ସ୍ୱନାମଧନ୍ୟ କବୟିତ୍ରୀ ତଥା ଅଧ୍ୟାପିକା ଶ୍ରୀମତୀ ମହାପାତ୍ର ସବିତା ହୋତାଙ୍କ ରଚିତ ଦୁଇଟି କବିତା ପୁସ୍ତକ ‘କୃଷ୍ଣମୟ’ ଓ ‘ଭାବଧାରା’ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ‘କୃଷ୍ଣମୟ’ରେ ବାଳକୃଷ୍ଣଙ୍କ ଲୀଳାମୟ ଜୀବନୀର ଛନ୍ଦମୟ ପ୍ରତିବେଦନ ପାଠକଙ୍କୁ ନିଶ୍ଚିତଭାବେ ଆତ୍ମତୃପ୍ତି ଦେବ । ସେହିପରି ‘ଭାବଧାରା’ ମଣିଷ ଚରିତ୍ରର ଭିନ୍ନତା, ଜଗତର ବୈଚିତ୍ର୍ୟ, ସତ୍ୟତା ଏବଂ ଆତ୍ମକ୍ତିର ମହତ୍ତ୍ୱକୁ ବର୍ଣ୍ଣନା କରୁଛି । ଉଭୟ କବିତା ପୁସ୍ତକ ସୃଜନୀ ଦୃଷ୍ଟିରୁ ଅତି ସ୍ୱତନ୍ତ୍ର। ଲେଖିକାଙ୍କ ଭକ୍ତିଭାବ, ଆଧ୍ୟାତ୍ମିକ ଓ ମାନବିକତାର ଅନୁଭବକୁ କବିତାର ପ୍ରତ୍ୟକ ଶବ୍ଦ, ଛନ୍ଦରୁ ଅନୁଭବ କରିହେବ ।
ଏହା ପୂର୍ବରୁ ଲେଖିକାଙ୍କ ରଚିତ ଅନ୍ୟ ଦୁଇ ପୁସ୍ତକ ‘ପଦାରବିନ୍ଦରେ’ ଏବଂ ‘ଆଦ୍ୟପୁସ୍ତକ’ ବେଶ ପାଠକୀୟ ଆଦୃତି ଲାଭ କରିଥିଲା । ଏଥିରେ ପ୍ରତିଫଳିତ ଭକ୍ତିଭାବ ଓ ନାରୀଶକ୍ତିର ପରାକାଷ୍ଠା ପାଠକଙ୍କୁ ସୃଜନୀର ଚମତ୍କାର ଅନୁଭବ ଦେଇଥିଲା । ‘କୃଷ୍ଣମୟ’ ଓ ‘ଭାବଧାରା’ ମଧ୍ୟ ସମାନ ପ୍ରଶଂସା ସାଉଁଟିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବାଣୀଚିତ୍ରର ସମ୍ପାଦକ ସ୍ୱନାମଧନ୍ୟ ଲେଖକ ଶ୍ରୀ ଭାସ୍କର ଜେନା, ଓ ଆଇନଜୀବୀ ଶ୍ରୀ ନିଳୟଆଧାର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।
