ଭୁବନେଶ୍ୱର : ଆସନ୍ତା ସୋମବାର ଓଡ଼ିଶା ରାଜ୍ୟସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍। ମଇଦାନରେ ୫ ଜଣ ପ୍ରାର୍ଥୀ ଥିବା ବେଳେ ଚତୁର୍ଥ ଆସନ ପାଇଁ ଲଢ଼େଇ ଏବେ ଜଟିଳ ହେବାରେ ଲାଗିଛି। ବିଶେଷ କରି ବିଜେଡି ଏବଂ କଂଗ୍ରେସ ଶିବିରରେ ‘କ୍ରସ୍ ଭୋଟିଂ’ର ଭୟ ଏବେ ଶୀର୍ଷରେ ପହଞ୍ଚିଛି।
ପ୍ରଭାତ ବିଶ୍ୱାଳଙ୍କ ବହିଷ୍କାର ଏବଂ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରେ ବିଜେଡି ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପ୍ରାୟ ୫ ଜଣ ବିଧାୟକ କ୍ରସ୍ ଭୋଟିଂ କରିବା ନେଇ ଦଳ ଭିତରେ ଚର୍ଚ୍ଚା ହେଉଛି। ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ କମାଣ ଧରିଛନ୍ତି। ସୂଚନା ମୁତାବକ, ନବୀନ ନିବାସରେ ଆଲୋଚନା ପରେ ଜଣେ ବରିଷ୍ଠ ବିଧାୟକ ଅନ୍ୟ ବିଧାୟକମାନଙ୍କୁ ମହାପ୍ରଭୁଙ୍କ ନିର୍ମାଲ୍ୟ ପ୍ରସାଦ ଛୁଆଁଇ ଦଳ ପ୍ରତି ଅନୁଗତ ରହିବାକୁ ଶପଥ କରାଉଥିବା ଜଣାପଡ଼ିଛି।
ଅନ୍ୟପଟେ କଂଗ୍ରେସ ମଧ୍ୟ ନିଜ ବିଧାୟକଙ୍କୁ ଜଗି ରହିଛି। ପିସିସି ସଭାପତି ଭକ୍ତ ଦାସ ଓ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହୋଟେଲରେ ବୈଠକ ସହ ଡିନର ପାର୍ଟିର ଆୟୋଜନ କରିଛନ୍ତି। ତଥାପି, ୩ ଜଣ ବିଧାୟକଙ୍କୁ ନେଇ ଦଳ ଭିତରେ ସନ୍ଦେହ ବଢ଼ିଛି। ଗତକାଲି ୨ ଜଣ ବିଧାୟକ ଡିନର ପାର୍ଟିକୁ ନଯିବା ଏହି ସନ୍ଦେହକୁ ଆହୁରି ଦ୍ୱିଗୁଣିତ କରିଛି।
ରାଜ୍ୟସଭା ଭୋଟ୍ ଗୁପ୍ତ ରହିବ ନାହିଁ। ପ୍ରତ୍ୟେକ ବିଧାୟକଙ୍କୁ ନିଜ ଦଳର ଏଜେଣ୍ଟଙ୍କୁ ଭୋଟ୍ ଦେଖାଇବାକୁ ପଡ଼ିବ। ଯଦି କେହି ଏଜେଣ୍ଟ ବ୍ୟତୀତ ଅନ୍ୟ କାହାକୁ ଭୋଟ୍ ଦେଖାନ୍ତି, ତେବେ ତାହା ନାକଚ ହେବାର ଡର ରହିଛି। ତଥାପି, ଭୋଟ୍ ଦିନ କିଛି ବିଧାୟକ ଅନୁପସ୍ଥିତ ରହି ଦଳର ଭୋଟ୍ ସଂଖ୍ୟା ଖସାଇବାର ଷଡ଼ଯନ୍ତ୍ର ହେଉଥିବା ଚର୍ଚ୍ଚା ହେଉଛି। ବାସ୍ତବରେ ସୋମବାର କିଏ ବାଜି ମାରୁଛି ଏବଂ କିଏ କ୍ରସ୍ ଭୋଟିଂ କରୁଛି, ତାହା ଉପରେ ଏବେ ପୁରା ରାଜ୍ୟର ନଜର।