ଭାରତ ଆଫଗାନିସ୍ତାନ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି। ୩ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଆଫଗାନିସ୍ତାନକୁ ୯ ୱିକେଟ୍ରେ ପରାସ୍ତ କରିଛି। ଏଥି ସହିତ ଭାରତ ଏହି ସିରିଜକୁ ୩-୦ରେ ଜିତିଛି।
ଚେନ୍ନାଇରେ ଆଜି ଭାରତ ୨୧୯ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଶତକ ହାସଲ କରିଛନ୍ତି । ରୋହିତ -ଜୟସ୍ବାଲ ପ୍ରଥମ ୱିକେଟ ପାଇଁ ୧୭୦ ରନ୍ ସଂଗ୍ରହ କରିଥିଲେ। ଏଥିରୁ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୭୯ ରନ୍ କରି ଆଉଟ ହୋଇଥିଲେ। ସେ ୬୯ଟି ବଲ୍ ଖେଳି ୯ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ଭାରତ ପାଇଁ ଯଶ୍ବସୀ ଜୟସ୍ବାଲ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ସେ ଅପରାଜିତ ୧୧୦ ରନ୍ ହାସଲ କରିଛନ୍ତି। ୮୬ଟି ବଲ୍ ଖେଳି ୧୪ଟି ଚୌକା ଏବଂ ୩ଟି ଛକା ମାରିଛନ୍ତି। ଶ୍ରେୟସ ଆୟର ୨ଟି ଛକା ବଳରେ ଅପରାଜିତ ୨୦ ରନ୍ କରିଛନ୍ତି।
ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହସମତୁଲ୍ଲା ସାହିଦୀଙ୍କ ନେତୃତ୍ବରେ ଦଳ ୪୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୮ ରନ୍ ସଂଗ୍ରହ କରିଥିଲା। ଆଫଗାନିସ୍ତାନ ଖେଳାଳିମାନେ ଭାରତୀୟ ବୋଲରଙ୍କ ସାମନା କରିପାରିନଥିଲେ । ଅଧିନାୟକ ହସମତୁଲ୍ଲା ସାହିଦୀ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୧୩୧ଟି ବଲ୍ ଖେଳି ଶତକ ୧୦୨ରନ୍ କରିଥିଲେ। ଏଥିରେ ସେ ୧୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ସେହିପରି ଆଜମାତୁଲ୍ଲା ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୬ଟି ବଲ୍ ଖେଳି ୫ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ମହମ୍ମଦ ନବି ୨୧ ରନ୍ ସଂଗ୍ରହ କରିଥିଲେ। ଇବ୍ରାହିମ ଜର୍ଦାନ ୧୧ ରନ୍ କରିଥିଲେ ।
ରହମାନୁଲ୍ଲା ଗୁରବାଜ, ରହମତ ସାହ ଏବଂ ରସିଦ ଖାନ ପ୍ରତ୍ୟେକ ୫ ରନ୍ ଲେଖାଏଁ କରିଥିଲେ।
ଭାରତ ପାଇଁ ପ୍ରସିଦ୍ଧ କୃଷ୍ଣା ଶ୍ରେଷ୍ଠ ବୋଲିଂ କରିଥିଲେ। ସେ ୮.୨ ଓଭର ବୋଲିଂ କରିଥିଲେ। ସେ ୨୩ ରନ୍ ଖର୍ଚ୍ଚ କରିଥିଲା ବେଳେ ୨ଟି ମେଡେନ ଓଭର ଏବଂ ୫ଟି ୱିକେଟ୍ ନେଇଥିଲେ। ଗୁରନୁର ବ୍ରାର୍, ପ୍ରିନ୍ସ ଯାଦବ ଏବଂ ହର୍ଷ ଦୁବେ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
ମୁକାବିଲାରେ ଅଭିଜ୍ଞ ବ୍ୟାଟର ରୋହିତ ଶର୍ମା ନିଜର ଚମକପ୍ରଦ ଫିଲ୍ଡିଂ କରି ଚର୍ଚ୍ଚାକୁ ଆସିଛନ୍ତି। ୩୯ ବର୍ଷୀୟ ରୋହିତ ସ୍ଲିପ୍ରେ ଲଗାତାର ୩ଟି କ୍ୟାଚ୍ ନେଇ ଆଫଗାନିସ୍ତାନର ୩ଜଣ ବ୍ୟାଟରଙ୍କୁ ପାଭିଲିଅନର ରାସ୍ତା ଦେଖାଇଛନ୍ତି।
ତୃତୀୟ ଦିନିକିଆ ସହିତ ଭାରତ ଏହି ସିରିଜକୁ ମୂଳପୋଛ କରିଛି। ବର୍ଷା ବାଧିତ ପ୍ରଥମ ଦିନିକିଆ ଗତ ୧୩ ତାରିଖ ଦିନ ଖେଳାଯାଇଥିଲା। ଭାରତ ଏହି ମ୍ୟାଚ୍କୁ ୭ ୱିକେଟ୍ରେ ବିଜୟ ହାସଲ କରିଥିଲା। ୨୫-୨୫ ଓଭରର ମ୍ୟାଚରେ ଆଫଗାନିସ୍ତାନ ୨୪.୫ ଓଭରରେ ସମସ୍ତ ୱିକେଟ ହରାଇ ୧୯୪ ରନ୍ କରିଥିଲା ଜବାବରେ ଭାରତ ୨୨.୫ ଓଭରରେ ୩ଟି ୱିକେଟ ହରାଇ ୧୯୫ ରନ୍ କରିଥିଲା। ସେହିପରି ଦ୍ବିତୀୟ ମ୍ୟାଚ୍ ଜୁନ ୧୭ ତାରିଖ ଦିନ ଖେଳାଯାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ସମସ୍ତ ୱିକେଟ ହରାଇ ୪୦୨ ରନ୍ କରିଥିଲା। ଜବାବରେ ଆଫଗାନିସ୍ତାନ ୪୪.୩ ଓଭରରେ ସମସ୍ତ ୱିକେଟ ହରାଇ ୨୩୨ ରନ୍ କରିଥିଲା। ଫଳରେ ଭାରତ ୧୭୦ ରନ୍ର ବିଶାଳ ବ୍ୟବଧାନରେ ମ୍ୟାଚ୍ ଜିତିଥିଲା।