ଜମ୍ମୁ କଶ୍ମୀର କୁଲଗାମରେ ଭାରତୀୟ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ । କୁଲଗାମ ଆତଙ୍କୀ ଆକ୍ରମଣ ଘଟଣାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ଏନକାଉଣ୍ଟରରେ କୁଲଗାମ ଆଟାକର ମାଷ୍ଟରମାଇଣ୍ଡ୍ ଲତିଫ ଭଟ୍ଟ ନିହତ ହୋଇଥିବା ଖବର ମିଳିଛି । ଏହା ସହ ଆଉ ଜଣେ ଆତଙ୍କୀ ନିହତ ହୋଇଛି । ଏହି ଅପରେସନରେ ଭାରତୀୟ ସେନା, ସିଆରପିଏଫ୍ ଏବଂ ଜମ୍ମୁ-କଶ୍ମୀର ପୋଲିସ ସାମିଲ ହୋଇଥିଲେ ।
ଖବର ମୁତାବକ, ନଭେମ୍ଵର ୧୧ରେ କୁଲଗାମରେ ନିକଟରେ ହୋଇଥିବା ଆତଙ୍କୀ ଆକ୍ରମଣରେ ତିନି ଜଣ ସିଆରପିଏଫ୍ ଯବାନ ଆହତ ହୋଇଥିଲେ । ଏହି ଘଟଣା ପରେ ସୁରକ୍ଷାବାହିନୀ ପକ୍ଷରୁ ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଜୋରଦାର କରାଯାଇଥିଲା । ଯାହାକୁ ଏବେ ଏନକାଉଣ୍ଟରରେ ନିହତ କରାଯାଇଛି ।
ଲତିଫ ଭଟ୍ଟ କୁଲଗାମ ଜିଲ୍ଲାର ଖେୱାନ ଚାଡରରେ ରହୁଥିଲା । ୨୦୨୫ ନଭେମ୍ଵରରେ ସେ ଅଚାନକ ଗାଏବ ହୋଇଯାଇଥିଲା । ୧୯ ତାରିଖରେ ତାର ପରିବାର ପକ୍ଷରୁ ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା । ଏହାପରେ ସେ ଆତଙ୍କୀ ସଙ୍ଗଠନ ଲଶ୍କର-ଏ-ତୋଇବାରେ ସାମିଲ ହୋଇଥିଲା । ଦକ୍ଷିଣ କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କୀ ଗତିବିଧି ଚଳାଉଥିଲା ।
କୁଲଗାମ ଆକ୍ରମଣର ୨୪ ଘଣ୍ଟା ମଧ୍ୟରେ କିସ୍ତୱାଡ଼ ଜିଲ୍ଲାରେ ଆଉ ଏକ ଆତଙ୍କୀ ଘଟଣା ଘଟିଥିଲା । ଏଥିରେ ଦୁଇ ଜଣ ସ୍ପେଶାଲ ପୋଲିସ ଅଫିସର ବାବି ଚନ୍ଦ ଓ ଯଶପାଲ କୁମାରଙ୍କ ମୃତ୍ୟୁ ହୋଇଥିଲା । ଏକ ଆତଙ୍କବାଦ ବିରୋଧୀ ଅପରେସନରେ ସେନାକୁ ସହଯୋଗ କରିବାକୁ ଯାଉଥିବା ସମୟରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି ।
