ଓଡ଼ିଶା ପାଇଁ କେନ୍ଦ୍ର କ୍ୟାବିନେଟ୍ ର ବଡ଼ ଭେଟି । ରାମେଶ୍ୱରରୁ ପାରାଦୀପ ନୂଆ କୋଷ୍ଟାଲ ହାଇୱେ ନିର୍ମାଣକୁ ମିଳିଲା ମଞ୍ଜୁରୀ । ଖର୍ଚ୍ଚ ହେବ ୮ ହଜାର ୩୦୦ କୋଟିରୁ ଅଧିକ ଟଙ୍କା । ଓଡ଼ିଶାର ଯୋଗାଯୋଗ ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି (CCEA) ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ନିର୍ମାଣ ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛନ୍ତି। ହାଇବ୍ରିଡ୍ ଆନୁଇଟି ମଡେଲ୍ (HAM) ରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପର ମୋଟ ଲମ୍ବ ପ୍ରାୟ ୧୬୦ କିଲୋମିଟର ୧୮ ରହିଛି। ଏଥିପାଇଁ ୮ ହଜାର ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ଏହି ମେଗା ପ୍ରକଳ୍ପ ଓଡ଼ିଶାର ପ୍ରମୁଖ ୪ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରକୁ ସଂଯୋଗ କରିବ । ବର୍ତ୍ତମାନ ପୁରୀ-ସାତପଡ଼ା ଏବଂ ପୁରୀ-କୋଣାର୍କ ରାସ୍ତାରେ ସ୍ଥାନୀୟ ଗାଡ଼ିମୋଟର ପ୍ରବଳ ଭିଡ଼ ଏବଂ ଜନବସତି ଯୋଗୁଁ ଦୀର୍ଘ ଦୂରଗାମୀ ଯାନବାହନ ଚଳାଚଳରେ ଅନେକ ସମସ୍ୟା ହେଉଥିଲା । ନୂଆ କୋଷ୍ଟାଲ ହାଇୱେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବ । ଏହି ହାଇୱେକୁ ଦୁଇଟି ପର୍ଯ୍ୟାୟରେ ନିର୍ମାଣ କରାଯିବ। ଯେଉଁଥିରେ ଗାଡ଼ିଗୁଡ଼ିକ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଗତି କରିପାରିବେ। ପ୍ୟାକେଜ୍-୧ ରେ ରମେଶ୍ୱରରୁ କୋଣାର୍କ ରାସ୍ତା । ଏହା ଏକ ୪-ଲେନ୍ ବିଶିଷ୍ଟ ବିଶ୍ୱସ୍ତରୀୟ ରାସ୍ତା ହେବ । ପ୍ୟାକେଜ୍-୨ରେ କୋଣାର୍କରୁ ପାରାଦୀପ । ଏହା ୨-ଲେନ୍ ବିଶିଷ୍ଟ ରାସ୍ତା ହେବ। ପ୍ରକଳ୍ପ ଶେଷ ହେବା ପରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ୩୦ ମିନିଟ୍ କମିଯିବ ।
ଏହି ହାଇୱେ ୯ଟି ଅର୍ଥନୈତିକ କେନ୍ଦ୍ର ଏବଂ ୫ଟି ଲଜିଷ୍ଟିକ୍ କେନ୍ଦ୍ରକୁ ଯୋଡ଼ିବ । ଯାହା ଦ୍ୱାରା ଦେଶର ଲଜିଷ୍ଟିକ୍ ପ୍ରଦର୍ଶନ ସୂଚକାଙ୍କ (LPI) ରେ ସୁଧାର ଆସିବ। ଦ୍ରୁତ ଏବଂ ଅପ୍ରତିହତ ଯାତ୍ରା ଯୋଗୁଁ ଗାଡ଼ି ଚଳାଚଳ ଖର୍ଚ୍ଚ କମିବା ସହ ବ୍ୟାପକ ପରିମାଣର ଇନ୍ଧନ ସଞ୍ଚୟ ହେବ। ଫଳରେ କାର୍ବନ ନିର୍ଗମନ ମଧ୍ୟ ହ୍ରାସ ପାଇବ । ଯାତ୍ରୀ ଏବଂ ମାଲ୍ ପରିବହନ ସହଜ ହେବା ଦ୍ୱାରା ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟବସାୟ, ରୋଜଗାର ଏବଂ ପର୍ଯ୍ୟଟନ ଶିଳ୍ପର ଅଭୂତପୂର୍ବ ବିକାଶ ହେବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଶାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ଗେମ୍-ଚେଞ୍ଜର ସାବ୍ୟସ୍ତ ହେବାକୁ ଯାଉଛି । ଏହା କେବଳ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପରସ୍ପର ସହ ଯୋଡ଼ିବ ନାହିଁ, ବରଂ ରାଜ୍ୟର ଅର୍ଥନୀତିକୁ ଏକ ନୂଆ ଗତି ପ୍ରଦାନ କରିବ ।
