ଲକ୍ଷ୍ନୌରେ ଭୟାବହ ଅଗ୍ନିକାଣ୍ଡ,୧୪  ଛାତ୍ରଛାତ୍ରୀ ମୃତ

ଲକ୍ଷ୍ନୌରେ ଭୟାବହ ଅଗ୍ନିକାଣ୍ଡ,୧୪ ଛାତ୍ରଛାତ୍ରୀ ମୃତ

ଲକ୍ଷ୍ନୌରେ ଭୟାବହ ଅଗ୍ନିକାଣ୍ଡ । ୧୪ ଜଣଙ୍କ ମୃତ୍ୟୁ ହୋଇଛି, ଏକାଧିକ ଗୁରୁତର । ଲକ୍ଷ୍ନୌର ଆଲିଗଞ୍ଜ ସ୍ଥିତ ଏକ ‘ଲାଇବ୍ରେରୀ କମ୍ ଗେମିଂ ଜୋନ୍ ’ ବିଲ୍ଡିଂ ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ପ୍ରଚଣ୍ଡ ଅଗ୍ନିକାଣ୍ଡ ଯୋଗୁ ବିଲ୍ଡିଂରେ ଥିବା ଲୋକ ହଠାତ ବାହାରକୁ ବାହାରିବା ମୁସ୍କିଲ୍ ହୋଇ ପଡ଼ିଥିଲା । ଫଳରେ ପ୍ରଚଣ୍ଡ କଳାଧୂଆଁରେ ଅଣନିଶ୍ବାସୀ ହୋଇ ମୃତାହତ ବୃଦ୍ଧି ପାଇଥିବା ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟ ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ଏହି ବିଲ୍ଡିଂ ଭିତରେ ଏକ ଲାଇବ୍ରେରୀ, କମ୍ପୁଟର୍ ଶିକ୍ଷା କେନ୍ଦ୍ର ଓ ଗେମିଂ ଜୋନ୍ ଚାଲୁଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଭିତରେ ଫସି ରହିଥିବା ଅନେକ ପିଲା ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରଥମ ମହଲାରୁ ତଳକୁ ଡେଇଁପଡ଼ିଥିଲେ। ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ୬ରୁ ଅଧିକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୫ରୁ ୬ ଜଣଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଅପରପକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିବା ସହ ଅଗ୍ନିକାଣ୍ଡର ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।  ସେପଟେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ଏବଂ ବିଲ୍ଡିଂର ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ ତାର ଯାଞ୍ଚ ଜାରି ରହିଛି ।

ଲକ୍ଷ୍ନୌ ଆଲିଗଞ୍ଜ ଅଞ୍ଚଳର ଭୟାବହ ଅଗ୍ନିକାଣ୍ଡ ପୂରା ଦେଶକୁ ସ୍ତବ୍ଧ କରିଦେଇଛି । ତେବେ ଏତେ ବଡ଼ ଦୁର୍ଘଟଣା ପଛର ପ୍ରକୃତ କାରଣ କଣ? ତାକୁ ନେଇ ଏବେ ସବୁଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ସୂଚନା ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ, ଏହି ବଡ଼ ବିପତ୍ତି ପଛରେ ଅନେକ ସୁରକ୍ଷାଗତ ତ୍ରୁଟି ଏବଂ ବେପରୁଆ ମନୋଭାବ ଲୁଚି ରହିଥିବା ଆଶଙ୍କା କରାଯାଉଛି । ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ। କିନ୍ତୁ ପ୍ରତ୍ୟକ୍ଷଦର୍ଶୀ ଏବଂ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ବିଲ୍ଡିଂ ମଧ୍ୟରେ କୌଣସି ବୈଦ୍ୟୁତିକ ସ୍ପାର୍କ ବା ସର୍ଟ ସର୍କିଟ୍ ଯୋଗୁଁ ହିଁ ପ୍ରଥମେ ନିଆଁ ସୂତ୍ରପାତ ହୋଇଥିଲା । ଯାହା ପରେ ଉଗ୍ର ରୂପ ଧାରଣ କରିଥିଲା ।  ଏହି ବିଲ୍ଡିଂରେ କୋଚିଂ ସେଣ୍ଟର ସହ କମ୍ପ୍ୟୁଟର ଲ୍ୟାବ୍, ଗେମିଂ ଜୋନ୍ ଏବଂ ବହୁ ସଂଖ୍ୟାରେ ଏସି ଚାଲୁଥିଲା । ମେସିନ୍ ଏବଂ ହାଇ-ପାୱାର୍ ବ୍ୟବହାର ଯୋଗୁଁ ତାର ଉପରେ ଅତ୍ୟଧିକ ଚାପ ପଡ଼ିଥିଲା ।

ଖରାପ ରକ୍ଷଣାବେକ୍ଷଣ ଏବଂ ଦୁର୍ବଳ ୱାୟାରିଂ ଏହାର ମୁଖ୍ୟ କାରଣ ହୋଇପାରେ । ଅଧିକାଂଶ କମର୍ସିଆଲ୍ ବିଲ୍ଡିଂ ଭଳି ଏଠାରେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ପାଇଁ କୌଣସି ‘ଫାୟାର୍ ଏକ୍ଜିଟ୍’ ନଥିଲା । ପର୍ଯ୍ୟାପ୍ତ ଅଗ୍ନିଶମ ସରଞ୍ଜାମ ନଥିବା ବେଳେ ସିଡ଼ି ଘର ଗୁଡ଼ିକ ଅଣଓସାରିଆ ଓ ଜାମ ରହିଥିଲା ।  ଏଥିସହ କ୍ଷମତା ଠାରୁ ଅଧିକ ପିଲାଙ୍କୁ ଏକାଠି ବସାଇବା ଯୋଗୁଁ ସ୍ଥିତି ଅଣାୟତ୍ତ ହୋଇଥିଲା । ବିଲ୍ଡିଂ ଭିତରେ ବହୁ ପରିମାଣରେ ପରଦା, କାଠ ଆସବାବପତ୍ର, ବହି-ପତ୍ର, କାଗଜ ଏବଂ ଗେମିଂ ଜୋନର ପ୍ଲାଷ୍ଟିକ୍ ସରଞ୍ଜାମ ରହିଥିଲା । ଯାହା ନିଆଁକୁ ଅତି ଶୀଘ୍ର ଉପର ମହଲାକୁ ବ୍ୟାପିବାରେ ଇନ୍ଧନ ସଦୃଶ କାମ କରିଥିଲା । କୋଠାଟି ପୁରୁଣା ଶୈଳୀର ହୋଇଥିବା ବେଳେ ଏହାର ଆଖପାଖ ରାସ୍ତା ସଂକୀର୍ଣ୍ଣ ଥିଲା । ଫଳରେ ଦମକଳ ଗାଡ଼ି ଠିକ୍ ସମୟରେ ପହଞ୍ଚିବା ଓ ଉଦ୍ଧାର କାର୍ଯ୍ୟ କରିବାରେ ବେଶ୍ ବାଧା ସୃଷ୍ଟି ହୋଇଥିଲା । ଉତ୍ତରପ୍ରଦେଶରେ ଏଭଳି ଦୁର୍ଘଟଣା ପରେ ବାରମ୍ବାର ‘ଫାୟାର୍ ସେଫ୍ଟି ଗାଇଡଲାଇନ’ କଡ଼ାକଡ଼ି କରିବାକୁ ଦାବି ହେଉଥିଲେ ମଧ୍ୟ କୋଠା ମାଲିକ ଓ ସଂସ୍ଥା ଚଳାଉଥିବା ଲୋକଙ୍କ ବେପରୁଆ ନୀତି ଯୋଗୁଁ ଆଜି ପୁଣି ୧୫ ଜଣ ନିରୀହ ଛାତ୍ରଛାତ୍ରୀଙ୍କ ଜୀବନ ଦୀପ ଲିଭିଯାଇଛି । ବର୍ତ୍ତମାନ ପୋଲିସ ସୁରକ୍ଷା ନିୟମର ଅବହେଳା ଦିଗକୁ ନେଇ ତଦନ୍ତ ଚଳାଇଛି ।

Posted in ଦେଶ ବିଦେଶ.