ଭାରତର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭାରତର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଗୁଜୁରାଟରେ ତିନି ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ‘ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ’କୁ ସମ୍ୱୋଧନ ସହ ଶିଳ୍ପପତିଙ୍କ ସହ ୱାନଟୁ ୱାନ ଆଲୋଚନା କରିଛନ୍ତି। ଓଡ଼ିଶାକୁ ବହୁବିଧ ଶିଳ୍ପ ପାଇଁ ଥିବା ସୁବିଧା ଓ ସରକାରୀ ସହାୟତା ସୁବିଧା କଥା କହି ପୁଞ୍ଜି ନିବେଶ ପାଇଁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଭାରତ ସଂକଳ୍ପକୁ ଆଉ ପାଦେ ଆଗେଇ ନେବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା। ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାରେ ରହିଛି ଶିଳ୍ପଜଗତ ପାଇଁ ବ୍ୟାପକ ସୁଯୋଗ। ଅହମ୍ମଦାବାଦରେ ଉଚ୍ଚସ୍ତରୀୟ ନିବେଶକ ସମ୍ମିଳନୀକୁ ସମ୍ୱୋଧିତ କରି ଏଭଳି ଢଙ୍ଗରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି, “ଭାରତର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମେ ଶିଳ୍ପଜଗତକୁ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରିତ କରୁଛୁ ଏବଂ ମିଳିତ ଅଭିବୃଦ୍ଧି ମାଧ୍ୟମରେ ଦେଶର ସମୃଦ୍ଧିରେ ଯୋଗଦାନ ରଖିବାକୁ ଅନୁରୋଧ କରୁଛୁ।” ଏହାପରେ ୨୬ଜଣ ଶିଳ୍ପପତିଙ୍କ ସହ ‘ୱାନ୍-ଟୁ-ୱାନ୍’ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ। ନିବେଶ ସୁଯୋଗ ଓ ନୀତିଗତ ସହାୟତା ବିଷୟରେ ଆଲୋଚନା କରିଛନ୍ତି । 

ଓଡ଼ିଶାର ସୁଦୀର୍ଘ ଉପକୂଳ ଓ ବନ୍ଦର ସୁବିଧା ବିଶ୍ୱ ବଜାର ସହ ସିଧାସଳଖ ଯୋଡ଼ି ହେବ। ସୁଦୃଢ଼ ଭିତ୍ତିଭୂମି, ବନ୍ଦରଭିତ୍ତିକ ଯୋଗାଯୋଗ ଏକୀକୃତ ଶିଳ୍ପ ପରିସଂସ୍ଥା ପାଇଁ ଉପଯୋଗୀ କରୁଛି । ଯେଉଁଠି ନିବେଶକମାନେ ପୁଞ୍ଜିନିବେଶ ସହ ଶିଳ୍ପର ସଂପ୍ରସାରଣ, ନୂଆ ଉଦ୍ଭାବନ, ଦୀର୍ଘମିଆଦି ଭାବେ କଞ୍ଚାମାଲ ଯୋଗାଣଠୁ ଆରମ୍ଭ କରି ଉତ୍ପାଦନ, ପରିବହନ ଓ ବଜାରକରଣ ସୁଲଭ ସୁବିଧା ପାଇପାରିବେ। ତେଣୁ ଖଣି ଓ ଖାଦାନରୁ ବାହାରି ରାଜ୍ୟ ସରକାର, ପେଟ୍ରୋକେମିକାଲସ, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ ଭଳି କ୍ଷେତ୍ରକୁ ସମପରିମାଣରେ ଗୁରୁତ୍ୱ ଦେଉଛନ୍ତି । ଅହମ୍ମଦାବାଦରେ ଉଚ୍ଚସ୍ତରୀୟ ନିବେଶକ ସମ୍ମିଳନୀ ଭବିଷ୍ୟତର ଓଡ଼ିଶା ପାଇଁ ଏକ ଆର୍ଥିକ ବ୍ୟବସ୍ଥାର ରୁପରେଖ ପ୍ରସ୍ତୁତ କରିଛି । ପାରମ୍ପରିକ ଶିଳ୍ପ ସହ ଆଇଟି, ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଭଳି ଆଧୁନିକ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ଆସିବା ଆଶା କରାଯାଉଛି ।

Posted in ଦେଶ ବିଦେଶ, ରାଜନୀତି and tagged , .