୀବନୀ କେବଳ ଏକ ପାରିବାରିକ କାହାଣୀ ନୁହେଁ। ଏଥିରେ କଂଗ୍ରେସର ନିଷ୍ପତ୍ତି, UPA ସରକାରର କାର୍ଯ୍ୟପ୍ରଣାଳୀ, ଗାନ୍ଧୀ ପରିବାରର ଆଭ୍ୟନ୍ତରୀଣ ସମ୍ପର୍କ ଏବଂ ଦେଶର ରାଜନୈତିକ ଇତିହାସ ସମ୍ପର୍କରେ ତାଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣ ସାମ୍ନାକୁ ଆଣିଛି। ଆଗାମୀ ଦିନରେ ରାଜନୈତିକ ଚର୍ଚ୍ଚାକୁ ଆହୁରି ତୀବ୍ର କରିପାରେ।

Posted in ଦେଶ ବିଦେଶ, Featured.