ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମ୍ସାର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ । ଏ ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ଡାକ୍ତର ମାନେ ଆଜିଠୁ କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା ରହିଛି ।
ଓମ୍ସାର ଦାବିର ସମାଧାନ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ନିଷ୍ପତ୍ତି ହୋଇଛି । କମିଟିରେ ସ୍ବାସ୍ଥ୍ୟ ସଚିବ, ଜିଏ ସଚିବ, ଅର୍ଥ ସଚିବ, ଆଇନ ସଚିବ ସଦସ୍ୟ ଅଛନ୍ତି । ଆସନ୍ତା ୨୨ ତାରିଖରେ କମିଟିର ପ୍ରଥମ ବୈଠକ ବସିବ । ତେବେ ଆଲୋଚନା ସଫଳ ହୋଇଥିବା ନେଇ ଓ ପକ୍ଷରୁ ସୂଚନା ।ଗତ ୪ ଦିନ ହେବ ଚାଲିଥିଲା ଡାକ୍ତରଙ୍କ ଆନ୍ଦୋଳନ । ଆନ୍ଦୋଳନରତ ଡାକ୍ତର ମାନଙ୍କୁ ୧୨ ଘଣ୍ଟା ଭିତରେ ନିଜ ନିଜ କାର୍ଯ୍ୟସ୍ଥଳରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ (ଓମ୍ସା)ର ବିଭିନ୍ନ ଦାବି ଏବଂ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ । ସେପଟେ ଓମ୍ସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର କହିଥିଲେ, ଆଲୋଚନା ପାଇଁ ସଂଘ ପ୍ରସ୍ତୁତ, କିନ୍ତୁ ସରକାର ଦମନ ନୀତି ବନ୍ଦ କରନ୍ତୁ । ରୋଗୀ ସେବା କିଭଳି ହେବ ତାହା ସରକାରଙ୍କ ଦାୟିତ୍ବ ।
ଡାକ୍ତର ଆନ୍ଦୋଳନ ଯୋଗୁଁ ବିଭିନ୍ନ ସ୍ଥାନରେ ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସା ଅଭାବରୁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାରୁ ଜଣେ ସାପ କାମୁଡ଼ା ରୋଗୀଙ୍କୁ ଇଞ୍ଜେକ୍ସନ ଦେବାକୁ କେହି ନଥିବାରୁ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା ।
