ଅଭ୍ୟାସଗତ ଅପରାଧୀଙ୍କୁ ଚେତାବନୀ ଦେଲେ ପୋଲିସ ଡିଜି

ଅଭ୍ୟାସଗତ ଅପରାଧୀଙ୍କୁ ଚେତାବନୀ ଦେଲେ ପୋଲିସ ଡିଜି

ଅଭ୍ୟାସଗତ ଅପରାଧୀ ସାବଧାନ । ପୋଲିସର ହିଟ୍ ଲିଷ୍ଟରେ ଚଢ଼ି ସାରିଛି ସେମାନଙ୍କ ନାଁ ଓ ଠିକଣା । କେତେବେଳେ, କେଉଁ ମୁହୂର୍ତ୍ତରେ ବି ହୋଇପାରେ ଏନକାଉଣ୍ଟର । ମେ’ ୧୨ରୁ ଜାରି ରହିଥିବା ଆକ୍ସନ ଆଗକୁ ବି ଜାରି ରହିବ । ପୋଲିସ ପ୍ରସ୍ତୁତ କରିଥିବା ତାଲିକାରେ ଥିବା ଅପରାଧୀଙ୍କ ଭିତରୁ ଯଦି କୌଣସି ଅପରାଧୀ ଅପରାଧ ଘଟାଇବାର ଖବର ଆସେ ତାହେଲେ ସେମାନଙ୍କୁ ଏନକାଉଣ୍ଟର କରିବାକୁ ମଧ୍ୟ ପୋଲିସ ପଛାଇବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ପୋଲିସ ଡିଜି । ଡିଜିପି ଆହୁରି ବି କହିଛନ୍ତି ଯେ, ପୋଲିସ କୌଣସି ଉଦେଶ୍ୟ ରଖି ଏନକାଉଣ୍ଟର କରୁନି, ପୋଲିସ ଉପରେ ଯେତେବେଳେ ଅପରାଧୀମାନେ ଆକ୍ରମଣ କରୁଛନ୍ତି, ସେତେବେଳେ ପୋଲିସ ଆତ୍ମରକ୍ଷା ପାଇଁ ଏନକାଉଣ୍ଟର କରୁଛି ।

ରାଜ୍ୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପ୍ରାୟ ୧ ହଜାର ୭୪ଜଣ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । ଏହି ତାଲିକାରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୪୧୭ଜଣ ଅପରାଧୀଙ୍କ ନାଁ ରହିଛି । ସେହିଭଳି କଟକ ଭୁବନେଶ୍ବର କମିଶନରେଟ ପୋଲିସ ୬୦ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତାଲିକାଭୁକ୍ତ କରିଛି । NDPS ଆକ୍ଟରେ ୯୭ ମାମଲା ରୁଜୁ ସହ ୧୦୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଯାଇଛି । ଚୋରା ବନ୍ଧୁକ କାରବାରରେ ୩୧ ମାମଲା ରୁଜୁ କରାଯିବା ସହ ୩୭ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୩୯ ବନ୍ଧୁକ ଜବତ ହୋଇଛି ।  ଅପରାଧୀଙ୍କୁ ଦମନ ପାଇଁ ଓଡ଼ିଶା ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି ବୋଲି କହିଛନ୍ତି ପୋଲିସ ଡିଜି ।

Posted in ରାଜ୍ୟ.