
ପ୍ରତି ବର୍ଷ ଜାନୁଆରୀ ୫ତାରିଖରେ ଜାତୀୟ ପକ୍ଷୀ ଦିବସ ପ୍ରାୟତଃ ସମଗ୍ର ବିଶ୍ଵରେ ପାଳିତ ହୋଇଆସୁଛି । ବିଶେଷ କରି ଆମ ଓଡ଼ିଶା ପରିପ୍ରେକ୍ଷୀରେ ଏହି ଦିବସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମରାଳ ମାଳିନୀ ନୀଳାମ୍ବୁ ଚିଲିକା ସମେତ ଅଂଶୁପା ଆଦି ବିଭିନ୍ନ କ୍ଷେତ୍ରର ସ୍ଥିତି କୁ ଉପଜିବ୍ୟ କରି ଏହା ଆମର ନିର୍ଦ୍ଦିଷ୍ଟ ମତ । ଏହା ନିର୍ବିବାଦୀୟ ସତ୍ୟ ଯେ ପକ୍ଷୀ ସ୍ଥାନାନ୍ତରଣ ଏକ ପ୍ରାକୃତିକ ଚମତ୍କାର । ସ୍ଥାନାନ୍ତରିତ ପକ୍ଷୀମାନେ ସେମାନଙ୍କର ଛୁଆମାନଙ୍କୁ ଖାଇବାକୁ, ପ୍ରଜନନ ଏବଂ ପାଳିବା ପାଇଁ ସର୍ବୋତ୍ତମ ପରିବେଶ ପରିସ୍ଥିତି ଓ ବାସସ୍ଥାନ ଖୋଜିବା ପାଇଁ ହଜାର ହଜାର କିଲୋମିଟର ଉଡ଼ି ଆସନ୍ତି । ଯେତେବେଳେ ପ୍ରଜନନ ସ୍ଥାନଗୁଡିକର ଅବସ୍ଥା ପ୍ରତିକୂଳ ହୋଇଯାଏ, ସେତେବେଳେ ଅବସ୍ଥା ଭଲ ଥିବା ଅଞ୍ଚଳକୁ ଉଡିଯାନ୍ତି । ସେଠାରେ ଅନେକ ଭିନ୍ନ ସ୍ଥାନାନ୍ତରଣ ଢାଞ୍ଚା ରହିଛି ।ଅଧିକାଂଶ ପକ୍ଷୀ ଉତ୍ତର ପ୍ରଜନନ କ୍ଷେତ୍ରରୁ ଦକ୍ଷିଣ ଶୀତକାଳୀନ ସ୍ଥାନକୁ ସ୍ଥାନାନ୍ତରିତ ହୁଅନ୍ତି । ତଥାପି, କେତେକ ପକ୍ଷୀ ଆଫ୍ରିକାର ଦକ୍ଷିଣ ଭାଗରେ ପ୍ରଜନନ କରନ୍ତି ଏବଂ ଶୀତଦିନେ ସାମାନ୍ୟ ଉପକୂଳ ଜଳବାୟୁ ଉପଭୋଗ କରିବା ପାଇଁ ଉତ୍ତର ଶୀତକାଳୀନ ଅଞ୍ଚଳକୁ ସ୍ଥାନାନ୍ତରିତ ହୁଅନ୍ତି । ରେଡ୍ ନଟ୍ କୌଣସି ପକ୍ଷୀର ଦୀର୍ଘତମ ମୋଟ ସ୍ଥାନାନ୍ତରଣ ମାର୍ଗ ମଧ୍ୟରୁ ଗୋଟିଏ । ବର୍ଷକୁ ଦୁଇଥର ୧୬ ହଜାର କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରନ୍ତି । ଏମାନେ ସାଇବରିଆରେ ପ୍ରଜନନ କରନ୍ତି ଏବଂ ଆଫ୍ରିକାର ପଶ୍ଚିମ ଉପକୂଳରେ ଅତ୍ୟଧିକ ଶୀତ ପଡୁଥିବା ବା ଓଭରୱିଣ୍ଟର୍ ଓ କେତେକ ଦକ୍ଷିଣ ଆଫ୍ରିକାର ପ୍ରାନ୍ତକୁ ମଧ୍ୟ ଯାଆନ୍ତି ।ବାର୍ଷିକ ସଚେତନତା ଅଭିଯାନ ଯାହାକି ସ୍ଥାନାନ୍ତରିତ ପକ୍ଷୀ ଏବଂ ସେମାନଙ୍କ ବାସସ୍ଥାନ ସଂରକ୍ଷଣର ଆବଶ୍ୟକତାକୁ ଦର୍ଶାଉଛି । ଏକ ବିଶ୍ବସ୍ତରୀୟ ପ୍ରସାର ରହିଛି ଏବଂ ସ୍ଥାନାନ୍ତରିତ ପକ୍ଷୀମାନଙ୍କ ସମ୍ମୁଖୀନ ହେଉଥିବା ବିପଦ, ସେମାନଙ୍କର ପରିବେଶଗତ ଗୁରୁତ୍ବ ଏବଂ ସେମାନଙ୍କୁ ସଂରକ୍ଷଣ କରିବା ପାଇଁ ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ବିଷୟରେ ବିଶ୍ବସ୍ତରୀୟ ସଚେତନତା ସୃଷ୍ଟି କରିବାରେ ଏହା ଏକ ପ୍ରଭାବଶାଳୀ ଉପକରଣ ।ପ୍ରଦୂଷଣ କେବଳ ସ୍ଥାନୀୟ ପ୍ରଭାବିତ ପକ୍ଷୀମାନଙ୍କ ପାଇଁ କ୍ଷତିକାରକ ନୁହେଁ ବରଂ ସ୍ଥାନାନ୍ତରିତ ପକ୍ଷୀମାନଙ୍କ ପାଇଁ ମଧ୍ୟ କ୍ଷତିକାରକ । ପ୍ରବଳ ପ୍ରଦୂଷଣ ଉପଯୁକ୍ତ ବାସସ୍ଥାନ ହ୍ରାସ କରିବ । ପକ୍ଷୀମାନଙ୍କ ପାଇଁ ସେମାନଙ୍କର ସ୍ଥାନାନ୍ତରଣକୁ ସଫଳତାର ସହିତ ସମାପ୍ତ କରିବା ଅଧିକ କଷ୍ଟସାଧ୍ୟ ହେବ ।ବେଆଇନ ଶିକାର ଓ ପୋଖରୀ ମଧ୍ୟ ସ୍ଥାନାନ୍ତରିତ ପକ୍ଷୀମାନଙ୍କ ପାଇଁ ବିପଦ। କିଛି ସମୟରେ ଅଭିଜ୍ଞ ଶିକାରୀମାନେ ଭୁଲ କରିପାରନ୍ତି ଏବଂ ଅଜାଣତରେ ସଂରକ୍ଷିତ ପକ୍ଷୀମାନଙ୍କୁ ଗୁଳି କରିଦିଅନ୍ତି । ପ୍ରତିବର୍ଷ ସ୍ଥାନାନ୍ତରିତ ପକ୍ଷୀମାନଙ୍କ ମଧ୍ୟରେ ଅନାହାର ସୃଷ୍ଟି କରେ । ଖାଦ୍ୟ ବିନା ସ୍ଥାନାନ୍ତରିତ ପକ୍ଷୀମାନଙ୍କୁ ପ୍ରଭାବିତ କରିଥାଏ । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ “ଜାତୀୟ ପକ୍ଷୀ ଦିବସ” ହେଉଛି ଏକ ବିଶେଷ ଦିବସ ଯାହା କାନାଡା, ଯୁକ୍ତରାଷ୍ଟ୍ର ଏବଂ ଅନ୍ୟାନ୍ୟ ଦେଶରେ ପ୍ରତି ବର୍ଷ ଜାନୁଆରୀ ୫ରେ ଅନୁଷ୍ଠିତ ହୋଇଥାଏ । ଆମର ଏହି ପକ୍ଷୀ ବନ୍ଧୁମାନଙ୍କୁ ସମ୍ମାନ ଏବଂ ପ୍ରଶଂସା କରିବା ହେଉଛି ଆଜି ଏହି ଦିବସର ତାତ୍ପର୍ଯ୍ୟ । ପକ୍ଷୀମାନେ ଚିତ୍ତାକର୍ଷକ ହେବା ସତ୍ତ୍ୱେ ବର୍ତ୍ତମାନ ବଡ଼ ବିପଦର ସମ୍ମୁଖୀନ ହୋଇ ଆସୁଛନ୍ତି।
ପକ୍ଷୀଙ୍କ ଉପସ୍ଥିତି ସ୍ଥାନୀୟ ପରିବେଶର ସୁସ୍ଥତାକୁ ସୂଚିତ କରିଥାଏ, ତେଣୁ ସେମାନଙ୍କୁ ପରିବେଶ ବାରୋମିଟର ବା ମାପକାଠି କହିଲେ ଅତ୍ୟୁକ୍ତି ହେବ ନାହିଁ । ପକ୍ଷୀ ଦିବସ ନିର୍ଦ୍ଧାରକ ମାନେ ଚିନ୍ତା କରିଥିଲେ ନିଶ୍ଚିତ ଯେ ପକ୍ଷୀମାନଙ୍କ ସମ୍ମୁଖୀନ ହେଉଥିବା ବିଭିନ୍ନ ବିପଦ, ବେଆଇନ କାରବାର, ରୋଗ ଏବଂ ଜଳବାୟୁ ପରିବର୍ତ୍ତନର ବିପରୀତ ପ୍ରଭାବ ବିଷୟରେ ସଚେତନତା ଜାଗ୍ରତ କରିବା ହେବ ଏହି ଦିବସ ପାଳନ ର ମୁଖ୍ୟ ଲକ୍ଷ୍ୟ । ଏଠାରେ ସ୍ପଷ୍ଟ ଭାବରେ କୁହାଯାଇପାରେ ଯେ ମନୁଷ୍ୟକୃତ କାର୍ଯ୍ୟକଳାପ ପକ୍ଷୀ ଅବସ୍ଥାରେ ଅବକ୍ଷୟର ଏକ ମୁଖ୍ୟ କାରଣ ଅଟେ । ସେମାନଙ୍କ ପ୍ରାକୃତିକ ବାସସ୍ଥାନରେ ହସ୍ତକ୍ଷେପ ଦ୍ଵାରା ଇକୋସିଷ୍ଟମ ବା ପରିସଂସ୍ଥା ବ୍ୟାହତ ହୁଏ । ବିପରୀତ ପରିସ୍ଥିତିର ସାଧାରଣ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ପକ୍ଷୀ ବାଣିଜ୍ୟ, ବିଶ୍ଵ ତାପନ, ଜଙ୍ଗଲ ନଷ୍ଟ ହେବା, ପକ୍ଷୀମାନଙ୍କୁ ପୋଷା ମନେଇ ଘରେ ଆବଦ୍ଧ ରଖିବା ଏବଂ ଅନ୍ୟାନ୍ୟ ଅନେକ କାରଣ ଅନ୍ତର୍ଭୁକ୍ତ । ଇଗଲ, ମାକାଉ, ଏବଂ ବ୍ୟାଜର୍ ପରି ବିଦେଶୀ ପକ୍ଷୀମାନେ ସେମାନଙ୍କର ସୁନ୍ଦର ପୋଷା ପାଇଁ ଏବଂ ଖାଦ୍ୟ ଭାବରେ ବିକ୍ରି ହୁଅନ୍ତି ।କିଛି ପକ୍ଷୀ ପ୍ରଜାତି ଯେପରିକି କାକାପୋ, ଫଳ କପୋତ, ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟାର୍ଡ, ରେଡ୍-ହେଡ୍ ଶାଗୁଣା, ବନ ଓଲେଟ୍, ଚାମଚ-ବିଲ୍ଡ୍ ସ୍ୟାଣ୍ଡପାଇପର, ବଙ୍ଗଳା ଫ୍ଲୋରିକାନ୍ ବିଲୁପ୍ତ ହେବାକୁ ଯାଉଛନ୍ତି । ଜାତୀୟ ପକ୍ଷୀ ଦିବସ ଏହି ଆଉହାନି ଗୁଡିକର ସମାଧାନ ତଥା ଦୂର କରିବା ପାଇଁ ଏକ ମଞ୍ଚ ବା ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ । ଉଡ଼ିବାର କ୍ଷମତା ସହିତ ପକ୍ଷୀମାନେ ଚିତ୍ତାକର୍ଷକ ଅଟନ୍ତି । ସେମାନଙ୍କୁ ମୁକ୍ତ ଆକାଶରେ ଗତିଶୀଳ ଦେଖିବା ଆଶ୍ଚର୍ଯ୍ୟଜନକ ହୋଇପାରେ, ତେବେ ସବୁଠାରୁ ବଡ଼ କଥା ହେଉଛି ଲୋକମାନେ ଏତେ ଦିନ ପର୍ଯ୍ୟନ୍ତ ସେମାନଙ୍କ ପ୍ରତି କିଭଳି ଆକର୍ଷିତ ହୋଇଆସୁଛନ୍ତି । ବିଗତ କିଛି ବର୍ଷ ଧରି ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ସହଯୋଗର ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଆୟୋଜିତ ହୋଇ ଆସୁଛି ।

ସଂରକ୍ଷଣ-ନେତୃତ୍ୱାଧୀନ ପର୍ଯ୍ୟଟନ, ସ୍ଥାୟୀତ୍ୱ ଏବଂ ଗୋଷ୍ଠୀ ଭାଗୀଦାରି ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବା ନିମନ୍ତେ ଚିଲିକା ହ୍ରଦଠାରେ ଏହି ମହୋତ୍ସବର ଆୟୋଜନ କରାଯାଇଥାଏ।
। ଏହି ମହୋତ୍ସବ ଜୈବ ବିବିଧତାର ସଂରକ୍ଷଣ, ସ୍ଥାନୀୟ ଲୋକଙ୍କ ଜୀବନଜୀବିକାରେ ଉନ୍ନତି, ଶିକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସହିତ ଚିଲିକାର ଉତ୍କୃଷ୍ଟ ପରିବେଶଗତ ଗୁରୁତ୍ୱକୁ ପ୍ରଦର୍ଶନ କରିଥାଏ। ସଫଳ ଗୋଷ୍ଠୀ-ପରିଚାଳିତ ପକ୍ଷୀ ଦର୍ଶନ ମଡେଲ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଏହି ମହୋତ୍ସବ ପରିଦର୍ଶକଙ୍କୁ ମଙ୍ଗଳାଯୋଡି ଏବଂ ନଳବଣ ପକ୍ଷୀ ଅଭୟାରଣ୍ୟରେ ପକ୍ଷୀ ଦର୍ଶନ ଅଭିଜ୍ଞତାରେ ଅଂଶଗ୍ରହଣ କରିବାକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବା ଏହାର ଲକ୍ଷ୍ୟ ।ଏହି ମହୋତ୍ସବ ପରିଦର୍ଶକମାନଙ୍କୁ ଏକ ସଂରକ୍ଷିତ ଆର୍ଦ୍ରଭୂମିରେ ପ୍ରବାସୀ ପକ୍ଷୀଙ୍କ ସମାଗମ ଦେଖିବାର ସୁଯୋଗ ପ୍ରଦାନ କରିଆସୁଛି ।ପକ୍ଷୀ ଦର୍ଶନ ବ୍ୟତୀତ, ଚିଲିକା ଅଞ୍ଚଳର ଜୀବନ୍ତ ସଂସ୍କୃତିକୁ ପ୍ରତିଫଳିତ କରୁଥିବା ଏହି ମହୋତ୍ସବ ଏକ ସାମଗ୍ରିକ ଅନୁଭୂତି ମଧ୍ୟ ପ୍ରଦାନ କରେ । ପରିଦର୍ଶକମାନେ ସ୍ଥାନୀୟ ହସ୍ତଶିଳ୍ପ ସହ ପରିଚିତ ହେବା ସହ ସମ୍ପ୍ରଦାୟଗୁଡ଼ିକ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଆଞ୍ଚଳିକ ଖାଦ୍ୟର ଆନନ୍ଦ ନେଇପାରିବେ ଏବଂ ପକ୍ଷୀବିଜ୍ଞାନୀ, ପକ୍ଷୀପ୍ରେମୀ ଏବଂ ବନ୍ୟପ୍ରାଣୀ ଫଟୋଗ୍ରାଫରଙ୍କ ନେତୃତ୍ୱରେ ପାରସ୍ପରିକ ଆଲୋଚନା ଅଧିବେଶନରେ ଅଂଶଗ୍ରହଣ କରିପାରିବେ ।

ଏହି କାର୍ଯ୍ୟକ୍ରମଗୁଡ଼ିକ ଆର୍ଦ୍ରଭୂମି ପରିବେଶ, ପ୍ରବାସୀ ପକ୍ଷୀ ଆଚରଣ ଏବଂ ଦାୟିତ୍ୱପୂର୍ଣ୍ଣ ପ୍ରକୃତି-ଆଧାରିତ ପର୍ଯ୍ୟଟନର ନୀତି ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ପ୍ରସ୍ତୁତ କରାଯାଇଛି ।ପରିଦର୍ଶକମାନେ ବରକୁଳର ପାନ୍ଥନିବାସ ନିକଟରେ ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ନୌକା ପ୍ରତିଯୋଗିତା ଏବଂ ଦୁଃସାହସିକ ଜଳକ୍ରୀଡା କାର୍ଯ୍ୟକଳାପ ଅନୁଭବ କରିବାର ସୁଯୋଗ ପାଇବେ । ଚିଲିକା ହ୍ରଦର ସମ୍ପଦଗୁଡ଼ିକର ସ୍ଥାୟୀ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସହ ହ୍ରଦ ସହ ଜଡିତ ପାରମ୍ପରିକ ଜୀବିକାର୍ଜନକାରୀମାନଙ୍କୁ ଏହା ପ୍ରୋତ୍ସାହନ ଦେବ । ଆମେ ଗତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚିଲିକା ବୋଇତ ବନ୍ଦାଣ ଉତ୍ସବରେ ଅତିଥିଭାବେ ଯୋଗଦେଇ ସାମ୍ପ୍ରତିକ ଚିଲିକାର ସ୍ଥିତି ଦେଖି ହୋଇଥିଲୁ ମର୍ମାହତ ଏବଂ ପ୍ରକାଶ କରିଥିଲୁ ଅସନ୍ତୋଷ ଏବଂ ଉପସ୍ଥିତ ମନ୍ତ୍ରୀ, ସାଂସଦ ଏବଂ ପ୍ରଶାସନିକ ଅଧିକାରୀଙ୍କ ସମ୍ମୁଖରେ ରଖିଥିଲୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ , ଯଦିଓ ଜାଣୁ ଯେ ଏହାର ପ୍ରଭାବ ଦେବ ଦେବ ମହାଦେବ ଙ୍କ ବିଶ୍ଵସ୍ତ ବାହନଙ୍କ ସଦା ଦୋଳାୟମାନ ଅଙ୍ଗ । କୁହା ଯାଏ ଯେ ମହୋତ୍ସବର ସାଂସ୍କୃତିକ ଏବଂ ଗୋଷ୍ଠୀ-ନେତୃତ୍ୱାଧୀନ ଦିଗକୁ ଆହୁରି ସମୃଦ୍ଧ କରିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟର ସଦସ୍ୟମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଫଳରେ ସେମାନଙ୍କ ମଧ୍ୟରେ ସଂହତି ପ୍ରତିଷ୍ଠା ହେବ । ଗୋଟିଏ ପଟେ ସଦର ବ୍ୟାପକ ପ୍ରଚଳନ,ଅନ୍ୟ ଦିଗରେ ସାମାଜିକ ଶୃଙ୍ଖଳା ରକ୍ଷା ଚିନ୍ତନ, ଏକ ଅବାସ୍ତବ ପରିକଳ୍ପନା । ଚଟୁ ଆଇଁଷ, ବେଣ୍ଟ ନିରାମିଷ କେମିତି ସମ୍ଭବ ? ହଁ , ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ
ଶୀତର ପହିଲି ସ୍ପର୍ଶ ସାଙ୍ଗକୁ ନୀଳାମ୍ବୁ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଥାଏ ।

ଆମେ ସେହି ସଭାରେ ଯୋଗ ଦେବା ବେଳେ ଜାଣିବାକୁ ପାଇଥିଲୁ ଯେ ସେ ସମୟରେ ଚିଲିକା ମଧ୍ୟସ୍ଥ ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥିଲା ।ପକ୍ଷୀଙ୍କ ଆଗମନ ହେତୁ ଚିଲିକା ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପର୍ଯ୍ୟଟକ ଓ ପକ୍ଷୀ ବିଶାରଦଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଵା କଥା ସେ ଅଞ୍ଚଳର ବାସିନ୍ଦା ତଥା ଓଡ଼ିଶା ନାଗରିକ ମହାମଞ୍ଚର ସମ୍ପାଦକ ଡଃ ପ୍ରଦୀପ କୁମାର ବିଶ୍ବାଳ କହିଥିଲେ ।ଚିଲିକାରେ ଶୀତଦିନେ ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କ ସମାଗମ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୭ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଇଥିବା ସୂଚନା ଦେଇଥିଲେ। ସେଥିମଧ୍ୟରୁ ସର୍ବାଧିକ ସଂଖ୍ୟାରେ ଗଡ଼ୱାଲ ୩୫୦, ୟୁରାସିଆନ୍ ୱିଜିଅନ୍ ୨୫୦, ନର୍ଦ୍ଦର୍ନ ପିଣ୍ଟେଲ୍ ୧୦୦, ଗାର୍ଗେନିଂ ୧୦, କମନ୍କୁଟ୍ ୧୦, ନର୍ଦ୍ଦର୍ନ ସୋଭଲର ୨୦ ଓ ଚିଲିକାକୁ ଶୋଭା ବର୍ଦ୍ଧନ କରୁଥିବା ଆକର୍ଷଣୀୟ ଗ୍ରେଟର ଫ୍ଲେମିଙ୍ଗୋ ୪୦(ଏରା ପକ୍ଷୀ) ଆଦି ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥିବା କଥା ମଧ୍ୟ କହିଥିଲେ ।।ପ୍ରାୟତଃ ଅକ୍ଟୋବର ପହିଲାରେ ଶୀତ ପଡ଼ିବା ମାତ୍ରେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । କିନ୍ତୁ ଚଳିତ ବର୍ଷ ପ୍ରତିକୂଳ ପାଗ ହେତୁ ଅକ୍ଟୋବର ଶେଷାର୍ଦ୍ଧରେ ତଥା ଦୁଇ ସପ୍ତାହ ବିଳମ୍ବରେ ପକ୍ଷୀ ଚିଲିକାରେ ପାଦ ଥାପିଛନ୍ତି । ତେବେ ପାଗ ଅନୁକୂଳ ରହିଲେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବ ବୋଲି ଡଃ ବିଶ୍ବାଳ ଆଶା ପ୍ରକଟ କରିଛନ୍ତି । ଶୀତଋତୁରେ ସୁଦୂର ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ରୁଷିଆ, କାଜାଖସ୍ତାନ, ଲଦାଖ୍, ମଙ୍ଗୋଲିଆ, ଆମେରିକା, କାନାଡା ଆଦି ରାଷ୍ଟ୍ରାଞ୍ଚଳରୁ ପ୍ରବଳ ହିମପ୍ରବାହ ଓ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ଏହି ପକ୍ଷୀମାନେ ହଜାର ହଜାର ମାଇଲ୍ ଅତିକ୍ରମ କରି ଚିଲିକାରେ ପହଞ୍ଚତ୍ଥାଆନ୍ତି । ପକ୍ଷୀ ସମୂହ ଚିଲିକାରେ ପାଦ ଥାପିବା ପୂର୍ବରୁ ନିରାପଦ ବାସସ୍ଥାନ ଓ ଖାଦ୍ୟ ଅନ୍ବେଷଣରେ ଚିଲିକା ଆକାଶରେ ଘୂରି ବୁଲିଥାନ୍ତି । ବର୍ତ୍ତମାନ ଅନୁରୂପ ଭାବେ ଏହି ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ ନଳବଣ ଉପରେ ପଇଁତରା ମାରୁଥିବାବେଳେ କେତେକ ସ୍ଥାନରେ ଜଳରାଶିରେ ଅବତରଣ କରିଥିବା ଦେଖାଦେଇଛି । ଏହା ବ୍ୟତୀତ ଚିଲିକା ତଟାଞ୍ଚଳ ତଥା ଟାଙ୍ଗୀ ରେଞ୍ଜ ଅଧୀନ ମଙ୍ଗଳାଯୋଡ଼ି ଅଞ୍ଚଳରେ ମଧ୍ୟ ବିଦେଶୀ ପକ୍ଷୀ ବିଚରଣ କରୁଥବା ଦେଖିବାକୁ ମିଳିଛି ।ଅନ୍ୟପକ୍ଷେ ପକ୍ଷୀଙ୍କ ଆଗମନ ହେତୁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି । ପକ୍ଷୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ନିମନ୍ତେ ୧୯ଟି କ୍ୟାମ୍ପ ଓ ଗୋଟିଏ ଭ୍ରାମ୍ୟମାଣ ସ୍କ୍ବାଡ୍ ଗଠନ କରାଯାଇଛି ବୋଲି ମଧ୍ୟ ବିଶ୍ବାଳ କହିଛନ୍ତି।
ନଳବଣରେ ସେତେବେଳେ ଲଘୁଚାପଜନିତ ବର୍ଷା ଯୋଗୁ ଜଳସ୍ତର ଅଧିକ ରହିଥିଲା। ପାଗ ଅନୁକୂଳ ସହିତ ଜଳସ୍ତର କମିଲେ ନଳବଣ ଅଞ୍ଚଳକୁ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇବ ବୋଲି ଡଃ ବିଶ୍ବାଳ କହିଥିଲେ ।
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ୱତନ୍ତ୍ର ସ୍ଥାନ ରହିଛି। ଭୌଗୋଳିକ ଅବସ୍ଥିତି ତଥା ଅନୁକୂଳ ପରିବେଶ ପାଇଁ କେଉଁ କାଳରୁ ଚିଲିକା ଏକ ପକ୍ଷୀ ତୀର୍ଥ ପାଲଟିଛି। ଦକ୍ଷିଣ ଆଫ୍ରିକାର ଭିକ୍ଟୋରିଆ ହ୍ରଦ ପରେ ଚିଲିକା ବିଶ୍ୱର ଦ୍ୱିତୀୟ ବୃହତ୍ତମ ପକ୍ଷୀ ହ୍ରଦ ଭାବରେ ସାରା ବିଶ୍ୱରେ ପରିଚିତ। ଶୀତଦିନରେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲକ୍ଷାଧିକ ପକ୍ଷୀ ଚିଲିକାର ନୈସର୍ଗିକ ଶୋଭାକୁ ଆହୁରି ଋଦ୍ଧିମନ୍ତ କରିଥାନ୍ତି। ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ଜୁଲାଇ ୧୬ରେ ପକ୍ଷୀ ସଂରକ୍ଷଣ ଦିବସ ଉପଚାରିକତା ଭାବେ ପାଳନ କରାଯାଏ , ମାତ୍ର ସ୍ଥିତି କ’ତ ? ଉଦାହରଣ ସ୍ୱରୂପ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳରେ ଥିବା ଜଙ୍ଗଲ କିଛି ଖୋର୍ଦ୍ଧା ଏବଂ କିଛି ନୟାଗଡ଼ ବନଖଣ୍ଡ ଅଧିନରେ ରହିଛି। ଜଣପୁର ବ୍ଲକ ଅଞ୍ଚଳରେ ଥିବା ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ମୟୂର ରହିଛନ୍ତି। ଦିନକୁ ଦିନ ସେମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ଭାରତର ଜାତୀୟ ପକ୍ଷୀ କହିଲେ ମୟୂର। କିନ୍ତୁ ବନବିଭାଗର ଅଣଦେଖା ଯୋଗୁଁ ବିପଦରେ ଜାତୀୟ ପକ୍ଷୀ ମୟୂର ବୋଲି ଅଭିଯୋଗ କରିଥିଲେ ପ୍ରକୃତିବନ୍ଧୁ ଅବସରପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ରଥ।ଅଭିଯୋଗ ଅନୁଯାୟୀ, ବୁଲୁଛନ୍ତି ପକ୍ଷୀ ମାଂସ ଲୋଭୀ ଓ ମୟୂର ପୁଚ୍ଛ ତସ୍କର। ତେଣୁ ଜାତୀୟ ପକ୍ଷୀ ମୟୂରମାନଙ୍କର ସୁରକ୍ଷା ସହ ସଂରକ୍ଷଣ ଦାବି କରିଛନ୍ତି ପ୍ରକୃତିବନ୍ଧୁ ରଥ ସାର୍। ସଂରକ୍ଷଣ କରାଗଲେ ମୈନାକ ପାହାଡ଼ ପ୍ରାକୃତିକ ଶୋଭା ବଢିବା ସାଙ୍ଗକୁ ଜାତୀୟ ପକ୍ଷୀ ସୁରକ୍ଷିତ ହୋଇପାରିବେ। ହନୁମାନ ପଇସା ଭଳି ଲୋକେ କୁହନ୍ତି ମୟୂର ଚନ୍ଦ୍ରିକା ସ୍ରୋତର ପ୍ରତିକୂଳ ଦେଇ ଗତିକଲେ ତାହାର ଦାମ୍ କୋଟି କୋଟି ଟଙ୍କା। ତେଣୁ ପୁଚ୍ଛ ତସ୍କରଙ୍କ ନଜର ମୟୂର ଚନ୍ଦ୍ରିକା ଉପରେ। ଅପରପକ୍ଷରେ ଜଙ୍ଗଲରେ ଖାଦ୍ୟାଭାବ ଯୋଗୁଁ ଜାତୀୟ ପକ୍ଷୀ ଗାଁ ମୁହଁ।। ଯାହାର ସୁଯୋଗ ନେଉଛନ୍ତି ପକ୍ଷୀ ମାଂସ ଲୋଭୀ ମୟୁର ଚନ୍ଦ୍ରିକା ତସ୍କର । ପ୍ରାକୃତିକ ପରିବେଶରେ ବିଭିନ୍ନ ଜୀବଜନ୍ତୁ କିପରି ନିର୍ଭୟ, ମୁକ୍ତ ଓ ନିରାପଦରେ ବିଚରଣ କରିବା ସହିତ ବଂଶବିସ୍ତାର କରିପାରିବେ, ଏଥିପାଇଁ କେବଳ ବନ କର୍ମଚାରୀଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ। ପ୍ରତ୍ୟେକଙ୍କ ସାହାଯ୍ୟ ଓ ସହଯୋଗ ଜରୁରୀ । ଏ ସମ୍ପର୍କରେ ନିଜର ଅନୁଭୂତି କୁହନ୍ତି
ଓଡ଼ିଶାର ମହାନ୍ ଆଦର୍ଶ ପ୍ରଧାନ ଶିକ୍ଷକ ସ୍ବର୍ଗତ ଡମ୍ବରୁଧର ପରିଡ଼ାଙ୍କ ପୁତ୍ର ସମ୍ମାନନୀୟ ନନ୍ଦ କିଶୋର ଭୁଜବଳ ।
ସେ କୁହନ୍ତି, ‘ପିଲାଟି ଦିନରୁ ବାପାଙ୍କ ସହିତ ଜଙ୍ଗଲ ବୁଲିବାକୁ ଯାଉଥିଲି। ମୋ ବାପା ଥିଲେ ଆମ ଅଞ୍ଚଳର ଜଣେ ଜଣାଶୁଣା ଶିକ୍ଷକ। ତାଙ୍କ ସହିତ ଯେବେ ସ୍କୁଲକୁ ଯାଉଥିଲି ସେ ସ୍କୁଲ ପରିସରରେ ବିଭିନ୍ନ ଗଛ ଲଗାଉଥିଲେ। ତାହା ଦେଖି ମୁଁ ଖୁସି ହୋଇଯାଉଥିଲି। ବଳରାମ ଦେବ ବିଦ୍ୟାପୀଠ ଟାଙ୍ଗୀରେ ଦଶମ ପଢ଼ାସାରି ନୟାଗଡ଼ ମହାବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ ଅଧିକାଂଶ ସମୟ ପକ୍ଷୀ ମାନଙ୍କ ଆଚରଣ ଲକ୍ଷ୍ୟ କରୁଥିଲି ।୧୯୭୦ମସିହାରେ ବେଲପାହାଡ଼ର ଏକ ରିଫ୍ରାକ୍ଟୋରି ଲିମିଟେଡ଼ରେ ଚାକିରି କଲା ଭିତରେ ବିଭିନ୍ନ ବଣ ଜଙ୍ଗଲ କୁ ଯାଇ ପକ୍ଷୀ ମାନଙ୍କ ଗତିବିଧି ଲକ୍ଷ୍ୟ କରୁଥିଲି ।
କିଛି ବର୍ଷ କାମ କରିବା ପରେ ୧୯୯୧ମସିହାରେ ସେଠାରୁ ଚାକିରି ଛାଡ଼ି ଦେଇଥିଲି। ସେ ସମୟରେ ବେଳେବେଳେ ଘରୁ ଲୁଚିକି ଯାଇ ବନ୍ଧୁକରେ ଜୀବଜନ୍ତୁଙ୍କୁ ଶିକାର କରିବା ମୋର ଏକ ସୌଖିନ ଅଭ୍ୟାସ ଥିଲା। ୧୯୬୮ମସିହାର କଥା, ଥରେ ଗାଁ ନିକଟ ଗହୀରବିଲ ଆକାଶରେ ଗୋଟିଏ ବଗକୁ ଗୁଳିକରି ମାରିଦେଇଥିଲି। ଗୁଳିବିଦ୍ଧ ବଗଟି ଆକାଶରୁ ଭୂମିରେ ଖସି ପଡ଼ିଥିଲା କିନ୍ତୁ ସେହି ବଗଟି ତା’ର ଚଞ୍ଚୁରେ କାଠିକୁଟା ଧରିଥିଲା। ଏହା ମୁଁ ଖୁବ୍ ମର୍ମାହତ ହୋଇଥିଲି। ତା’ପରେ ଚିନ୍ତାକଲି କିପରି ବିଭିନ୍ନ ଜୀବଜନ୍ତୁ ଓ ପକ୍ଷୀ ସୁରକ୍ଷା କରିହେବ। ଅନ୍ୟପକ୍ଷେ ସେତେବେଳେ ଚିଲିକାରେ ବହୁଳ ମାତ୍ରାରେ ପକ୍ଷୀ ଶିକାର ହେଉଥିତ୍ଲା। ତେଣୁ ସେମାନଙ୍କ ସୁରକ୍ଷା କଥା ଚିନ୍ତା କଲି। ଟାଙ୍ଗୀ ଓ ରଣପୁର ଅଞ୍ଚଳର କେତେକ ଗାଁରେ ଜଙ୍ଗଲ କମିଟି ଗଠନ କରିଥିଲି। ପ୍ରଥମେ ମା’ ପଶ୍ଚିମାଶୁଣୀ ଜଙ୍ଗଲ ସୁରକ୍ଷା କମିଟି, ତାପରେ ୧୯୯୬ରୁ ଚିଲିକା ପକ୍ଷୀ ସୁରକ୍ଷା ନିମନ୍ତେ ସୋରଣଠାରେ ମୁସଲିମ ସାହି ଏବଂ ମଙ୍ଗଳାଯୋଡ଼ି ଗାଁରେ ପକ୍ଷୀ ସୁରକ୍ଷା ସମିତି ଗଠନ କରାଯାଇଥିଲା। କିନ୍ତୁ ଚିଲିକା ଉପକୂଳ କେତେକ ଗାଁରେ ବହୁଳ ପକ୍ଷୀ ଶିକାର ଯୋଗୁ ଶିକାରୀମାନେ ପକ୍ଷୀସୁରକ୍ଷା ପାଇଁ ପ୍ରଥମେ ଆମକୁ ବିରୋଧ କରିଥିଲେ। ବନ୍ୟପ୍ରାଣୀ ସୁରକ୍ଷା ସମ୍ପର୍କରେ ବାରମ୍ବାର ସଚେତନତା ସୃଷ୍ଟି କରିବା ପରେ କେତେଜଣ ବୁଦ୍ଧିଜୀବୀ, ପରିବେଶବିତ୍ଙ୍କ ସହ କେତେଜଣ ଶିକାରୀ ସ୍ବତଃପ୍ରବୃତ୍ତଭାବେ ପକ୍ଷୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିଲେ । ଏପରିକି କେତେଜଣ ଶିକାରୀଙ୍କୁ କାଳିଜାଈଙ୍କ ପୀଠରେ ପକ୍ଷୀ ଶିକାରରୁ ନିବୃତ୍ତ ରହିବା ପାଇଁ ଶପଥ କରାଇବାରେ ସଫଳ ହୋଇଥିଲି। ପ୍ରଥମେ ୧୨ଜଣ ଶିକାରୀ ଏବଂ ଗ୍ରାମର କେତେଜଣ ଯୁବକଙ୍କୁ ନେଇ ସୁରକ୍ଷାକମିଟି ଗଠନ କରାଯାଇଥିଲା। ଏମାନଙ୍କ ମଧ୍ୟରେ ମଙ୍ଗଳାଯୋଡ଼ିର କିଶୋର ବେହେରା, ପୂର୍ଣ୍ଣଚନ୍ଦ୍ର ରାଉତରା (ନନିକି) ପ୍ରମୁଖ ପରିବର୍ତ୍ତନ ହୋଇଛନ୍ତି । ଏବେ ସେମାନେ ପକ୍ଷୀ ସୁରକ୍ଷାକାରୀ ଭାବେ କାର୍ଯ୍ୟ କରୁଛନ୍ତି। ମହାବୀର ପକ୍ଷୀ ସୁରକ୍ଷା ସମିତିର ମଙ୍ଗଳାଯୋଡ଼ି ଗାଁରେ ପ୍ରାୟ ୪୮ଜଣ ସଦସ୍ୟ ମହାବୀର ପକ୍ଷୀ ସୁରକ୍ଷା କମିଟିରେ ରହିଛନ୍ତି। ଏବେ ଚିଲିକା ଅଞ୍ଚଳର କିଛି ଶିକାରୀ ଓ ଗ୍ରାମବାସୀ ମଧ୍ୟ ଚିଲିକା ପକ୍ଷୀ ସୁରକ୍ଷାରେ ସାମିଲ ହୋଇଛନ୍ତି।’ ଏହିସବୁ କାର୍ଯ୍ୟ ପାଇଁ ୨୦୦୬-୦୭ରେ ନନ୍ଦ କିଶୋରଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ନିମନ୍ତେ ବିଜୁ ପଟ୍ଟନାୟକ ପୁରସ୍କାର ମିଳିଛି। ତାସହ ୨୦୧୧ରେ ଆର୍ବିଏସ୍ ତରଫରୁ ଗ୍ରୀନ୍ ଯୋଦ୍ଧା ପୁରସ୍କାର, ହଲ୍ ଅଫ ଫେମ୍ ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ-୨୦୧୪, ଆର୍ଟୁଲ ଗ୍ରୀନ ଯୋଦ୍ଧା ଓ୍ବେଷ୍ଟବେଙ୍ଗଲ-୨୦୨୦, ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ ପୁରସ୍କାର-୨୦୨୧ରେ ମିଳିଛି। ନନ୍ଦ କିଶୋର କୁହନ୍ତି,‘ମୋ ପରିବାର କହିଲେ ଆମେ ମା’ବାପାଙ୍କ ୫ପୁଅ, ୩ଝିଅ। ଆଉ ମୋର ଗୋଟିଏ ପୁଅ, ୨ଜଣ ଝିଅ। ମୋର ଏହି କାମରେ ସମସ୍ତଙ୍କର ସମର୍ଥନ ରହିଛି। ଦିନଥିଲା ଶିକାରୀମାନେ ପକ୍ଷୀ ଶିକାରକରି ଘରର ମଞ୍ଚା, ପାଳଗଦା, ମାଟିହାଣ୍ଡି ଏପରିକି ଘରଠାରୁ ଦୂର ଅନ୍ୟତ୍ର ସ୍ଥାନରେ ଲୁଚାଇ ଚୋରାରେ ବେପାର କରୁଥିଲେ। ମାତ୍ର ୧୯୭୨ମସିହା ଜଙ୍ଗଲ ବନ୍ୟପ୍ରାଣୀ ସୁରକ୍ଷା ଆଇନ ସମ୍ପର୍କରେ ଗାଁଲୋକମାନେ ସଚେତନ ହେବାପରେ ପକ୍ଷୀ ଶିକାର କିଛିଟା କମିଯାଇଛି।
