ଏଣିକି ଆଡମିଟ୍ ହେବା ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ସବୁ ମେଡିକାଲ ପରୀକ୍ଷା । ନକଲେ ହସ୍ପିଟାଲ ବିରୋଧରେ ହେବ ଆକ୍ସନ । ଆୟୁଷ୍ମାନ ସେବାକୁ ନେଇ ଏଭଳି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରୋଗୀ ହସ୍ପିଟାଲରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ ଯାହା ଟେଷ୍ଟ ହେବ ତାହା ଆୟୁଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ରହିବ । ଯେଉଁ ହସ୍ପିଟାଲ ନକରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
ଏହି ନିର୍ଦ୍ଦେଶକୁ ସମସ୍ତ ଘରୋଇ ହସ୍ପିଟାଲ ପାଳନ ପାଇଁ କଡାକଡି ନିର୍ଦ୍ଦେଶ ରହିଛି । ଏଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ତାଗିଦ କରାଯାଇଛି । ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । କମିଟି ବିଭିନ୍ନ ହସ୍ପିଟାଲ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ପୂର୍ବରୁ ଏହାକୁ ଅନ୍ତର୍ଭୁକ୍ତ କରୁନଥିଲେ କିଛି ହସ୍ପିଟାଲ । ଗଣମାଧ୍ୟମ ଓ ସୋସିଆଲ ମିଡିଆରୁ ଏଭଳି ଅଭିଯୋଗ ପାଇଥିବା ମନ୍ତ୍ରୀ କହିଥିଲେ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଏକ ବୈଠକ କରି ବିଭାଗୀୟ ଅଧିକାରୀ ଏବଂ ଘରୋଇ ହସ୍ପିଟାଲ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଏହାସହ ହସ୍ପିଟାଲ କର୍ମଚାରୀ ମାନେ ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ଉତ୍ତମ ବ୍ୟବହାର, ଉତ୍ତମ ଚିକିତ୍ସା ସହ କୌଣସି ଅଭିଯୋଗ ଯେମିତି ଆସିବ ନାହିଁ, ତା ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଇଛି।
