ଆଜି ଅବିସ୍ମରଣୀୟ ମହାନ୍ ପ୍ରତିଭା ତଥା ଅତୁଳନୀୟ ଭାଷା ପ୍ରାଣ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ୧୯୦୫ ମସିହା, ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା ଅବା ଚନ୍ଦନ ପୂର୍ଣ୍ଣିମା , ଇଂରାଜୀ ତାରିଖ ମେ ମାସ ୧୮ ତାରିଖରେ ଏହି ଲିପି ଓ ଭାଷା ଗବେଷକ ଡହରଡିହା ଗାଁ (ଦାଣ୍ଡବୋସ) ରେ ଏକ ସାନ୍ତାଳ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମ କରି ଅଲ ଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ନାମରେ ମଧ୍ୟ ଜଣାଶୁଣା । ଏଥି ନିମନ୍ତେ ତାଙ୍କୁ ସାନ୍ତାଳୀ ଭାଷାଭାଷୀ ଲୋକେ ଆଦରରେ “ଗୁରୁ ଗୋମକେ’ ବୋଲି ମଧ୍ୟ ଡାକିଥାନ୍ତି । ଅଲ ଚିକି ବହୁବିଧ ନାମ ଯଥା ଅଲ ସେମେଟ (“ପ୍ରଣାଳୀ”), ଅଲ ସିକି, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା । ୧୯୨୫ରେ ଏହି ଲିପି ସାନ୍ତାଳୀ ଭାଷା ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସାନ୍ତାଳ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଥିଲେ । ରଘୁନାଥ ମୁର୍ମୁଙ୍କ ଅବଦାନକୁ କେବଳ ଓଡ଼ିଶାରେ ନୁହେଁ, ଏପରିକି ପଶ୍ଚିମବଙ୍ଗ ସରକାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ଜାମବାଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ୨୦୦୭ ମସିହାରେ ମୁର୍ସିଦାବାଦଠାରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି ।
ତାଙ୍କର ଅମୃତ ସୃଷ୍ଟି ମଧ୍ୟରେ “ଞ୍ଜେଲ ଜଂ ଲାଗିଦ୍ ଅଲ୍” ଅଲ୍ ଚେମେଦ୍ (ଅକ୍ଷର ଶିକ୍ଷା),ପାର୍ସିପୋହା (ଶିଶୁପାଠ),ପାର୍ସିଅପାଦ ବ୍ୟତୀତ ନାଟକ ରଚନା ଯଥା “ବିନ୍ଦୁ ଚାନ୍ଦାନ” ,”ଦାଳେଗେ ଧନ୍”,”ଖେରୱାଳ ବୀର “,”ସିଦୁ କାହ୍ନୁ ସାନ୍ତାଳ ହୁଲ୍”,”ଦାଳେଗେ ଧନ୍ ” କାଳଜୟୀ ସୃଷ୍ଟି । ସେହିପରି ବନ୍ଦନୀୟ ମୁର୍ମୁ ଜଣେ କବି ଭାବରେ ତାଙ୍କର ଅମୃତ ସୃଷ୍ଟି ମଧ୍ୟରେ “ହର୍ ସେରେଞ୍ଜ “,
“ବାହା ସେରେଞ୍ଜ” ,”ହିତାଲ”,” ଏବଂ ଜଣେ ଗଣିତ ଶାସ୍ତ୍ର ବିଶାରଦ ଭାବରେ ତାଙ୍କର ସୃଷ୍ଟି “ଏଲଖା ପତବ୍ ” କାଳଜୟୀ ।
କ୍ରମଶଃ
