ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ; ବିଗ୍ରେଡ୍ ପରେଡ୍ ଗ୍ରାଉଣ୍ଡରେ ଐତିହାସିକ ଶକ୍ତି ପ୍ରଦର୍ଶନ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ; ବିଗ୍ରେଡ୍ ପରେଡ୍ ଗ୍ରାଉଣ୍ଡରେ ଐତିହାସିକ ଶକ୍ତି ପ୍ରଦର୍ଶନ


କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଆଜି ଲିଖିତ ହୋଇଛି ଏକ ନୂଆ ସୁବର୍ଣ୍ଣ ଅଧ୍ୟାୟ। କୋଲକାତାର ଐତିହାସିକ ବିଗ୍ରେଡ୍ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନବମ ତଥା ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସହ ବେଙ୍ଗଲରେ ଦୀର୍ଘ ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି ଏବଂ ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହୋଇଛି। ଶପଥ ଗ୍ରହଣ କରିବା ପୂର୍ବରୁ ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଶୁଭେନ୍ଦୁ ଅଧିକାରୀ ଏକ ଖୋଲା ଜିପ୍‌ରେ ବିଗ୍ରେଡ୍ ପଡ଼ିଆକୁ ଆସିଥିଲେ। ହଜାର ହଜାର ବିଜେପି ସମର୍ଥକଙ୍କ ଜୟଗାନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ତାଳେ ତାଳେ ପୂରା କୋଲକାତା ଗେରୁଆମୟ ହୋଇଉଠିଥିଲା। ଏହି ଶୋଭାଯାତ୍ରା ବିଜେପିର ବିପୁଳ ଜନସମର୍ଥନ ଓ ବିଜୟର ପ୍ରତିଛବି ବହନ କରୁଥିଲା। ଶପଥ ସମାରୋହର ମଞ୍ଚକୁ ଅତି ଦିବ୍ୟ ଓ ଭବ୍ୟ ଭାବେ ସଜାଯାଇଥିଲା। ମଞ୍ଚରେ ମା’ କାଳୀଙ୍କ ମନ୍ଦିରର ପ୍ରତିକୃତି ଶୋଭା ପାଉଥିବା ବେଳେ ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଫଟୋଚିତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା। ଶପଥ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ଶୁଭେନ୍ଦୁ ଟାଗୋରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେଇ ବେଙ୍ଗଲର ମହାନ ସଂସ୍କୃତି ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ସମାରୋହ କେବଳ ଏକ ଶପଥ ଗ୍ରହଣ ଉତ୍ସବ ନଥିଲା, ବରଂ ଏହା ଥିଲା ଏକ ବିଶାଳ ଶକ୍ତି ପ୍ରଦର୍ଶନ। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବିଜେପି ଶାସିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଶୁଭେନ୍ଦୁଙ୍କୁ ଶୁଭେଚ୍ଛା ଜଣାଇଥିଲେ।ବିଗ୍ରେଡ୍ ପରେଡ୍ ଗ୍ରାଉଣ୍ଡରୁ ଶାସନ ଗାଦି ପର୍ଯ୍ୟନ୍ତ ଯାତ୍ରା ସଫଳ ହୋଇଛି ସତ, କିନ୍ତୁ ଶୁଭେନ୍ଦୁଙ୍କ ପାଇଁ ପ୍ରକୃତ ପରୀକ୍ଷା ଏବେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ସାମ୍ନାରେ ଅପରାଧ ନିୟନ୍ତ୍ରଣ ସବୁଠୁ ବଡ଼ ପ୍ରଶ୍ନ ରହିବ । ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପରିବାର ନ୍ୟାୟ ଅପେକ୍ଷାରେ ଅଛନ୍ତି । ଏପରିକି ତାଙ୍କ ନିଜ ବ୍ୟକ୍ତିଗତ ପିଏଙ୍କୁ ହତ୍ୟା କରାଯାଇଛି । ରାଜ୍ୟରେ ହିଂସା ରୋକିବା ତାଙ୍କ ପାଇଁ ଚ୍ୟାଲେଂଜ ରହିବ ।

ରାଜ୍ୟର ଅର୍ଥନୈତିକ ସ୍ଥିତି ଓ ଋଣବୋଝ ବଢ଼ିବଢ଼ି ଚାଲିଛି । ପୂର୍ବ ସରକାର ଅମଳରେ ପଶ୍ଚିମବଙ୍ଗ ପ୍ରାୟ ୬ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଋଣବୋଝ ତଳେ ରହିଛି। ବିଭିନ୍ନ ମାଗଣା ଯୋଜନା ଜାରି ରଖିବା ସହ ରାଜ୍ୟର ରାଜକୋଷକୁ ସଜାଡ଼ିବା ଶୁଭେନ୍ଦୁଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ। ସିଙ୍ଗୁର ଘଟଣା ପରଠାରୁ ବେଙ୍ଗଲରୁ ଶିଳ୍ପ ପ୍ରସ୍ଥାନ କରିଛି। ଟାଟା ପରି ବଡ଼ ଶିଳ୍ପପତିଙ୍କୁ ପୁଣି ଥରେ ବେଙ୍ଗଲ ମାଟିକୁ ଫେରାଇ ଆଣିବା ଏବଂ ବେକାରୀ ସମସ୍ୟାର ସମାଧାନ କରିବା ଶୁଭେନ୍ଦୁଙ୍କ “ସୋନାର ବାଂଲା” ସ୍ୱପ୍ନ ପାଇଁ ଅତି ଜରୁରୀ। ପଶ୍ଚିମବଙ୍ଗରେ ଏକ ବଡ଼ ସଂଖ୍ୟାଲଘୁ ଜନସଂଖ୍ୟା ରହିଛନ୍ତି, ଯେଉଁମାନେ ପାରମ୍ପରିକ ଭାବେ ବିଜେପି ବିରୋଧୀ ରହିଆସିଛନ୍ତି। ‘ସବ୍‌କା ସାଥ୍-ସବ୍‌କା ବିକାଶ’ ମନ୍ତ୍ରରେ ସମସ୍ତ ବର୍ଗର ଲୋକଙ୍କୁ ନିଜ ଶାସନରେ ସନ୍ତୁଷ୍ଟ କରିବା ତାଙ୍କ ପାଇଁ ଏକ ବୈଚାରିକ ପରୀକ୍ଷା ହେବ। ଆୟୁଷ୍ମାନ ଭାରତ ଏବଂ ପିଏମ୍ କିଷାନ ପରି ଅନେକ କେନ୍ଦ୍ରୀୟ ଯୋଜନା ବେଙ୍ଗଲରେ ପୂର୍ବରୁ ଲାଗୁ ହୋଇନଥିଲା। ଏହି ଯୋଜନାଗୁଡ଼ିକୁ ଶୀଘ୍ର ତୃଣମୂଳ ସ୍ତରରେ ପହଞ୍ଚାଇ ଲୋକଙ୍କୁ ଡବଲ୍ ଇଞ୍ଜିନ୍ ସରକାରର ଫାଇଦା ଦେଖାଇବାକୁ ପଡ଼ିବ।

Posted in ଦେଶ ବିଦେଶ, ରାଜନୀତି.