`ସେବାରେ ବ୍ରତୀ ଥିବା ଲୋକେ ଆମ ସୁପରହିରୋ’

`ସେବାରେ ବ୍ରତୀ ଥିବା ଲୋକେ ଆମ ସୁପରହିରୋ’

ସମାଜରେ ଅନେକ ଲୋକ ସେବାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି । ସେବା ହିଁ ପରମଧର୍ମ' ବାର୍ତ୍ତାରେ ଉଦ୍‌ବୁଦ୍ଧ ହୋଇ ସେମାନେ କାର୍ଯ୍ୟ କରୁଛନ୍ତି । ସେବାରେ ବ୍ରତୀ ଥିବା ଲୋକମାନେ ଆମ ପାଇଁ ସୁପରହିରୋ, ସେମାନେ ସମାଜ ପାଇଁ ରୋଲ୍ ମଡେଲ୍ । ସେଭଳି ଉତ୍ତମ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବାର ସମୟ ଆସିଛି । ରାଜ୍ୟର ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ୍ ଅର୍ଗସ୍ ନ୍ୟୁଜ୍ ପକ୍ଷରୁ ଭୁବନେଶ୍ବରର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅୟୋଜିତପ୍ରାଇଡ୍ ଅଫ୍ ଓଡ଼ିଶା – 2’ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଆଜି ଏହା କହିଛନ୍ତି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି । ସମାଜ ଗଠନ ଦିଗରେ ଭିନ୍ନ ଏକ ବଡ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ଅର୍ଗସକୁ ଧନ୍ୟବାଦ ଦେଇଛନ୍ତି ।
ଅର୍ଗସ୍ ପକ୍ଷରୁ ଆୟୋଜିତ ଏହି ଅନନ୍ୟ କାର୍ଯ୍ୟକ୍ରମ ଯାହାର ନାଁ `ସରଳ ମଣିଷର ବିରଳ କାହାଣୀ ସମ୍ମାନ ଉତ୍ସବ’ରେ ସମାଜର ବିଭିନ୍ନ କ୍ଷେତ୍ରରେ ଅନନ୍ୟ ଯୋଗଦାନ କରିଥିବା 12 ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି । ଶିଶୁ ସୁରକ୍ଷା ପାଇଁ ଶ୍ରୀ ଶ୍ୟାମସୁନ୍ଦର ଜାଲ ଓ ଶ୍ରୀମତୀ କସ୍ତୁରୀ ଜାଲ, ପରିବେଶ ସୁରକ୍ଷା ପାଇଁ ଶ୍ରୀ ସୁଧୀର ରାଉତ, ଦିବ୍ୟାଙ୍ଗଙ୍କ ସଶକ୍ତିକରଣ ପାଇଁ ଡକ୍ଟର ଭଗବାନ ପରିଡ଼ା, ବିହନ ସଂରକ୍ଷଣ – ଡକ୍ଟର ରାଇମତି ଘିଉରୀଆ, ପରିବେଶ ଓ ବେଳାଭୂମି ସୁରକ୍ଷା ପାଇଁ ଶ୍ରୀ ବିଚିତ୍ରାନନ୍ଦ ବିଶ୍ବାଳ, ଦୃଷ୍ଟିହୀନଙ୍କ ସଶକ୍ତିକରଣ ପାଇଁ ଶ୍ରୀ ତ୍ରିଲୋଚନ ବେଉରା, ମହିଳାଙ୍କୁ ନ୍ୟାୟ ପାଇଁ ଶ୍ରୀମତୀ ପ୍ରମୋଦିନୀ ରାଉଳ, ପରୋପକାର ପାଇଁ ଶ୍ରୀ ପଙ୍କଜ କୁମାର ତରାଇ ଓ ଶ୍ରୀ ବିଭୂତି ରାଏ, ସବୁଜ ଭିତ୍ତିଭୂମି ପାଇଁ ଶ୍ରୀ କ୍ଷିରୋଦ କୁମାର ଜେନା, ଉତ୍ତମ ଶିକ୍ଷା ପାଇଁ ଶ୍ରୀମତୀ ଭାନୁପ୍ରିୟା ରାଓ, ମହିଳା ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ କାମ କରିବା ପାଇଁ ଶ୍ରୀ ହୃଦାନନ୍ଦ ପୃଷ୍ଟିଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି । ଏହି ସମୟରେ ମଞ୍ଚ ଉପରେ ଉପସ୍ଥିତ ଥିଲେ ଅର୍ଗସ୍ ନ୍ୟୁଜର ସିଇଓ ଶ୍ରୀ ପ୍ରକାଶ ସାହୁ ଓ ଅର୍ଗସ୍ ନ୍ୟୁଜର ଏକଜିକ୍ୟୁଟିଭ୍ ଏଡିଟର ଦୁର୍ଗାଶିଷ ।
ଏହି ଅବସରରେ ରାଜ୍ୟପାଳ କହିଲେ, ନିଜ ଜୀବନକୁ ସମର୍ପିତ କରି ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତି ଆମ ପାଇଁ ପ୍ରେରଣା । ଏଥିସହ ଗଣମାଧ୍ୟମ ହିସାବରେ ଖବର ପ୍ରସାରଣ ସହ ସମାଜରେ ଏକ ବଡ଼ ବିଚାରଧାରକୁ ପ୍ରତିଷ୍ଠା କରିବା, ପରିବର୍ତ୍ତନର ଚିନ୍ତାଧାରା ପ୍ରକାଶ ଓ ସମାଜ ଗଠନ ଦିଗରେ ଭିନ୍ନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଥିବାରୁ ଅର୍ଗସକୁ ଧନ୍ୟବାଦ୍ ଦେଇଥିଲେ ରାଜ୍ୟପାଳ । ସେ ଆହୁରି କହିଲେ ସମସ୍ତଙ୍କ ଜୀବନ ଶୈଳୀ ବଦଳୁଛି । ତା’ ଭିତରେ ସମସ୍ତଙ୍କୁ ସମାଜର ଦାୟିତ୍ଵ ନେବା ଦରକାର । ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ୍ ୱାର୍ମିଂ ଭଳି ସମସ୍ୟା ଏବେ ସମୟର ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ଏ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି, ହେଲେ ସଧାରଣ ନାଗରିକଙ୍କର ବି ଏ ସମସ୍ୟାର ସମାଧାନ ଦିଗରେ କାମ କରିବା ଦାୟିତ୍ଵ ରହିଛି । ମହିଳାଙ୍କ ହିତ ଦିଗରେ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଦେଶ ତଥା ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଆଗକୁ ବଢୁଛି ବୋଲି କହିଛନ୍ତି ରାଜ୍ୟପାଳ ।

Posted in ଦେଶ ବିଦେଶ and tagged .