ବଡ଼ ମାୟାବୀ ଜୀବ ନୋହେ କାହାରି
——————————————
ମହାତ୍ମା ଯଶୋବନ୍ତ ଦାସ
————-
ପାଶ୍ଚାତ୍ୟ ଭେଷଜ ବିଜ୍ଞାନୀ, ବୈଜ୍ଞାନିକ, ପଣ୍ଡିତ ମାନଙ୍କ ଶହଶହ ବର୍ଷ ପୂର୍ବରୁ ଓଡ଼ିଆ ସାଧକ ମାନେ ଯାହା ଯାହା ସବୁ ଦେଇ ଯାଇଛନ୍ତି, ତାହା ଅନାଲୋଚିତ, କାରଣ ଆମେ ଦାୟାଦମାନେ ବିଦେଶୀ ଶାସନରେ ଶହଶହ ବର୍ଷ ଗୋଲାମ ହୋଇ ସ୍ବାଭିମାନର ସଂଜ୍ଞା ଭୁଲି, ଯାହା ବିଦେଶୀ ତାହା ବହୁତ ଭଲ ବୋଲି ଗର୍ଵର ସହିତ କହିଥାଏ, ତାଙ୍କ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ସେମାନଙ୍କ ଅପେକ୍ଷା ଅଧିକ ଆନୁଗତ୍ୟ ପ୍ରକାଶ ପୂର୍ବକ ପାଳନ କରିଥାଏ । ତାହା ହିଁ ଲର୍ଡ ମ୍ୟାକନିଲ୍ କରିଯାଇଛନ୍ତି । ତିନି ବର୍ଷ ତଳେ , ଠିକ୍ ଏହି ସମୟରେ ରାତ୍ରି କାଳୀନ ଅବରୋଧ ( ନାଇଟ କର୍ଫ୍ୟୁ) ଲାଗି ନଥିଲେ ଏହାର ଭୟଙ୍କର ଗଭୀରତାକୁ ଦେଖି ପାରି ନଥାନ୍ତେ । ହଜାର ହଜାର ଉଦାହରଣୀୟ ତଥ୍ୟ ଥିଲା ବେଳେ ଆଜି ମହାପୁରୁଷ ଯଶୋବନ୍ତ ଦାସଙ୍କ ର ଗୋଟିଏ ସୃଷ୍ଟି , ଯାହା
୧୯୫୬ ମସିହାରେ ଟମ୍ ବ୍ରାଉନଙ୍କ ଦ୍ବାରା ଅଲ୍ଟ୍ରା ସାଉଣ୍ଡ ( ultrasound ) ଭାବେ ପ୍ରଥମେ ଭେଷଜ ବିଦ୍ୟାରେ ପ୍ରୟୋଗ (The first time ultrasound was used for clinical reasons was in 1956. It was used in Glasgow by an Obstetrician named Ian Donald and an engineer named Tom Brown. These two men developed the first prototype system for ultrasound,)ତାହା ଯେ ଛଅ ଶହ ବର୍ଷ ତଳୁ ଓଡ଼ିଆ ସନ୍ଥ କରିଯାଇଛନ୍ତି, ତାହାକୁ ଉପସ୍ଥାପନ କରି ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ,ବନ୍ଦେ ଉତ୍କଳ ଜନନୀ ।
ବଡ଼ ମାୟାବୀ ଜୀବ ନୋହେ କାହାରି
——————————————
ମହାତ୍ମା ଯଶୋବନ୍ତ ଦାସ
——————
ବଡ଼ ମାୟାବୀ ଜୀବ ନୋହେ କାହାରି
ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀହରି ।।
ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାର
ଅଣାକାର ଭୂମି ସେ ଯେ ନାହିଁ ଆକାର ।
ପ୍ରଥମ ମାସେ ତୁ ଯେ ହେଲୁ ଧବଳ ବର୍ଣ୍ଣ
ଦ୍ବିତୀୟ ମାସେ ତୁ ଯେ ଜଳେ ଯେସନେ ମୀନ
ତୃତୀୟ ମାସେ ତୁ ଯେ ଶୂନ୍ୟେ ମେଳିଲୁ ଡାଳ
ଚତୁର୍ଥେ ଅସ୍ଥି ଖଞ୍ଜା ତୋହରି । ବଡ଼ …
ପଞ୍ଚମେ ନାଭି କମଳ କଲା ଭିଆଣ
ଷଷ୍ଠରେ ଵାସ୍ତରୀ ନାଡ଼ି ଖଞ୍ଜିଲା ଜାଣ।
ସପ୍ତମେ ନାସା ଜିହ୍ୱା ଆବର ମୁଖ କର୍ଣ୍ଣ
ଚକ୍ଷୁ ଭ୍ରୁଲତା କାମ କମାଣରେ ନିର୍ମାଣ
ଗଙ୍ଗା ଯମୁନା ନଦୀ ଵହଇ ଅନୁକ୍ଷଣ
ଆପେ ମନକୁ କଲା ବିଚାରି ।
ଅଷ୍ଟମେ ଅଙ୍ଗୁଷ୍ଠି ହସ୍ତ ପାଦ ଖଞ୍ଜିଲା
ନଵମାସେ ଚମଡାକୁ ଢାଙ୍କୁଣି ଦେଲା
ଦଶ ମାସରେ ଶେଷ କଲା ହୋଇ ହରଷ
ସ୍ତୁତି ଯେ କଲୁ ତୁହି ଭୋ ଦେବ ନନ୍ଦ ଶିଷ୍ୟ
ଯଦି ମର୍ତ୍ତ୍ୟମଣ୍ଡଳେ ମୁହିଁ କରିବି ଵାସ
ତୋ ନାମ ଗାଉଥିବି ସୁମରି।
ଯେଉଁ ବିନ୍ଧାଣି ତୋତେ ଟି କଲା ନିର୍ମାଣ
ସେହି ତୋ ଦେହେ ରହିଲା ଏହା ତୁ ଜାଣ,
ରଖିଣ ଦଶବାଟ ଲଗାଇଲା କବାଟ
ସୁଷୁମନା ଦୁଆରେ ରହିଲେ ନନ୍ଦ ଚାଟ
ଯେବେ ପାଇବୁ ଭେଟ ମାୟା କୁ ତୁହି କାଟ
ଗୁରୁ ସେଵିଣ ଦେଖ ଶ୍ରୀହରି । ବଡ଼ ମାୟାବୀ….
ଜନମ ହୋଇ ପଡିଲୁ ମର୍ତ୍ତ୍ୟ ମଣ୍ଡଳ
କୁଆଁ ବୋଲନ୍ତେଣ ସବୁ ଗଲା ପାଶୋର ।
ଅନ୍ତୁଡିଶାଳେ ରହି ହରି ଭଜିଲୁ ନାହିଁ
ପାଞ୍ଚ ଵରଷ ଗଲା ବାଳ ଭାବରେ ବହି
ଦଶ ଵରଷେ ଧୂଳି ଘର ଖେଳିଲୁ ତୁହି,
ଵାର ବରଷେ ବସ୍ତ୍ର ପିନ୍ଧୁ ହରଷ ହୋଇ
ତେବେ ନ ଵୋଲୁ ମୁଖେ ଶ୍ରୀହରି । ବଡ଼…
ପାଠକ ମାନଙ୍କୁ ମହାତ୍ମା ଯଶୋବନ୍ତ ଦାସ ଙ୍କ ସହିତ ପରିଚୟ କରାଇବାକୁ ହେଲେ ଆମକୁ୫୩୪ ବର୍ଷ ତଳକୁ ଯିବାକୁ ହେବ ।
ପନ୍ଦର ଵରଷେ ହେଲୁ ଅମରମତା
କୋଡ଼ିଏ ଵରଷେ କଲୁ କାମିନୀ ଚିନ୍ତା ।
କାମିନୀ ସଙ୍ଗେ ରହି ଦିନ ହରିଲୁ ତୁହି
ସେ ରୂପେ ଗଲା ତୋର ଯୁବା ଵୟସ ବହି
ହରି କଥା କୁ ଦିନେ ମନେ ନ କଲୁ ତୁହି
ହେଵୁ କେମନ୍ତେ ଏ ଭବୁ ପାରି । ବଡ଼
ବୃଦ୍ଧ ଵୟସ ଏବେ ହେଲା ତୋହରି
ଅବଶ୍ୟ ଦେଖିବୁ ଥରେ ଶମନ ପୁରୀ,
କହଇ ଯଶୋବନ୍ତ ଗୁରୁ ଙ୍କ ସେବା କର
ସେ ନାମ ଧରି ହୃଦେ ଭବୁ ହୋଇବୁ ପାର
ପୂର୍ବ -ଜନ୍ମ କଳୁଷ ଚିତ୍ତ ରୁ ହେବ ଦୂର
ବସିବୁ ବଇକୁଣ୍ଠ ଆବୋରି । ବଡ଼ ମାୟାବୀ…
ମହାତ୍ମା ଯଶୋବନ୍ତ ଙ୍କ ସହିତ ଆଜିର ପିଢ଼ି ଙ୍କୁ ପରିଚୟ କରାଇବାକୁ ହେଲେ ଆମକୁ ୫୩୪ ବର୍ଷ ତଳକୁ ଫେରିବାକୁ ହେବ । ଅଚ୍ୟୁତାନନ୍ଦଙ୍କ ‘ଉଦୟ କାହାଣୀ’ ଅନୁସାରେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ । ବଳରାମ ଦାସ ଏହି ଉଭୟଙ୍କଠୁଁ ଚାରିବର୍ଷ ବଡ଼ । ଏଣୁ ‘ଉଦୟ କାହାଣୀ’ ଅନୁସାରେ ଯଶୋବନ୍ତ ଖ୍ରୀଷ୍ଟାବ୍ଦ ୧୪୮୭ରେ ଜନ୍ମଗ୍ରହଣ କରିଥିଲେ ବୋଲି ଧରାଯାଏ । କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିକଟସ୍ଥ ଅଢ଼ଙ୍ଗଗଡ଼ ଅନ୍ତର୍ଗତ ନନ୍ଦୀଗ୍ରାମରେ ଯଶୋବନ୍ତ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖାଦେବୀ । ଯଶୋବନ୍ତ ଦାସ ନିଜ ବା ନିଜ ପରିବାର ବିଷୟରେ କୌଣସି ସନ୍ତୋଷଜନକ ପରିଚୟ ନିଜ ଗ୍ରନ୍ଥମାନଙ୍କରେ ଦେଇନାହାନ୍ତି ।
ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ ।
କ୍ଷତ୍ରିୟ କୁଳ ସେ କଲେ ପବିତ୍ର ।।
—ଅବତାର ମାଳିକା
ସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେତେକଙ୍କ ମତ ରହିଛି । ଅନ୍ୟମତେ ସେ କୃଷକ ପରିବାରରେ ଜନ୍ମଲାଭ କରିଥିଲେ । ଯଶୋବନ୍ତଙ୍କ ପିତା ମାତା ବହୁତ ଧର୍ମ ପରାୟଣ ଥିଲେ । ଯଶୋବନ୍ତଙ୍କ ଉପରେ ସେମାନଙ୍କ ଗଭୀର ପ୍ରଭାବ ପଡ଼ିଥିଲା । ଏଣୁ ସେ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ।ସୁଦର୍ଶନ ଦାସଙ୍କ ଲିଖିତ ‘ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା’ ନାମକ ଗ୍ରନ୍ଥରେ ଯଶୋବନ୍ତଙ୍କ ବାଲ୍ୟ ଜୀବନର ବର୍ଣ୍ଣନା ରହିଛି । ସୁଦର୍ଶନ ଦାସ ଯଶୋବନ୍ତଙ୍କ ନିଜ ଶିଷ୍ୟ ଥିଲେ । ଏହି ଗ୍ରନ୍ଥରେ ଯଶୋବନ୍ତଙ୍କ ବିଷୟରେ ବହୁ ବିସ୍ମୟକାରୀ କିମ୍ବଦନ୍ତୀ ରହିଛି ।ଯଶୋବନ୍ତଙ୍କ ପିତା ଜଣେ ଦରିଦ୍ର ବ୍ୟକ୍ତି ଥିଲେ । ଦାରିଦ୍ର୍ୟ ଯୋଗୁଁ ସେ ବାଧ୍ୟ ହୋଇ ଥରେ ଧାନ ଚୋରି କରିଥିଲେ । ଚୋରି କଲାବେଳେ ଅଢ଼ଙ୍ଗଗଡ଼ର ସାମନ୍ତରାଜା ରଘୁରାମ ଚ଼ମ୍ପପତି ରାୟ ତାଙ୍କୁ ଦେଖିଦେଇଥିଲେ । ରଘୁରାମ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଜଗନ୍ନାଥଙ୍କୁ ଆକୁଳ ହୋଇ ବିନତି କଲେ । ଜଗନ୍ନାଥ ତାଙ୍କ ଡାକ ଶୁଣି ଯଶୋବନ୍ତଙ୍କ ଶରୀରରେ ପ୍ରକାଶିତ ହେଲେ । ଏହି ଦୃଶ୍ୟକୁ ରଘୁରାମ ହିଁ ଦେଖିପାରିଥିଲେ । ଏହା ଦେଖିଲାପରେ ରଘୁରାମ ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଯଶୋବନ୍ତଙ୍କ ଶିଷ୍ୟ ହୋଇଗଲେ ।ଏହି କିମ୍ବଦନ୍ତୀ ଭଳି ଅନ୍ୟ ଏକ କଥା ମଧ୍ୟ ଶୁଣାଯାଏ ,
ବାରବର୍ଷ ବୟସରୁ ଯଶୋବନ୍ତ ସଂସାର ପ୍ରତି ଉଦାସୀନ ହୋଇପଡ଼ିଥିଲେ । ଏହା ପରେ ସେ ବହୁତ ବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ ‘ଦାସ’ ଉପାଧି ଗ୍ରହଣ କରିଥିଲେ । କୁହାଯାଏ ଯେ ଯଶୋବନ୍ତ ଚୈତନ୍ୟ ଦେବଙ୍କ ସଂକୀର୍ତ୍ତନ ମଣ୍ଡଳୀଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟାବ୍ଦ ୧୫୦୯ରେ ପୁରୀ ଆସିଥିଲେ । ସହଓଡ଼ିଶାରେ ଚୈତନ୍ୟ ଦେବଙ୍କ ଅବସ୍ଥାନ ସମୟରେ ଯଶୋବନ୍ତ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ପୁରୀରେ ସେ ଦୀକ୍ଷା ନେଇଥିଲେ । ଦୀକ୍ଷା ନେଇ ନିଜ ଗ୍ରାମ ଅଢ଼ଙ୍ଗକୁ ଫେରିଆସିଥିଲେ ।ସେତେବେଳେ ଅଢ଼ଙ୍ଗଗଡ଼ର ସାମନ୍ତ ରାଜା ଥିଲେ ରଘୁରାମ ଚମ୍ପପତି ରାୟ । ରଘୁରାମଙ୍କ ଭଗିନୀ ଅଞ୍ଜନା ଦେବୀଙ୍କ ସହ ଯଶୋବନ୍ତଙ୍କ ବିବାହ ହୋଇଥିଲା । କେତେକଙ୍କ ମତରେ ସଂସାର ପ୍ରତି ଯଶୋବନ୍ତଙ୍କ ବୀତସ୍ପୃହତା ଦେଖି ତାଙ୍କ ବାପା ମା ତାଙ୍କୁ ବିବାହିତ କରିଥିଲେ । ରଘୁରାମ ଯଶୋବନ୍ତଙ୍କ ପାଇଁ ଗୋଟିଏ ସୁନ୍ଦର ମଠ ନିର୍ମାଣ କରି ମଠର ପରିଚାଳନା ନିମନ୍ତେ ବହୁ ସମ୍ପତ୍ତି ଖଞ୍ଜିଥିଲେ । ଏ ମଠ ବର୍ତ୍ତମାନ ସୁଦ୍ଧା ଯଶୋବନ୍ତ ଦାସଙ୍କ ଉତ୍ତରାଧିକାରୀମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଛି ।କିମ୍ବଦନ୍ତୀ କୁହେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଶୋବନ୍ତ ଦାସଙ୍କର ୭୫୦ ଶିଷ୍ୟ ଥିଲେ ବୋଲି ଶୁଣାଯାଏ । ଯଶୋବନ୍ତ ଜଣେ ସିଦ୍ଧ ବୈଷ୍ଣବ ଥିଲେ । ଏଣୁ ଯଶୋବନ୍ତଙ୍କ ଜୀବନ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଶୁଣାଯାଏ । ତନ୍ମଧ୍ୟରେ ବ୍ରହ୍ମରାକ୍ଷସ ଓ ବାବନାଭୂତ ପ୍ରସଙ୍ଗ କୁ ଉପଜିଵ୍ୟ କରି ଜନଶ୍ରୁତିରୁ ଶୁଣାଯାଏ ଯେ ଥରେ ଯଶୋବନ୍ତ କେତେକ ଶିଷ୍ୟଙ୍କ ସହିତ ପୁରୀ ଅଭିମୁଖରେ ଯାତ୍ରା କରୁଥିଲେ । ପଥ ମଧ୍ୟରେ ଏକ ବ୍ରହ୍ମରାକ୍ଷସ ସହ ସେମାନଙ୍କ ଭେଟ ହେଲା । ବ୍ରହ୍ମରାକ୍ଷସ ତାହାର ପୈଶାଚିକୀ ଲୀଳା ସାଧନା କରିବାକୁ ଗଲାବେଳେ ଯଶୋବନ୍ତ ନିଜ ଯୋଗ ପ୍ରଭାବରେ ଆଶାବାଡ଼ିରେ ତାହାକୁ ପଥ ଦେଖାଇ ଆଗେ ଆଗେ ଚାଲିବାକୁ ଉପଦେଶ ଦେଲେ । ଏହା ପରେ ରାକ୍ଷସ ଆଉ କୌଣସି ଅତ୍ୟାଚାରର ପ୍ରଚେଷ୍ଟା ନ କରି ଶାନ୍ତ ଶିଷ୍ଟ ଭାବରେ ଚାଲିଲା । ବ୍ରହ୍ମରାକ୍ଷସ ଆସୁଥିବାର ଜାଣି ଜନସାଧାରଣ ଘର ଛାଡ଼ି ଚାରିଆଡ଼େ ଧାଇଁବାକୁ ଲାଗିଲେ । ଅଳ୍ପକାଳ ମଧ୍ୟରେ ଏ ଖବର ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବଙ୍କ ପାଖକୁ ପହଞ୍ଚିଲା । ରାଜା ଯଶୋବନ୍ତଙ୍କ ଦେଖି ବିସ୍ମିତ ହେଲେ ଓ ତାଙ୍କ ଅଭ୍ୟର୍ଥନା ଲାଗି ଅଠରନଳା ପାଖରେ ଆସିକି ନିଜେ ଘଟଣାଟିକୁ ଦେଖିଲେ । ଅଭର୍ଥନା ଶେଷରେ ଯଶୋବନ୍ତଙ୍କ ଅନୁରୋଧ କ୍ରମେ ରାଜା ରାକ୍ଷସଟିକୁ ଜଗନ୍ନାଥଙ୍କ ଗୁଣ୍ଡିଚା ବାଡ଼ିର ରକ୍ଷଣାବେକ୍ଷଣ ଭାର ପ୍ରଦାନ କଲେ । ସେହିଦିନଠାରୁ ସେ ରାକ୍ଷସଟି ସେଠାରେ ବାବନାଭୂତ ନାମ ଧାରଣ କରି ପୂଜା ପାଇ ଆସୁଅଛି ।ଧାନଶିଁଷାରୁ ‘ରାମ ରାମ’ ଶବ୍ଦ ସମ୍ପର୍କରେ ଏକ କିମ୍ବଦନ୍ତୀ ରହିଛି ଯେ ଯଶୋବନ୍ତ କେତେକ କାଳ ରଘୁରାମଙ୍କ ଅଧୀନରେ ଗ୍ରାମ କଟୁଆଳ କାର୍ଯ୍ୟ ଗ୍ରହଣ କରିଥିଲେ । ସେହି ସମୟରେ ଥରେ ଦେଶରେ ଶସ୍ୟହାନି ଘଟି ଭୀଷଣ ଦୁର୍ଭିକ୍ଷ ହୋଇଥିଲା । ଏକଦା ତାଙ୍କର ସ୍ତ୍ରୀ ପାୟସାନ୍ନ ଭୋଜନ କରିବାକୁ ଇଚ୍ଛା କରିବାରୁ ଯଶୋବନ୍ତ ଗ୍ରାମବାସୀ ଜନୈକ କୃଷକର ଧାନ କିଆରୀରେ ପଶି ଧାନ ଚୋରି କଲେ । ପାଚିଲା ଧାନ ଛିଣ୍ଡାଇଲା ବେଳେ ସେ ଶୁଣିଲେ ଯେ ପ୍ରତ୍ୟେକ ଧାନଶିଁଷା ସତେ ଯେପରି ବିକଳରେ ‘ରାମ ରାମ’ ଡାକୁଅଛି । ସେହି ଶବ୍ଦରେ କୃଷକ ଜାଗ୍ରତ ହୋଇ ଯଶୋବନ୍ତଙ୍କୁ ଧରିଲା ଓ ରାଜକୀୟ ବିଚାରାଳୟକୁ ନେଲା । ସେଠାରେ ରାଜା ସମସ୍ତ ବୃତ୍ତାନ୍ତ ଶୁଣି ଯଶୋବନ୍ତଙ୍କୁ ଦୋଷୀ ବୋଲି ଗ୍ରହଣ କରି ଦୋଷ ଅନୁସାରେ ଦଣ୍ଡବିଧାନ କରିଥିଲେ ।
ସୁଦର୍ଶନ ଦାସଙ୍କ ରଚିତ ଗ୍ରନ୍ଥ ‘ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା’ରେ ଲିଖିତ ଅଛି ଯେ ଥରେ ଯବନ କବି ସାଲବେଗ ବୈଷ୍ଣବ ଦୀକ୍ଷିତ ହୋଇସାରିବା ପରେ ଯଶୋବନ୍ତଙ୍କ ଶକ୍ତି ବିଷୟରେ ଶୁଣିଲେ ଓ ତାଙ୍କୁ ପରୀକ୍ଷା କରିବା ପାଇଁ ଚାହିଁଲେ । ତାଙ୍କ ପରୀକ୍ଷାରେ ଯଶୋବନ୍ତ ଉତ୍ତୀର୍ଣ୍ଣ ହେବାରୁ ସେ ତାଙ୍କ ପାଦଧୂଳି ଗ୍ରହଣ କରିଥିଲେ । ଏହି ସାଲବେଗ ଗୌଡ଼ୀୟ ସାଲବେଗଙ୍କ ଠାରୁ ଅଲଗା ବୋଲି ପ୍ରତୀୟମାନ ହୁଏ, ଯେହେତୁ ଗୌଡ଼ୀୟ ସାଲବେଗ ସପ୍ତଦଶ ଶତାବ୍ଦୀର ଲୋକ ଥିଲେ ଓ ତାଙ୍କ ଗୁରୁଙ୍କ ନାମ ଶ୍ୟାମାନନ୍ଦ ଥିଲା ।
ଯଶୋବନ୍ତଙ୍କ ଦେହାବସାନ କେଉଁ ବର୍ଷରେ ହୋଇଥିଲେ ଏହା ଜାଣିବା ପାଇଁ କିଛି ଉପାଦାନ ମିଳୁନାହିଁ । ସେ ମାଘ ମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତିରେ ରହିଛି । ତାଙ୍କର ତିରୋଧାନ ଦିବସରେ ଅଢ଼ଙ୍ଗରେ ଗୋଟିଏ ବଡ଼ ମେଳା ଅନୁଷ୍ଠିତ ହୁଏ । ଯଶୋବନ୍ତଙ୍କ ରଚିତ ଭଜନଗୁଡ଼ିକ ବ୍ରହ୍ମଜ୍ଞାନମୂଳକ । ଏଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏଗୁଡ଼ିକ ଓଡ଼ିଶାରେ ଗ୍ରାମେ ଗ୍ରାମେ ପ୍ରସିଦ୍ଧ ।
ଗୋବିନ୍ଦଚନ୍ଦ୍ର (ଉପାଖ୍ୟାନ) ଏକ କାଳଜୟୀ ସୃଷ୍ଟି ।
ଓଡ଼ିଆ ସାହିତ୍ୟରେ ଗାଥା କବିତା ଗୋଟିଏ ପ୍ରକାର କବିତା ଯେଉଁଥିରେ କୌଣସି ପୌରାଣିକ ଗାଥାକୁ ଗୀତିକବିତା ମାଧ୍ୟମରେ କୁହାଯାଏ । ଯଶୋବନ୍ତ ଦାସଙ୍କ ‘ଗୋବିନ୍ଦଚନ୍ଦ୍ର’ ଏହି ଶ୍ରେଣୀର ପ୍ରଥମ ରଚନା ବୋଲି କେତେଜଣଙ୍କ ମତ ରହିଛି । ଏହା ବଙ୍ଗଦେଶର ରାଜା ଗୋବିନ୍ଦଚନ୍ଦ୍ରଙ୍କ ଉପରେ ଆଧାରିତ । ଗୋବିନ୍ଦଚନ୍ଦ୍ରଙ୍କ ମାତା ମୁକୁତା ଦେଈ ହାଡ଼ିପାଙ୍କୁ ନିଜ ପୁତ୍ରର ଗୁରୁ କରାଇ ତାଙ୍କୁ ବ୍ରହ୍ମଜ୍ଞାନ ପ୍ରାପ୍ତି କରିବାକୁ ଉପଦେଶ ଦିଅନ୍ତି ଯଦ୍ୱାରା ତାଙ୍କ ଅକାଳମୃତ୍ୟୁ ଟଳିଯାଏ । ଯଶୋବନ୍ତଙ୍କ ପରେ ଏହି ବିଷୟରେ ଦୁଇଜଣ ଅଷ୍ଟାଦଶ ଶତାବ୍ଦୀର କବି ମଧ୍ୟ ରଚନା କରିଛନ୍ତି ।ସାହିତ୍ୟିକ ଦୃଷ୍ଟିକୋଣରୁ ଖୁବ ମୂଲ୍ୟବାନ ।ଏହା ଅନୁସରଣରେ ଟୀକାଗୋବିନ୍ଦ ଚନ୍ଦ୍ର ରଚିତ ।
ଶିବସ୍ୱରୋଦୟ,ଏହା ଏକ ଶୈବ ତାନ୍ତ୍ରିକ ଗ୍ରନ୍ଥର “ସ୍ୱରୋଦୟଲେଶ”ର ଅନୁବାଦ ଅଟେ ।ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ । ମୂଳଗ୍ରନ୍ଥ ପରି ଏହା ମଧ୍ୟ ୨୧ ଅଧ୍ୟାୟ ବିଶିଷ୍ଟ ।ସମଗ୍ର ଗ୍ରନ୍ଥର ପଦସଂଖ୍ୟା ୪୭୫। ସ୍ୱରର ପ୍ରଶଂସା ,ନାଡିଜ୍ଞାନ,ନାଡିଚାଳନାର ଫଳାଫଳ ,ପ୍ରାଣାଦି ବାୟୁର ତତ୍ତ୍ୱ ନିରୂପଣ ,ସ୍ତ୍ରୀବଶୀକରଣ ଆଦି ଯୋଗସାଧନ ପ୍ରଣାଳୀ,ସ୍ୱରଜ୍ଞାନ ଆଦି ରଚିତ ।ଏଥିରେ ଶ୍ରୀକୃଷ୍ଣ ରାଧା ଓ ଅର୍ଜ୍ଜୁନଙ୍କୁ ଯୋଗମାର୍ଗ ବିଷୟରେ କହନ୍ତି । ପ୍ରେମ ଓ ଭକ୍ତିର ଏକ ସମନ୍ୱୟ । ବିଷୟବସ୍ତୁ ଆରମ୍ଭରେ ସୃଷ୍ଟିକ୍ରିୟା ବିବରଣୀ ପ୍ରଦତ୍ତ । ରାଧାକୃଷ୍ନଙ୍କ ଜନ୍ମ, ଯୁଗଳରୂପ, ନିତ୍ୟରାସ, ଜୀବ-ପରମ ବିହାର, ଶରୀର ମଧ୍ୟସ୍ଥ ସପ୍ତାବରଣତତ୍ତ୍ୱ, ଶ୍ରୀକ୍ଷେତ୍ର ମହିମା ଆଦି ବର୍ଣ୍ଣନା କରଯାଉଛି। ପାଞ୍ଚଟି ଅଧ୍ୟାୟରେ ସମାପ୍ତ ଓ ନବାକ୍ଷରୀ ବା ଗୁଜ୍ଜରୀ ବୃତ୍ତରେ ରଚିତ । ମହାତ୍ମା ଯଶୋବନ୍ତ ଙ୍କ ସୃଷ୍ଟି କୃତି ମଧ୍ୟରେ ଅଢ଼ଙ୍ଗ ଗଡ଼ମାଳିକା,ଆତ୍ମପରତେ ଗୀତା, ଚଉରାଅଶି ଆଜ୍ଞା,ପ୍ରେମଭକ୍ତି ବ୍ରହ୍ମଗୀତା ,ବଣଭୋଜି,ମନ୍ତ୍ରବୋଲି,ଯନ୍ତ୍ରବୋଲି,ଦିବ୍ୟଦେହୀ
ଲୋହି ଗୀତା,ଭବିଷ୍ୟ ମାଳିକା,ଶିବ ସ୍ୱରୋଦୟ (ସଂସ୍କୃତ ‘ସ୍ୱରୋଦ୍ୱୟଲେଶ’ ଶୀର୍ଷକ ଗ୍ରନ୍ଥର ବିଷୟବସ୍ତୁ ଅବଲମ୍ବନରେ)
ହେତୁ ଉଦୟ ଭାଗବତ,ଆଗତ ଭବିଷ୍ୟ,ଧାନଚୋରି,ବାଘଲୀଳା
ଭଜନ ସାର୍ ପ୍ରମୁଖ ସୀମା ହୀନ ଜନାଦୃତ ସୃଷ୍ଟି ।
ଯଶୋବନ୍ତ ଅନେକ ବ୍ରହ୍ମଜ୍ଞାନମୂଳକ ଭଜନ ରଚନା କରିଛନ୍ତି । ତାଙ୍କ ରଚନା ଭିତରୁ ଶିବସ୍ୱରୋଦୟ, ପ୍ରେମଭକ୍ତି ବ୍ରହ୍ମଗୀତା, ଦିବ୍ୟଦେହୀ, ଲୋହୀ ଗୀତା, ଗୋବିନ୍ଦଚନ୍ଦ୍ର ଓ ଯନ୍ତ୍ରବୋଲି ବିଶେଷ ଜନାଦୃତ । ଏହି ରଚନାଗୁଡ଼ିକରେ ସେ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ ଓ ଶୂନ୍ୟବ୍ରହ୍ମଙ୍କ ବିଷୟରେ ଲେଖିଛନ୍ତି । ‘ଭବିଷ୍ୟ ମାଳିକା’ ନାମକ ରଚନାରେ ସେ ଭବିଷ୍ୟ କାଳରେ କିପରି ଅଘଟଣ ହେବ ତାହା ବିଷୟରେ ଲେଖିଛନ୍ତି । ‘ଯନ୍ତ୍ରବୋଲି’ରେ ସେ ଯନ୍ତ୍ର ଓ ଅକ୍ଷର ମାଧ୍ୟମରେ କିପରି ବ୍ରହ୍ମଙ୍କୁ ପ୍ରାପ୍ତ କରିହେବ ଲେଖିଛନ୍ତି । ଯଶୋବନ୍ତ ଶୂନ୍ୟବ୍ରହ୍ମଙ୍କ ଉପାସକ ହେଲେ ମଧ୍ୟ ଜଗନ୍ନାଥଙ୍କୁ ନିଜ ଇଷ୍ଟଦେବତା ଭାବେ ମାନୁଥିଲେ ।
କ୍ରମଶଃ